ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସାର୍ବଜନୀନ ଟିକାକରଣ କ୍ଷେତ୍ରରେ ଭାରତରେ ଏକ ଅଗ୍ରଣୀ ରାଜ୍ୟ। ରାଜ୍ୟରେ ୯୦.୫ ପ୍ରତିଶତ ଶିଶୁଙ୍କ ଟିକାକରଣ ହୋଇଛି। ଏହା ଟିକାକରଣର ଜାତୀୟ ହାର ୭୬.୪ ପ୍ରତିଶତରୁ ଅଧିକ। ଓଡ଼ିଶାର ଦୁର୍ଗମ ତଥା ଆଦିବାସୀ ବହୁଳ ଅଞ୍ଚଳରେ ମଧ୍ୟ ଅଧିକ ଟିକାକରଣ ହୋଇଛି। ୟୁନିସେଫ ଇଣ୍ଡିଆ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ‘ଦି ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ଚିଲଡ୍ରେନ ୨୦୨୩: ଫର ଏଭ୍ରି ଚାଇଲ୍ଡ ଭ୍ୟାକ୍ସିନେସନ’ ରିପୋର୍ଟରୁ ଏହି ସୂଚନା ମିଳିଛି।

ୟୁନିସେଫର ଏହି ରିପୋର୍ଟରେ ଭାରତ ତଥା ବିଶ୍ଵରେ ହେଉଥିବା ଶିଶୁଙ୍କ ସାର୍ବଜନୀନ ଟିକାକରଣ ବାବଦରେ ତଥ୍ୟ ଦିଆଯାଇଛି। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୨୦ଟି ଜିଲ୍ଲାରେ ୯୦ ପ୍ରତିଶତରୁ ଅଧିକ ପିଲାଙ୍କ ଟିକାକରଣ ହୋଇଛି। ରାଜ୍ୟରେ ପୂର୍ଣ୍ଣ ଟିକାକରଣ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ମାଧ୍ୟମରେ ଆଶା ଓ ଅଙ୍ଗନବାଡ଼ି କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ପିଲାମାନଙ୍କ ଟିକାକରଣ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ତଥା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସାଧରଣ ଲୋକଙ୍କୁ ସଚେତନ କରାଇଛନ୍ତି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ଯୋଜନା ଓ ବ୍ୟବସ୍ଥା ପାଇଁ ରାଜ୍ୟରେ ଟିକାକରଣ ବଢ଼ିଛି।

“ଟିକାକରଣ ହେଉଛି ମନୁଷ୍ୟର ସୁରକ୍ଷା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସାଧନ। ଏହା ପିଲାମାନଙ୍କୁ ସ୍ୱାସ୍ଥ୍ୟକୁ ଭଲ ରଖିବା ସହ ଏକ ସୁସ୍ଥ ସମାଜ ଗଠନରେ ସହାୟ ହୋଇଥାଏ। ଏଥିଲାଗି ପ୍ରତ୍ୟେକ ଶିଶୁକୁ ଟିକା ଦେବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ନିୟମିତ ଟିକାକରଣ ଭବିଷ୍ୟତରେ ଆସୁଥିବା ମହାମାରୀର ମୁକବିଲା କରିବାରେ ଆମର ସାହାଯ୍ୟ କରିବ”, କହିଛନ୍ତି ୟୁନିସେଫ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମ୍ୟାକାଫ୍ରେ।

ସେ ଆହୁରି ମଧ୍ୟ କହିଛନ୍ତି, “ଭାରତର ଟିକାକରଣ କାର୍ଯ୍ୟକ୍ରମ ସାରା ବିଶ୍ଵ ପାଇଁ ଏକ ଉଦାହରଣ। ଭାରତର ବିଭିନ୍ନ ରାଜ୍ୟରେ ପିଲାମାନଙ୍କ ଟିକାଦାନ ଅଧିକ ହେଉଛି। ଦେଶରେ ଟିକାକରଣ ପାଇଁ ଲୋକମାନଙ୍କୁ ସଚେତନ ବିଭିନ୍ନ ଉପାଯରେ ସଚେତନ କରାଯାଉଛି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଭାରତକୁ ଏହି ସଫଳତା ମିଳିଛି।

ୟୁନିସେଫ ରିପୋର୍ଟରେ ଭାରତକୁ ଟିକାକରଣ କ୍ଷେତ୍ରରେ ସାରା ବିଶ୍ଵରେ ଏକ ଅଗ୍ରଣୀ ଦେଶ ବୋଲି କୁହାଯାଇଛି। ଭାରତର ଟିକା ଉତ୍ପାଦନ କ୍ଷମତା ଅଧିକ ରହିଛି। କରୋନା ସମୟରେ ଭାରତ ଅନେକ ଦେଶଙ୍କୁ ଟିକା ଯୋଗାଇଥିଲା। ଏହି ଟିକା ଦ୍ଵାରା ଭାରତରେ ମଧ୍ୟ କୋଭିଡ୍-୧୯ର ମୁକବିଲାରେ ସଫଳ ହୋଇଥିଲା।

ଏହି ରିପୋର୍ଟରେ କୋଭିଡ୍ ଟିକାକରଣ ବ୍ୟତୀତ ଭାରତରେ ଇନ୍ଦ୍ରଧନୁଷ ଯୋଜନା ମାଧ୍ୟମରେ ପିଲାଙ୍କର ମାଗଣା ଟିକାକରଣକୁ ଦେଶ ପାଇଁ ଏକ ସଫଳତା କୁହାଯାଇଛି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ଭୂମିକାକୁ ୟୁନିସେଫ୍ ପକ୍ଷରୁ ପ୍ରଶଂସା କରାଯାଇଛି।

ୟୁନିସେଫ ପକ୍ଷରୁ ପ୍ରତିବର୍ଷ ଏହି ‘ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ଚିଲଡ୍ରେନ ୨୦୨୩ ଫର ଏଭ୍ରି ଚାଇଲ୍ଡ ଭ୍ୟାକ୍ସିନେସନ’ ରିପୋର୍ଟ ପ୍ରକାଶ କରାଯାଇଥାଏ। ଏଥିରେ ବିଶ୍ଵରେ ହେଉଥିବା ପିଲାଙ୍କ ଟୀକାକରଣ ଓ ସେମାନଙ୍କ ସ୍ଥିତି ଉପରେ ଏକ ବିବରଣୀ ପ୍ରକାଶ ପାଇଥାଏ। ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ୍ ମେଡିସିନ୍ ଓ ୟୁନିସେଫ୍ ଦ୍ୱାରା ପ୍ରକାଶିତ ‘ଦି ଭ୍ୟାକ୍ସିନ୍ କନଫିଡେନ୍ସ’ ପ୍ରୋଜେକ୍ଟର ତଥ୍ୟ ଉପରେ ଆଧାର କରି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।

Tags: #Immunization #Childvaccination #Odisha #India #UNICEF

Comment