ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଏସିପିଏଲ୍ ସଭାଘରେ ଶୁକ୍ରବାର ‘ଭଲ କବିତାର ଖୋଜ୍’ ସାହିତ୍ୟ ସଂଗଠନ ପକ୍ଷରୁ ବିଶିଷ୍ଟ କବି ବିପିନ ନାୟକଙ୍କ ସମ୍ମାନାର୍ଥେ ‘କବି ବିପିନ୍ ନାୟକ ସନ୍ଧ୍ୟା’ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ୭୭ତମ ଆସର କବି ବିପିନ ନାୟକଙ୍କ ପ୍ରତି ଉତ୍ସର୍ଗିତ ଥିଲା। ଏହି କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

“ସାହିତ୍ୟ ଏକାଡେମୀ ପୁରସ୍କାରରେ ଯେତିକି ଆନନ୍ଦ ପାଇନଥିବି ଆଜି ବାଲେଶ୍ୱରର ଏଇ ଆସର ମୋତେ ତା’ଠାରୁ ଅଧିକ ଆନନ୍ଦ ଦେଇ ମୋତେ ଅଭିଭୂତ କରିଦେଲା। ଭଲ କବିତା ସବୁବେଳେ ଅଲଭ୍ୟ। କବିତା ମୁଁ କେମିତି ଲେଖିଛି ଜାଣେନା କିନ୍ତୁ କବିତା ଲେଖିବା ବେଳେ ମୁଁ ଭାବ ଓ ଅନୁଭବ ସହିତ ମୋର ଯାତ୍ରାକୁ ନିରନ୍ତର ଜାରି ରଖିଛି”, କହିଛନ୍ତି କବି ବିପିନ ନାୟକ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଭଲ କବିତାର ଖୋଜ୍’ର ଆବାହକ କବି କୃଷ୍ଣ କୁମାର ମହାନ୍ତି ଅତିଥିଙ୍କୁ ମଞ୍ଚ ଆବାହନ କରିଥିବାବେଳେ ଅନ୍ୟତମ ଆବାହକ କବି ଶ୍ରୀଦେବ ସଭାକାର୍ଯ୍ୟ ପରିଚାଳନାରେ ଭାଗ ନେଇ କବି ବିପିନ ନାୟକଙ୍କ କବିତା ନିର୍ମାଣର ଗୁମର ବିଷୟରେ ଅଭିବ୍ୟକ୍ତି ରଖିଥିଲେ।

ଏହି ସାହିତ୍ୟ ଆସରରେ କବି ପ୍ରଶାନ୍ତ ଦାସ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ଅଭୟ ଦାସ, ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, କବି ରଞ୍ଜନ ବାଗ୍, ଶୁଭେନ୍ଦୁ ଦାସ, କମଳିନୀ କାସ୍ତ, ପ୍ରୀତିଲେଖା ଦାସ, ଦେବଯାନୀ ଦାସ, ଡକ୍ଟର ସନ୍ତୋଷ କୁମାର ନାୟକ ପ୍ରମୁଖ କବି ଓ ଲେଖକ ଯୋଗ ଦେଇଥିଲେ।

Tags: #BhalaKabitaraKhoj #PoetBipinNayak #Baleswar

Comment