ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ତରଫରୁ ‘ପଞ୍ଚମ ବାର୍ଷିକ ମେଗା ସମ୍ମିଳନୀ-୨୦୨୫’ ଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ସହିତ ଏକ ସ୍ଵତନ୍ତ୍ର ସମ୍ପର୍କ ଗଢ଼ିତୋଳିବା ଏବଂ ଏହଗ ମାଧ୍ୟମରେ ଜ୍ଞାନ, ଅଭିଜ୍ଞତା ଓ ସାଧନାର ଆଦାନ-ପ୍ରଦାନ ସ୍ଥାପିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ବାର୍ଷିକ ସମ୍ମିଳନ ଉଦଘାଟିତ ହୋଇଥିଲା। ଏହି ଅବସରରେ ‘ଛାତ୍ରଟିଏ – ବହିଟିଏ’ ଅଭିଯାନ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ମୁଖ୍ୟ ପାଠାଗାରରେ ଏକ ‘ଆଲୁମିନି ଲାଇବ୍ରେରି’ର ସ୍ଥାପନା କରାଯାଇଥିଲା। ପ୍ରାକ୍ତନ ଛାତ୍ରଛାତ୍ରୀମାନେ ପୁସ୍ତକ ଦାନ କରିଥିଲେ।

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରାକ୍ତନ ଛାତ୍ର ସଂସଦର ବାର୍ଷିକ ବୈଠକରେ ଆଇଟିଆର-ଡିଆରଡିଓର ଅତିରିକ୍ତ ନିର୍ଦ୍ଦେଶକ ବୈଜ୍ଞାନିକ ଡକ୍ଟର ନିଳାଦ୍ରୀ ରାଏ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀଙ୍କ ଦାୟିତ୍ଵ ଓ ଉତ୍ତରଦାୟିତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ବିଶିଷ୍ଟ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ୟବ୍ରତ ନନ୍ଦ ଓ ସେକ୍ରେଟେରୀ ଡକ୍ଟର ଦେବଦତ୍ତ ଦାସ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ‘ବ୍ୟାସ ପ୍ରଜ୍ଞା’ ନାମକ ଆଲୁମିନି ନ୍ୟୁଜ ଲେଟର ଉନ୍ମୋଚନ କରାଯାଇଥିଲା। ୨୭ ଜଣ ଯୋଗ୍ୟ ବୈଶିଷ୍ଟ୍ୟପୂର୍ଣ୍ଣ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ସମ୍ମାନପତ୍ର ସହ ସ୍ମୃତିଚିହ୍ନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ଓଡ଼ିଶୀ ନୃତ୍ୟ ଓ ଭଜନ ମାଧ୍ୟମରେ ଏହି ସମ୍ମିଳନୀ ଏକ ସାଂସ୍କୃତିକ ଉତ୍ସବର ଆକାର ନେଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆଲୁମିନି ସଂସଦର ଭାଇସ ପ୍ରେସିଡେଣ୍ଟ ଡକ୍ଟର ମିନତୀ ମିଶ୍ର। ଶେଷରେ ଯୁଗ୍ମ ସେକ୍ରେଟେରି ଡକ୍ଟର ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #AnnualConference #FMUniversity #Balasore #Odisha

Comment