ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ‘ନିଉଜ ରୁମ୍’ ଡିଜିଟାଲ ପ୍ଲାଟଫର୍ମର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ଵରସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ‘ଡିଭାଇନ ପୁରୀ କନକ୍ଲେଭ’। ନିଉଜରୁମ ପ୍ରତିଷ୍ଠାତା ସମ୍ପାଦକ ମନୋରଞ୍ଜନ ମିଶ୍ର ଏବଂ ପ୍ରତିଷ୍ଠାତା ସିଇଓ ପ୍ରିୟଦର୍ଶୀ ବଳଙ୍କ ଦ୍ଵାରା ଆୟୋଜିତ କନକ୍ଲେଭରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ‘ମହାକୁମ୍ଭରୁ ରଥଯାତ୍ରା: ପର୍ଯ୍ୟଟନ ଅର୍ଥନୀତି ବିକାଶର ବଡ଼ ସମ୍ଭାବନା’ ଉପରେ ଆଲୋକପାତ କରିଥିଲେ।
ପ୍ରଥମ ଅଧିବେଶନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇ ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ରାଜ୍ୟର ପର୍ଯ୍ୟଟନର ବିକାଶ ପ୍ରସଙ୍ଗରେ ନିଜ ନିଜର ମତ ରଖିଥିଲେ। ପ୍ରତିଷ୍ଠାତା ସମ୍ପାଦକ ମନୋରଞ୍ଜନ ମିଶ୍ର ସଭା ସଞ୍ଚାଳନା କରିଥିଲେ।
ଏହି କନକ୍ଲେଭରେ ଆଧ୍ୟାତ୍ମିକ ଗୁରୁ ସ୍ଵାମୀ ଶ୍ରଦ୍ଧାନନ୍ଦ ସରସ୍ଵତୀ, ଲକ୍ଷ୍ନୌ ଆଇଆଇଏମର ପ୍ରଫେସର ସତ୍ୟଭୂଷଣ ଦାସ, ଆଇନଜୀବୀ ମୃଣାଳିନୀ ପାଢ଼ୀ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବରିଷ୍ଠ ସମ୍ବାଦିକ ରାଜାରାମ ଶତପଥୀ, ରାଜନୀତିଜ୍ଞ ତପନ ଚାନ୍ଦ, ଅର୍ଥନୀତି ବିଶେଷଜ୍ଞ ରାଜୀବ ଶେଖର ସାହୁ, ଷ୍ଟକ ମାର୍କେଟ ବିଶେଷଜ୍ଞ ପ୍ରିୟଦର୍ଶୀ ବଳ ପ୍ରମୁଖ ଯୋଗ ଦେଇ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା କିପରି ରାଜ୍ୟ ପାଇଁ ଅର୍ଥନୈତିକ ପର୍ଯ୍ୟଟନର ବିକାଶ ଆଣିପାରିବ ତା’ ଉପରେ ଆଲୋଚନା କରିଥିଲେ।
ମହାକୁମ୍ଭ ମେଳା ଉପରେ ଗବେଷଣା କରିଥିବା ପ୍ରଫେସର ସତ୍ୟଭୂଷଣ ଦାସ ପୁରୀ ରଥଯାତ୍ରା ସମୟରେ ମଧ୍ୟ ପୁରୀରେ ରହି ଗବେଷଣା କରିଥିଲେ। ସେ କହିଥିଲେ, ମହାକୁମ୍ଭ ମେଳା ଧାର୍ମିକ ଉତ୍ସବ ହେବା ସହିତ ବ୍ୟବସାୟ, ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ମେଳା ଭଳି ପୁରୀ ରଥଯାତ୍ରା ମଧ୍ୟ ଓଡ଼ିଶାର ଅର୍ଥନୈତିକ ବିକାଶରେ ଯୋଗଦାନ ଦେଇପାରିବ।
ସେ କହିଥିଲେ, ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କ ସମାଗମ ହେଉଥିବାରୁ ସ୍ଥାନୀୟ ବ୍ୟବସାୟୀ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ବିଶାଳ ବଜାର ସୃଷ୍ଟି ହୋଇଥିଲା। ତେଣୁ ପୁରୀ ରଥଯାତ୍ରା ମଧ୍ୟ ପର୍ଯ୍ୟଟନ ବିକାଶରେ ସମ୍ଭାବନା ଆଣିପାରିବ ବୋଲି ପ୍ରଫେସର ସତ୍ୟଭୂଷଣ ଦାସ କହିଥିଲେ।
ଏହି କନକ୍ଲେଭରେ ବିଶେଷ କରି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳା ଏବଂ ପୁରୀ ରଥଯାତ୍ରାର ପର୍ଯ୍ୟଟନ ଦିଗ ଉପରେ ଆଲୋଚନା ହୋଇଥିଲା।
ପ୍ରଥମ ଅଧିବେଶନରେ ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
ଏହି ଅସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ଵର ସହ ନେଇଛନ୍ତି। ଆଇନଠାରୁ ଉପରେ କେହି ନୁହେଁ। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ପୁରୀ ହେଉଛି ସାଂସ୍କୃତି ତଥା ଆଧ୍ୟାତ୍ମିକ କ୍ଷେତ୍ରର କେନ୍ଦ୍ର। ଜଗନ୍ନାଥ ଧାମର ସବୁ କ୍ଷେତ୍ରରେ ଅଭିବୃଦ୍ଧି ଦରକାର।
ଏହି ଅବସରରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଓଡ଼ିଶାରେ ଅନେକ କାମ ହୋଇଛି। ୬ ହଜାର କୋଟି ଟଙ୍କାର କ୍ୟାପିଟାଲ ରିଙ୍ଗ ରୋଡ ଖୁବ ଶୀଘ୍ର ନିର୍ମାଣ ହେବ। ନୟାଗଡ଼-ପୁରୀ ଜଗନ୍ନାଥ ସଡ଼କର ବିକାଶ ହେବ, ନିରାକାରପୁରଠାରେ ରେଳ ଓଭରବ୍ରିଜ୍ ନିର୍ମାଣ ହେବ। ତିନି ବର୍ଷ ଭିତରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ସବୁ ଲୋକଙ୍କୁ ପକ୍କା ଘର ଯୋଗାଇବା କାମ ଚାଲିଛି।
ସାଂସଦ ଆହୁରି କହିଥିଲେ, “ବାଲେଶ୍ଵରରେ ଯାହା ଘଟିଲା ତାହା ହେବାର ନଥିଲା, ଭୁବନେଶ୍ଵରରେ ଯାହା ହେଲା ତାହା ହେବାର ନଥିଲା, ପୁରୀରେ ଯାହା ହେଲା ତାହା ମଧ୍ୟ ହେବାର ନଥିଲା। ଆମ ହାତରେ ୪ ବର୍ଷ ରହିଛି। ଏସବୁ ଭୁଲକୁ ସୁଧାରିବୁ। ପ୍ରତ୍ୟେକ ଭୁଲରୁ ଶିଖିବାର ଅଛି ଏବଂ ଆମେ ଶିଖୁଛୁ। ଶାସନ, ପ୍ରଶାସନକୁ ସୁଦୃଢ଼ କରିବାର ଅଛି। ଶାସନ ଦୁର୍ବଳ ହେଲେ ନିଶ୍ଚୟ ସମାଲୋଚନା ହେବ ବୋଲି ସେ କହିଥିଲେ।
Tags: #DivinePuriConclave #SpiritualTourism #RathYatra2025 #Newsroom













