ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି ବବିତା ପାତ୍ର। କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ବା ତାଙ୍କୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହି ଦାୟିତ୍ଵ ତୁଲାଇବେ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଏନେଇ ସୂଚନା ଜାରି କରାଯାଇଛି।
ନୂତନ ଅଧ୍ୟକ୍ଷା ବବିତା ପାତ୍ର ହେଉଛନ୍ତି ବ୍ରହ୍ମପୁର ସୋମନାଥ ନଗର ଲେନ୍-୪ ମୟୂର ବିହାର ନିବାସୀ। କିଛି ମାସ ହେଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ପଦବୀ ଖାଲି ପଡ଼ିଲା। ଖାଲି ପଡ଼ିଥିବା ଏହି ପଦବୀରେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ପଦ ପୂରଣ କରିବା ସହିତ ୬ ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ମିଳିଛି।
ସେମାନେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ କଡ଼ାଗାଡ଼ିଆର ସୁକେଶୀ ଓରାମ, ରାଉରକେଲା ବାସନ୍ତୀ କଲୋନୀର କଳ୍ପନା ଲେଙ୍କା, ଭୁବନେଶ୍ଵର ବରଗଡ଼ ବ୍ରିଟ କଲୋନୀର ଚନ୍ଦନା ଦାସ, ଭୁବନେଶ୍ଵର ବାପୁଜୀ ନଗରର କସ୍ତୁରୀ ମିଶ୍ର, ଭଦ୍ରକ ଜିଲ୍ଲା ଚରମ୍ପାର ମନସ୍ମିତା ଖୁଣ୍ଟିଆ ଓ ଭୁବନେଶ୍ଵର ବମିଖାଲର ସୁଜାତା ନାୟକ।

ଶିଶୁ ଅଧିକାର ଆଇନ ଆୟୋଗ ୨୦୦୫ ର ଧାରା ୧୭ ଅନୁଯାୟୀ ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖଠାରୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର) ଗଠନ କରାଯାଇଛି।
ଶିଶୁମାନେ ସମାଜର ସବୁଠାରୁ କୋମଳ ଏବଂ ସମ୍ବେଦନଶୀଳ ବର୍ଗ ହୋଇଥିବାରୁ ସେମାନଙ୍କ ଶିକ୍ଷା, ସୁରକ୍ଷା ଏବଂ ସାମଗ୍ରିକ ବିକାଶ ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏହା ଅନ୍ତର୍ଗତ ଓଏସସିପିସିଆର ଗଠନ ହୋଇଛି।
Tags: #OdishaStateCommissionforProtectionOfChildRights #BabitaPatra #OSCPCR #OdishaGovt










