ଓଡ଼ିଶାଲାଇଭ୍ ବ୍ୟୁରୋ

ଅଣପାରମ୍ପରିକ ଖେଳ ମାଧ୍ୟମରେ କିଶୋରୀ ସଶକ୍ତିକରଣ ପାଇଁ ଭିନ୍ନ ଏକ ପ୍ରୟାସ

ଆକ୍ସନଏଡ ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର କିଶୋରୀ ଏବଂ ମା’ମାନଙ୍କୁ ନେଇ ଏକ ଅଣପାରମ୍ପରିକ କ୍ରୀଡ଼ା ‘ଅଦଭିକା କପ୍-୨୦୨୩’ର ଆୟୋଜନ କରାଯାଇଥିଲା। ୟୁନିଟ୍-୬ ସରକାରୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କ୍ରୀଡ଼ାରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲର ୬ଟି ବାଳିକା ଦଳ ଓ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀର ଦଳ ଅଂଶଗ୍ରହଣ କରିଥିଲେ।

ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ ଥିଲା ମା’ ଓ ଝିଅମାନଙ୍କ ମଧ୍ୟରେ ମ୍ୟାଚ। ଅର୍ଥାତ୍ କିଶୋରୀ ଏକାଦଶ ଓ ସ୍ୱଂୟ ସହାୟକ ଗୋଷ୍ଠୀ ମହିଳା ଏକାଦଶ ମଧ୍ୟରେ ମ୍ୟାଚ। ରୋଷେଇଶାଳରୁ ବାହାରି ପଡ଼ିଆରେ ନିଜର ଦମ୍ ଦେଖାଇଥିଲେ ମା’ମାନେ। ସେଠାରେ ନଥିଲା କୌଣସି ପ୍ରତିଦ୍ୱନ୍ଦ୍ୱିତା, କିନ୍ତୁ ଜଣେ ପ୍ରତିଯୋଗୀ ଭାବେ ନିଜ ପ୍ରତିଭା ଦେଖାଇଥିଲେ ମା’ମାନେ। ଆଉ ମା’ ଝିଅଙ୍କ ଭିତରେ ଏଭଳି ମ୍ୟାଚକୁ ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ।

“ସମାଜରେ ଲିଙ୍ଗଗତ ସମାନତା ରକ୍ଷା କରିବା ପାଇଁ ଅଣପାରମ୍ପରିକ କ୍ରୀଡ଼ା ଏକ ମାଧ୍ୟମ ଅଟେ। ଏହି ସମାନତାକୁ ବଜାୟ ରଖି ଆମେ କିପରି ଝିଅ ପୁଅ ଭିତରେ ଭେଦଭାବ ନ କରି ଝିଅମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବା, ପାରମ୍ପରିକ କ୍ରୀଡ଼ାରୁ ବାହାରି ଅନ୍ୟ ଖେଳ ପ୍ରତି ସେମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ସହ ଲୋକଙ୍କ ମନରୁ ଅସମାନତା ଦୂର କରିବା ଏହି ଅଦଭିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ”, କହିଛନ୍ତି ଆକ୍ସନଏଡ ରାଜ୍ୟ ପ୍ରକଳ୍ପ ମୁଖ୍ୟ ତଥା ନ୍ୟାସନାଲ ଲିଡ୍ ଘାଷିରାମ ପଣ୍ଡା।

ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ଶିଶୁ ସୁରକ୍ଷା କମିଶନର ମନ୍ଦାକିନୀ କର କହିଛନ୍ତି, “ଖେଳ ଏକ ଏପରି ବିଷୟ ଯାହା ଲୋକଙ୍କୁ ସଂଗଠିତ କରେ ସାହାସ ପ୍ରଦାନ କରେ। ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରେ। ପ୍ରତ୍ୟେକ ଝିଅ ସ୍ୱତନ୍ତ୍ର। ତେଣୁ ଖେଳାଳି ମନୋଭାବ ନେଇ ସମସ୍ତେ ଆଗକୁ ବଢ଼ନ୍ତୁ। ତେବେ ଯାଇ ସମାଜରେ ଅସମାନତାର ପ୍ରାଚୀର ଭାଙ୍ଗିହେବ ଆଉ ବାଲ୍ୟବିବାହକୁ ରୋକି ହେବ”।

