ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା। ଯେତିକି ଭବ୍ୟ, ସେତିକି ବିଶାଳ ଏହି ଯାତ୍ରା। ନିଆରା ଏହାର ପରମ୍ପରା ଓ ସ୍ଵତନ୍ତ୍ର ଏହାର ରୀତିନୀତି। ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବର୍ଷକୁ ଥରେ ଶ୍ରୀମନ୍ଦିରର ରତ୍ନବେଦୀରୁ ବାହାରି ଆସିଥାନ୍ତି ଠାକୁର। ଘଂଟ ଘଂଟା ଧ୍ଵନିରେ କମ୍ପିଉଠେ ବଡ଼ଦାଣ୍ଡ, ଏକାକାର ହୋଇଯାଆନ୍ତି ଭକ୍ତ ଓ ଭଗବାନ।
ଭକ୍ତିମୟ ପରିବେଶରେ ରଥରେ ବସି ଜନ୍ମବେଦୀ ଅଭିମୁଖେ ଯାଆନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବା ପାଇଁ ବଡ଼ଦାଣ୍ଡ ପାଲଟିଯାଏ ଜନସମୁଦ୍ର। ଦେଶବିଦେଶରୁ ଛୁଟି ଆସିଥାନ୍ତି ଲକ୍ଷ ଲକ୍ଷ ଭକ୍ତ।
ଆଷାଢ଼ ମାସର ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୁଏ ରଥଯାତ୍ରା। ଏହାକୁ ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ। ଏହି ପ୍ରାଚୀନ ମହୋତ୍ସବ ସହ ଯୋଡ଼ି ହୋଇ ରହିଛି ଅନେକ କିମ୍ବଦନ୍ତୀ। ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ସ୍କନ୍ଦ ପୁରାଣ ଏବଂ କପିଳ ସଂହିତା ଆଦିରେ ଏହାର ବର୍ଣ୍ଣନା ରହିଛି। ଦ୍ଵାଦଶ ଶତାବ୍ଦୀରେ ରଥ ଉପରେ ଛେରାପହଁରା ନୀତି ଅନଙ୍ଗଭୀମ ଦେବ ଆରମ୍ଭ କରିଥିବା ନେଇ ଐତିହାସିକମାନେ ମତ ଦିଅନ୍ତି। ଏହା ପ୍ରମାଣ କରେ ଯେ ରଥଯାତ୍ରାର ଇତିହାସ ବେଶ ପୁରୁଣା।
ରଥଯାତ୍ରାର ଇତିହାସ ଯେତିକି ରୋଚକ, ରଥ ନିର୍ମାଣ ଶୈଳୀ ସେତିକି ଆକର୍ଷକ। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଶାଳ ରଥ ବେଶ ଆକର୍ଷଣୀୟ ଢଙ୍ଗରେ ନିର୍ମିତ। ଏହି ତିନି ରଥର ନିର୍ମାଣ ପାଇଁ କୌଣସି ଆଧୁନିକ ଜ୍ଞାନକୌଶଳର ବ୍ୟବହାର ହୋଇନଥାଏ। ଏଥିରେ ନିୟୋଜିତ ହୋଇନଥାନ୍ତି ଇଂଜିନିୟର। ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ତିଆରି ହୋଇଥାଏ ରଥ।
ମାପଚୁପ ପାଇଁ ମେଜରିଂ ଟେପ୍’ର ବ୍ୟବହାର ହୋଇନଥାଏ। ହାତ, ଆଙ୍ଗୁଳ, ବାଡ଼ିର ମାପରେ ଏହି ବିଶାଳ ରଥ ତିଆରି ହୁଏ। ସବୁଠୁ ବଡ଼ କଥା ହେଉଛି, ହାତ ଆଙ୍ଗୁଳ ମାପ ଏପରି ନିର୍ଦ୍ଧାରଣ କରାଯାଇଛି ଯେ, କାଠ ବଙ୍କା ହୋଇଥିଲେ ମଧ୍ୟ ରଥ ବଙ୍କା ହୋଇନଥାଏ। ପ୍ରତି ବର୍ଷ ସମାନ ଢଙ୍ଗରେ ନିର୍ମାଣ ହୋଇଥାଏ ତିନି ରଥ – ତାଳଧ୍ଵଜ, ଦର୍ପଦଳନ ଓ ନନ୍ଦିଘୋଷ। ତେବେ ପ୍ରତ୍ୟେକ ରଥର ନିର୍ମାଣ ଶୈଳୀ ସ୍ଵତନ୍ତ୍ର।
ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ରଥର ଚକ ପାଇଁ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଥାନ୍ତି ବିଶ୍ଵକର୍ମା ମହାରଣା ସେବକ। ନୃସିଂହ ଚତୁର୍ଦ୍ଧଶୀରୁ ଗୁଜ ଅନୁକୂଳ ହୋଇଥାଏ। ଭଉଁରୀ ତିଥିରେ ତିନି ଅଖର ଚକଡ଼େରା ନୀତି ଏବଂ ନେତ୍ରୋତ୍ସବ ତିଥିରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ।
ପାରମ୍ପରିକ ରୀତି ଅନୁସାରେ ପ୍ରତ୍ୟେକ ଚକର ତୁମ୍ବରେ ଅର ଖଞ୍ଜାଯାଏ। ତୁମ୍ବ, ଅର ଏବଂ ପହି କାମ ସମ୍ପୂର୍ଣ୍ଣ ହେବା ଭିତରେ ତିନି ରଥର ଅଖ କାମ ଶେଷ ହୋଇଥାଏ।
ରଥ ନିର୍ମାଣରେ ପ୍ରାୟ ୬୦ ଜଣ ମହାରଣା, ୭୫ ଜଣ ଭୋଇ, ୧୫ ଜଣ କମାର, ୨୦ ଜଣ ଚିତ୍ରକର, ୮ ଜଣ ଦର୍ଜୀ ଓ ୧୫ ଜଣ ରୂପକାର ସେବକ କାର୍ଯ୍ୟ କରିଥାନ୍ତି। ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼ ଓ ୯ଟି ପାଶ୍ୱର୍ଦେବତା ଖଞ୍ଜା ଯାଇଥାଏ ।
ଅକ୍ଷୟ ତୃତୀୟାଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନେତ୍ରୋତ୍ସବ ଯାଏଁ ଚାଲିଥାଏ। ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲାଗି ଯାଏଁ ପାଖାପାଖି ଦୁଇମାସ ସମୟ। ନିର୍ମାଣ ସରିବା ପରେ ରଥ ଖଳାରୁ ସିଂହଦ୍ଵାର ନିକଟକୁ ଅଣା ଯାଇଥାଏ ତିନି ରଥ।
ତାଳଧ୍ଵଜ
ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ଵଜ। ଏହାର ଉଚ୍ଚତା ପ୍ରାୟ ୪୫ ଫୁଟ। ଏଥିରେ ରହିଥାଏ ୧୪ଟି ଚକ। ରଥର ରଙ୍ଗ ନାଲି ଓ ସବୁଜ। ତାଳଧ୍ୱଜ ରଥର ସାରଥୀଙ୍କ ନାମ ହେଉଛି ମାତଳୀ। ଏହି ରଥର ଦଉଡ଼ି ବାସୁକୀ ନାମରେ ପରିଚିତ। ତାଳଧ୍ୱଜ ରଥର ନେତର ନାଁ ଉନ୍ନାନି, ଏହାର ରକ୍ଷକ ହେଉଛନ୍ତି ବାସୁଦେବ। ରଥଯାତ୍ରାରେ ସର୍ବପ୍ରଥମେ ତାଳଧ୍ୱଜ ରଥ ବଡ଼ଦଣ୍ଡରେ ଗଡ଼ିଥାଏ।
ଦର୍ପଦଳନ
ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ବା ଦେବଦଳନ ନାମରେ ପରିଚିତ। ଏହାର ଉଚ୍ଚତା ୪୪ ଫୁଟ୍ ୬ ଇଞ୍ଚ। ୧୨ଟି ଚକ ଏବଂ ରଥର ରଙ୍ଗ ନାଲି ଓ କଳା। ଦର୍ପଦଳନ ରଥର ସାରଥୀଙ୍କ ନାମ ଅର୍ଜୁନ ଏବଂ ରଥ ଦଉଡ଼ିର ନାମ ସ୍ୱର୍ଣ୍ଣଚୂଡ଼। ଦର୍ପଦଳନ ରଥର ନେତର ନାଁ ନାଦମ୍ବିକା ଓ ଏହାର ରକ୍ଷକ ହେଉଛନ୍ତି ଜୟଦୁର୍ଗା। ତାଳଧ୍ୱଜ ରଥ ପରେ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥାଏ।
ନନ୍ଦିଘୋଷ
ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଏହାର ଉଚ୍ଚତା ୪୫ ଫୁଟ୍ ୬ ଇଞ୍ଚ। ୧୬ଟି ଚକ ବିଶିଷ୍ଟ ଏହି ରଥ ନାଲି ଓ ହଳଦୀ ରଙ୍ଗର ହୋଇଥାଏ। ନନ୍ଦିଘୋଷ ରଥର ସାରଥୀଙ୍କ ନାମ ଦାରୁକ ଏବଂ ରଥ ଦଉଡ଼ିର ନାଁ ଶଙ୍ଖଚୂଡ଼। ନନ୍ଦିଘୋଷ ରଥର ଧ୍ୱଜାର ନାଁ ତ୍ରୈଲୋକ୍ୟ ମୋହିନୀ ଓ ଏହାର ରକ୍ଷକ ହେଉଛନ୍ତି ଗରୁଡ଼। ରଥଯାତ୍ରାରେ ସବାଶେଷରେ ନନ୍ଦିଘୋଷ ରଥକୁ ଆନନ୍ଦ ଉଲ୍ଲାସରେ ଟାଣି ନେଇଥାନ୍ତି ଭକ୍ତ।
