ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟକୁ ସ୍ତବ୍ଧ କରିଛି ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଘଟଣା। ଆତ୍ମାହୁତି ଉଦ୍ୟମ ପରେ ଏବେ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି ଛାତ୍ରୀ ଜଣକ।
ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଛି। ଫୁସଫୁସ୍, ହୃତପିଣ୍ଡ ଏବଂ କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ବିଭାଗର ୮ ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ଵତନ୍ତ୍ର ଟିମ ଚିକିତ୍ସାର ତଦାରଖ କରୁଛନ୍ତି। ଆବଶ୍ୟକ ପଡ଼ିଲେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲକୁ ଏୟାରଲିଫ୍ଟ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏମ୍ସ ବର୍ଣ୍ଣ ଓ୍ଵାର୍ଡକୁ ଯାଇ ଛାତ୍ରୀଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଡାକ୍ତରୀ ଟିମ୍ ସହ ଆଲୋଚନା କରିବା ସହ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି।
ଏହି ଘଟଣାରେ ନିଲମ୍ବିତ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେବଖଣ୍ଟା ପୋଲିସ। ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏଜୁକେସନ ବିଭାଗର ଏଚଓଡି ସମୀର ସାହୁ ଗିରଫ ହୋଇଥିଲେ।
କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାର ଯାଇଥିବା ବେଳେ ତିନି ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି।
ଅନ୍ୟ ପଟେ ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଏବଂ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ଡିଜିପିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ।
ଜୁଲାଇ ୧୨ ତାରିଖ, ଶବିବାର ଦନ ଏଫଏମ କଲେଜର ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଥିଲେ। ତାଙ୍କ କଥାକୁ ଗୁରୁତ୍ଵ ଦିଆନଯିବାରୁ ସେ ଶେଷରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇଥିଲେ। ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ଛାତ୍ରୀଜଣକ ଚିକିତ୍ସାଧୀନ ଅଛନ୍ତି।
Tags: #FMCollegeStudent #Balasore #Suicide #Treatment #Odisha