ଉଦଘାଟନୀ ଉତ୍ସବରେ ଶିଶୁ ସୁରକ୍ଷା କମିଶନରଙ୍କ ସହ ଆକ୍ସନଏଡର ସହକାରୀ ନିର୍ଦେଶକ ତଥା ଓଡ଼ିଶା ମୁଖ୍ୟ ଦେବବ୍ରତ ପାତ୍ର, ରାଜ୍ୟ ପ୍ରକଳ୍ପ ମୁଖ୍ୟ ତଥା ନ୍ୟାସନାଲ ଲିଡ୍ ଘାଷିରାମ ପଣ୍ଡା, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ, ସ୍ଥାନୀୟ କର୍ପୋରେଟର ପୁଷ୍ପା ରାଉତ, ଅତିରକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଜ୍ଞା ପରିମିତା ଜେନା, ରେଡ଼ିଓ ଚକୋଲେଟ କାର୍ଯକ୍ରମ ମୁଖ୍ୟ ସଂଗ୍ରାମ ମିଶ୍ର ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

କେବଳ ଖୋର୍ଦ୍ଧା ନୁହେଁ, କିଶୋରୀମାନଙ୍କ ନେତୃତ୍ୱ ବିକାଶ ସହ ବାଲ୍ୟବିବାହ ରୋକିବା ଲକ୍ଷ୍ୟ ନେଇ ବିଭିନ୍ନ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ପୂର୍ବରୁ ନବରଙ୍ଗପୁର, ମୟୁରଭଞ୍ଜ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଜିଲ୍ଲାରେ ଅଦଭିକା କପ୍ ଅନୁଷ୍ଠିତ ହୋଇଥିଲା। ଆଗକୁ ଅନ୍ୟ ଜିଲ୍ଲାମାନଙ୍କରେ ଏହାର ଆୟୋଜନ କରାଯିବ ବୋଲି ଆକ୍ସନଏଡ ପକ୍ଷରୁ କୁହାଯାଇଛି।

ଉଦଯାପନୀ ଅବସରରେ ଓଡ଼ିଶାଲାଇଭ୍ ସିଇଓ ନୀଳାମ୍ବର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଖେଳ ଦ୍ୱାରା କିଭଳି ମାନସିକ ସ୍ୱାସ୍ଥ୍ୟ ଭଲ ରୁହେ ଏବଂ ଦଳଗତ ଭାବନା ବୃଦ୍ଧି ପାଇଥାଏ, ସେବାବଦରେ ପିଲାମାନଙ୍କୁ ବୁଝାଇଥିଲେ। “ସମାଜରେ ଏକାଠି ହୋଇ ଚଳିବାକୁ ହେଲେ ଉଭୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବନା ଓ ସହଯୋଗର ଆବଶ୍ୟକତା ରହିଛି। ଏହି ଦୁଇଟି ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବା ହେଉଛି ଜୀବନ। ଜୀବନର ସବୁଠୁ ବଡ଼ ସଫଳତା ହେଉଛି ଖୁସି। ତେଣୁ ସବୁବେଳେ ଖୁସି ରହିବା ଜରୁରୀ”, କହିଛନ୍ତି ନୀଳାମ୍ବର ରଥ।

ବନ୍ଧୁତ୍ଵପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଥିବାରୁ ପ୍ରତ୍ୟେକ ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ୟୁନିସେଫର ଶିଶୁ ସୁରକ୍ଷା ବିଶେଷଜ୍ଞ ମାନା ବିଶ୍ୱାସ ଏବଂ ଓଡ଼ିଶାଲାଇଭ୍ ସିଇଓ ନୀଳାମ୍ବର ରଥ ଖେଳାଳିମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ କିଶୋରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Tags: #WCDDepartment #OSCPCR #UNICEF #ActionAid #StopChildMarriage

Comment