ପ୍ରତିବର୍ଷ ନୂଆ ରଥ ନିର୍ମାଣ ହୁଏ। ଏହି ବିଶାଳ ରଥ ପ୍ରାଚୀନ ଶିଳ୍ପଶାସ୍ତ୍ର ଅନୁଯାୟୀ ତିଆରି ହୋଇଥାଏ। ବିଶେଷକରି ଅସନ, ଧଉରା, ଫାସୀ, ଶିମିଳି କାଠ, ରଥ ନିର୍ମାଣରେ ଲାଗେ। ଏଥିରେ କୌଣସି ଆଧୁନିକ ଯନ୍ତ୍ରପାତି ବ୍ୟବହୃତ ହୁଏନାହିଁ। କରତ, ନିହାଣ, ବାରିସୀ ଆଦିରେ ନିର୍ମିତ ହୁଏ ରଥ। ପିଢ଼ି ପରେ ପିଢ଼ି କୁଶଳୀ କାରିଗରମାନେ ରଥ ନିର୍ମାଣ କରିଥାନ୍ତି। ‘ରଥସଂହିତା’ରେ କେତେ ଖଣ୍ଡ କାଠ ଆବଶ୍ୟକ, କେଉଁ ଅଂଶର ମାପ କେତେ, ସବୁ କିଛିର ହିସାବ ରହିଛି।
ରଥର ପାଦଦେଶରୁ ଶୀର୍ଷ ପର୍ଯ୍ୟନ୍ତ ଥିବା ଅଂଶଗୁଡ଼ିକ ହେଉଛି – ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଈପଟା, ସିଂହାସନ, କନକ ମୁଣ୍ଡେଇ, ଭୂମି, ଷୋଳନାହାକ, ମଗରଦଣ୍ଡା, ବସନ୍ତ, ଦୁଆରଘୋଡ଼ା, ସାରଥି ପିଢ଼ା, କୁମ୍ଭପଟି, ରାହୁପଟି, ଆଠ ନାହାକ, ପିଢ଼ା, ଋଷିପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କେତନ।
ରଥକୁ ସାଧାରଣତଃ ୧୩ଟି ମୁଖ୍ୟ ଅଙ୍ଗରେ ବିଭକ୍ତ କରାଯାଇଛି – ଚକ୍ରପୀଠ, ଅରଦଣ୍ଡା, ଗଗରା, ମୂଳନାଭ, ବରାଣ୍ଡି, ହଂସପଟା, ରଥଗର୍ଭ, ପାରାଭାଡ଼ି, କଳସ ପୀଠ, ଦଧିନଉତି, କର୍ଣ୍ଣଅଳା, ଧାତୁ କଳସ ଓ ଆୟୁଧ ଧ୍ୱଜା।
ବିଶାଳ ରଥକୁ ଅଟକାଇବା ପଦ୍ଧତି ବେଶ୍ ନିଆରା। ପାରମ୍ପରିକ ପଦ୍ଧତିରେ ତିଆରି ହୋଇଥାଏ ତିନି ରଥର ବ୍ରେକିଂ ବ୍ୟବସ୍ଥା। କିଛି ବର୍ଷ ହେଲା ଚକର ପହିରେ ରବର ପଟି ଲଗାଯିବା ସହ ସ୍ଵତନ୍ତ୍ର ଭାବେ ତିଆରି ହୋଇଥିବା କଣ୍ଟା ପିଟା ଯାଉଛି। ଏହି ପଦ୍ଧତି ରଥର ବ୍ରେକିଂ ବ୍ୟବସ୍ଥାରେ ବେଶ ସହାୟକ ହୋଇଛି।
ରଥଯାତ୍ରାରେ କିଛି ଭେଦଭାବ ନଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଥାନ୍ତି ଏହି ବିଶାଳ ପର୍ବରେ। ରଥ ଉପରେ ଛେରାପହଁରା ନୀତି କରିଥାନ୍ତି ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା। ଏହା ସମାଜକୁ ଏକ ବଡ଼ ବାର୍ତ୍ତା ଦେଇଥାଏ, ଯେ କାର୍ଯ୍ୟ ଆଧାରରେ କେହି ବଡ଼ ନୁହଁନ୍ତି, କି ଛୋଟ ନୁହଁନ୍ତି।
ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା – ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଧାରାର ତ୍ରିବେଣୀ ସଙ୍ଗମ। ଏହା ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟର ବଳିଷ୍ଠ ନିନର୍ଶନ। ଉତ୍କଳୀୟ କଳା ସଂସ୍କୃତି ଓ ନୃତ୍ୟ ସଙ୍ଗୀତର ଅନନ୍ୟ ପ୍ରତିଫଳନ।
Tags: #Rathyatra #ShreeMandir #UntoldStory #TheGrandChariots #Puri


















