ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଚାକିରି ତଥା ରୋଜଗାର କ୍ଷେତ୍ରରେ ନୂଆ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟରେ ଏମ୍ପ୍ଲୟମେଣ୍ଟ ଲିଙ୍କଡ୍ ଇନସେଣ୍ଟିଭ (ଇଏଲଆଇ) ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଦେଶରେ ଚାକିରିକୁ ପ୍ରୋତ୍ସାହିତ କରିବା ଏବଂ ବିଶେଷକରି ଉତ୍ପାଦନ କ୍ଷେତ୍ରକୁ ମଜଭୁତ କରିବା। ତେବେ ଆସନ୍ତୁ ଜାଣିବା ଏହି ଇଏଲଆଇ ଯୋଜନା କ’ଣ ଏବଂ ଏହାର ଫାଇଦା ମିଳିବ କିପରି?

ଇଏଲଆଇ ଯୋଜନା କ’ଣ ?

ଏମ୍ପ୍ଲୟମେଣ୍ଟ ଲିଙ୍କଡ୍ ଇନସେଣ୍ଟିଭ ମାଧ୍ୟମରେ ଦେଶରେ ଆନୁଷ୍ଠାନିକ କ୍ଷେତ୍ରରେ ଚାକିରି ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି। ଏହି ଯୋଜନାରେ ଯେଉଁମାନେ ପ୍ରଥମ ଥର ପାଇଁ ନିଯୁକ୍ତି କରିବାସହ ପ୍ରଥମ ଥର ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ସହିତ ପଞ୍ଜିକରଣ କରୁଛନ୍ତି, ତେବେ ସରକାର ସେମାନଙ୍କୁ ଗୋଟିଏ ମାସର ଦରମା, ସର୍ବାଧିକ ୧୫,୦୦୦ ଟଙ୍କା ଆର୍ଥିକ ସହାୟତା ଦେବେ। ତେବେ ଏହି ଟଙ୍କା ଏକାଥରକେ ଉପଲବ୍ଧ ହେବ ନାହିଁ, ବରଂ ଦୁଇଟି କିସ୍ତିରେ କର୍ମଚାରୀଙ୍କ ଆକାଉଣ୍ଟକୁ ଆସିବ। ପ୍ରଥମ କିସ୍ତି ୬ ମାସର ଚାକିରି ସମାପ୍ତି ପରେ ଏବଂ ଦ୍ୱିତୀୟ କିସ୍ତି ୧୨ ମାସର ଚାକିରି ପରେ ମିଳିବ। ଏଥିପାଇଁ କର୍ମଚାରୀଙ୍କୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ହେବ।

ଏହି ରାଶିର ଏକ ଅଂଶ ଇପିଏଫଓ ଆକାଉଣ୍ଟରେ ମଧ୍ୟ ଜମା କରାଯିବ, ଯାହାକୁ ପରେ ଉଠାଇ ହେବ। ଏହି ଯୋଜନାର ଲାଭ କେବଳ ସେହି କର୍ମଚାରୀମାନଙ୍କୁ ମିଳିବ ଯାହାଙ୍କର ମାସିକ ଦରମା ୧ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍‌। ଦରମା ୧ ଲକ୍ଷରୁ ଅଧିକ ହେଲେ କର୍ମଚାରୀ ଏହି ଯୋଜନାର ପରିସରଭୁକ୍ତ ହେବେ ନାହିଁ।

“ଯୁବପିଢ଼ିଙ୍କୁ ଚାକିରି ପାଇଁ ପ୍ରସ୍ତୁତ କରିବାସହ ସେମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ କେନ୍ଦ୍ର ସରକାର ଏହି ଏମ୍ପ୍ଲୟମେଣ୍ଟ ଲିଙ୍କଡ୍ ଇନସେଣ୍ଟିଭ ଯୋଜନା ଆଣିଛନ୍ତି। ଏହି ଯୋଜନା ମାଧ୍ୟମରେ ଆସନ୍ତା ବର୍ଷ ସୁଦ୍ଧା ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି , ଯେଉଁଥିରୁ ୧.୯୨ କୋଟି ପ୍ରଥମ ଥର ପାଇଁ ଚାକିରି ଖୋଜୁଥିବା ବ୍ୟକ୍ତି ହେବେ। ଏହି ଯୋଜନା ଦେଶର ଉତ୍ପାଦନ କ୍ଷେତ୍ରକୁ ମଜଭୁତ କରିବା ସହ ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଇପିଏଫଓର ବଡ଼ ଭୂମିକା ବହନ କରିବ”, କହିଛନ୍ତି ଇପିଏଫଓ ଭୁବନେଶ୍ୱରର ଆଞ୍ଚଳିକ କମିଶନର ମୌସୁମୀ ଲତା ପାଢ଼ୀ। 

