ଓଡ଼ିଶାଲାଇଭ୍ ବ୍ୟୁରୋ

ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ଦିନ ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବାଲେଶ୍ଵର ଜିଲ୍ଲାର ୪ଟି ବ୍ଲକ, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଦୁଇଟି ଲେଖାଏଁ ବ୍ଲକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ସମ୍ପୃକ୍ତ ଅଞ୍ଚଳର ୮୧ଟି ଗାଁର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୫,୮୬୯ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଆଗାମୀ ୭ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି।

ଧନଜୀବନର ସୁରକ୍ଷା ପାଇଁ ବାଲେଶ୍ଵର ଜିଲ୍ଲାରେ ୧୭ଟି ଓଡ୍ରାଫ ଓ ୧୩ଟି ଅଗ୍ନିଶମ ସେବା ଟିମ୍‍ ମୁତୟନ ରହିଛନ୍ତି। ଭଦ୍ରକ ଜିଲ୍ଲାରେ ଗୋଟିଏ ଏନଡିଆରଏଫ ଟିମ, ଗୋଟିଏ ଓଡ୍ରାଫ୍‍ ଟିମ୍ ଓ ୧୩ଟି ଅଗ୍ନିଶମ ସେବା ଟିମ୍ ନିୟୋଜିତ ରହିଥିବା ବେଳେ ଯାଜପୁର ଜିଲ୍ଲାରେ ଗୋଟିଏ ଓଡ୍ରାଫ୍‍ ଓ ୧୪ଟି ଅଗ୍ନିଶମ ସେବା ଟିମ୍‍ ମୁତୟନ ରହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନଦୀର ଜଳସ୍ତର ହ୍ରାସ ପାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ଯେଉଁ ଅଞ୍ଚଳଗୁଡ଼ିକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା ସେଠାରେ ରିଲିଫ ସାମଗ୍ରୀ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଆହୁରି ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଆବଶ୍ୟକ ସହୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସାପ କାମୁଡ଼ା ଔଷଧ ରଖିବାକୁ ଡାକ୍ତରଖାନାଗୁଡ଼ିକୁ କୁହାଯାଇଛି।

ବନ୍ୟା ପରବର୍ତ୍ତୀ ସମୟରେ ଡାଇରିଆ ଓ ଅନ୍ୟ ଜଳବାହିତ ରୋଗ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Tags: #FloodSituation #FloodA #CMMohanCharanMajhi #PressMeet

Comment