ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’। ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରାଯାଇଛି। ଅଗଷ୍ଟ ୯ରୁ ୧୧ – ୩ ଦିନ ଧରି ଏହି ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ତୃଣମୂଳ ସ୍ତରର ଯୁବକ ଯୁବତୀମାନଙ୍କୁ ଯୋଡ଼ା ଯିବ। ଜଳବାୟୁ ପରିବର୍ତ୍ତନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଉଥିବା ସମସ୍ୟା ବିଷୟରେ ଆଲୋଚନା କରାଯାଇ ସମାଧାନର ରାସ୍ତା ବାହାର କରାଯିବ।

‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍’ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ଗାୟିକା ସୁସ୍ମିତା ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ଅଭିନେତ୍ରୀ ବି ଏମ୍ ବୈଶାଳୀ ଏବଂ ୟୁନିସେଫ୍ ଓଡ଼ିଶାର ଅଫିସିଏଟ୍ ଇନଚାର୍ଜ ସୁଗତ ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

‘‘ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ବହୁଳ ଭାବେ ପ୍ଲାଷ୍ଟିକର ବ୍ୟବହାର ଆମ ପରିବେଶ ଉପରେ ନକରାତ୍ମକ ପ୍ରଭାବ ପକାଉଛି। ଫଳରେ ସାନ ସାନ ପିଲା ଏବଂ ଯୁବପିଢ଼ି ବିଶେଷ ପ୍ରଭାବିତ ହେଉଛନ୍ତି। ତେଣୁ ଏହାର ମୁକାବିଲା ପାଇଁ ୟୁଥ୍ ଫର୍ ୱାଟର ପ୍ଲସ୍ ଅଭିଯାନ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ଅଧିକରୁ ଅଧିକ ଯୁବପିଢ଼ି ଯୋଡ଼ିହୋଇ ଏକ ସୁନ୍ଦର ପୃଥିବୀ ଗଠନ କରିବାରେ ଆଗେଇ ଆସିବା ଦରକାର’’, କହିଛନ୍ତି ସୁସ୍ମିତା ଦାସ।

ସାରା ବିଶ୍ୱର ଜନସମୁଦାୟ ପାଇଁ ଆର୍ଥିକ, ସାମାଜିକ ଓ ପାରିବେଶିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୧୭ଟି ପ୍ରମୁଖ ଲକ୍ଷ୍ୟକୁ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ବା ଏସଡିଜି ଭାବେ ଚିହ୍ନଟ କରାଯାଇଛି। ତା’ ଭିତରେ ଲକ୍ଷ୍ୟ-୬ରେ ‘ବିଶୁଦ୍ଧ ପାଣି ଓ ପରିମଳ’ ଏବଂ ଲକ୍ଷ୍ୟ-୧୩ରେ ‘ଜଳବାୟୁ ସ୍ଥିତି’ ରହିଛି। ତେଣୁ ଏହି ଲକ୍ଷ୍ୟ ପୂରଣ ପାଇଁ ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

‘‘ଜଳବାୟୁ ପରିବର୍ତ୍ତନ ସବୁଠି ଚିନ୍ତାର ବିଷୟ ପାଲଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୁବପିଢ଼ିଙ୍କର ସହଯୋଗ ନିହାତି ଆବଶ୍ୟକ। ଆସନ୍ତାକାଲିର ପୃଥିବୀର ସୁରକ୍ଷା ସେମାନଙ୍କ ହାତରେ ରହିଥିବାରୁ ଯୁବପିଢ଼ି ପରିବେଶ ସୁରକ୍ଷା ଲାଗି ଆଗେଇ ଆସନ୍ତୁ’’, କହିଛନ୍ତି ସୁଗତ ରାୟ।

ଏହି କାର୍ଯ୍ୟକ୍ରମରେ ୟୁନିସେଫ୍ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ଦେଇ କହିଛନ୍ତି, ‘‘ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଉପରେ ପଡ଼ୁଥିବା ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତେବେ ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍’ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପରିବେଶ ସୁରକ୍ଷା ଦିଗରେ ତୃଣମୂଳ ସ୍ତରରେ କାମ କରୁଥିବା ଯୁବଗୋଷ୍ଠୀମାନଙ୍କୁ ଏକାଠି କରାଯିବ। ଓଡ଼ିଶାର ଯୁବକ ଯୁବତୀମାନେ ନେଉଥିବା ପଦକ୍ଷେପ କିପରି ବିଶ୍ୱ ସ୍ତରକୁ ଯିବ ତାହା ଏହି ଅଭିଯାନର ଲକ୍ଷ୍ୟ ରହିଛି।’’

ଏହି କାର୍ଯ୍ୟକ୍ରମରେ ୟୁଥ୍ ଫର୍ ୱାଟର ପ୍ଳସ୍ ଅଭିଯାନର ଯାତ୍ରା ବିଷୟରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ସ୍ୱାସ୍ଥ୍ୟ ପ୍ଲସ୍ ସିଇଓ ସିଦ୍ଧାର୍ଥ ରଥ ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍’ କାର୍ଯ୍ୟକ୍ରମର ଆଗାମୀ କାର୍ଯ୍ୟଖସଡ଼ା ବିଷୟରେ କହିଥିଲେ। ସେହିପରି ୱାଇଏଫଏସ୍ କ୍ଲବର ସହ ପ୍ରତିଷ୍ଠାତା  ପୂଣ୍ୟଶ୍ଲୋକ ପଣ୍ଡା ଏହି ବିଶେଷ ଅଭିଯାନର ପାର୍ଟନର କିପରି ରହିପାରିବେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ୟୁଏନଡିପିର ଆଭା ମିଶ୍ର, ୟୁନିସେଫ୍ ଓଡ଼ିଶାର ରିସ୍କ ଏବଂ ରେଜିଲେନ୍ସ ବିଶେଷଜ୍ଞ ଓମକାର ଓନିଏଲ ଖରେଙ୍କ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଯୋଗ ଦେଇଥିଲେ। ଶେଷରେ ୟୁଥ୍ ଫର ୱାଟର ପ୍ଲସର ନିର୍ଦ୍ଦେଶକ ଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #WorldEnvironmentDay2023 #OdishaconferenceofYouth #ClimateAwareness #YouthforWaterPlus #UNICEF

 

Comment