ନିଯୁକ୍ତିଦାତାଙ୍କୁ କ’ଣ ମିଳିବ ?

ଇଏଲଆଇ ଯୋଜନାରେ କେବଳ କର୍ମଚାରୀମାନଙ୍କ ପାଇଁ ନୁହେଁ ବରଂ ଚାକିରି ପ୍ରଦାନ କରୁଥିବା କମ୍ପାନିଗୁଡ଼ିକ ପାଇଁ ମଧ୍ୟ ଏକ ବହୁତ ଫାଇଦା ହେବ। ଯୋଜନାରେ ସରକାର ସେହି କମ୍ପାନିଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ଦେବେ ଯେଉଁମାନେ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେବେ। ଯଦି କୌଣସି କମ୍ପାନି ଇପିଏଫଓ ସହିତ ପଞ୍ଜିକୃତ ହୋଇଥିଲେ ଏବଂ ଏହା ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତି, ତେବେ ପ୍ରତ୍ୟେକ ନୂତନ କର୍ମଚାରୀଙ୍କ ପାଇଁ ପ୍ରତି ମାସରେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ପାଇବେ।

ସବୁ କମ୍ପାନିଗୁଡ଼ିକୁ ଏହି ପ୍ରୋତ୍ସାହନ ରାଶି ଦୁଇ ବର୍ଷ ପାଇଁ ଦିଆଯିବ। ତେବେ ଉତ୍ପାଦନ କ୍ଷେତ୍ରର କମ୍ପାନିଗୁଡ଼ିକୁ ୨ ବର୍ଷ ଅତିରିକ୍ତ ଅର୍ଥାତ ୪ ବର୍ଷ ପାଇଁ ଏହି ସୁବିଧା ମିଳିବ। ତେବେ ଏଥିପାଇଁ କିଛି ସର୍ତ୍ତ ରହିଛି।

  • ଯେଉଁ କମ୍ପାନିଗୁଡ଼ିକରେ ୫୦ରୁ କମ କର୍ମଚାରୀ ଅଛନ୍ତି, ସେମାନଙ୍କୁ ଅତି କମରେ ୨ ଜଣ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ।
  • ଯେଉଁ କମ୍ପାନିଗୁଡ଼ିକରେ ୫୦ରୁ ଅଧିକ କର୍ମଚାରୀ ଅଛନ୍ତି, ସେମାନଙ୍କୁ ଅତି କମରେ ୫ ଜଣ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ।
  • କର୍ମଚାରୀଙ୍କୁ ଅତି କମରେ ୬ ମାସ ପାଇଁ ଚାକିରିରେ ରହିବାକୁ ପଡ଼ିବ, ଯାହା ଦ୍ୱାରା କମ୍ପାନି ଏହି ପ୍ରୋତ୍ସାହନ ପାଇପାରିବ।

କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବଜେଟରେ ଇଏଲଆଇ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଯୋଜନା କେନ୍ଦ୍ର ସରକାରଙ୍କ ୨ ଲକ୍ଷ କୋଟି ଟଙ୍କାର ମେଗା ପ୍ୟାକେଜର ଏକ ଅଂଶ, ଯାହା ଯୁବବର୍ଗଙ୍କୁ ଚାକିରି, ତାଲିମ ଏବଂ ଅନ୍ୟାନ୍ୟ ସୁଯୋଗ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଯୋଜନା ୨୦୨୫ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ।

Tags: #EmploymentLinkedIncentiveScheme #ELIScheme #Employment #EPFO

Comment