ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୋକିବା ଏବଂ ସବୁ କିଶୋରୀ ବାଳିକାଙ୍କୁ ସ୍କୁଲ ଯିବା ଲାଗି ପ୍ରୋତ୍ସାହିତ କରିବା ପାଇଁ ବ୍ୟାପକ ସଚେତନତା କରାଯିବ। ବୁଧବାର ଦିନ ସୁନ୍ଦରଗଡ଼ସ୍ଥିତ ପ୍ରଗତି ମଣ୍ଡପଠାର ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ବୈଠକରେ ଏହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ୟୁନିସେଫ୍ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନ ଆକ୍ସନଏଡ୍ ସହଯୋଗିତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବୈଠକ ହୋଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ର ସ୍ତରରେ କିଶୋର/କିଶୋରୀମାନଙ୍କୁ ନେଇ ବଛା ଯାଇଥିବା ‘ସଖି ସହେଲି’ ଏବଂ ‘ସଖା ବନ୍ଧୁ’ମାନେ ଏଥିରେ ଯୋଗ ଦେଇଥିଲେ। 

ନିଜ ନିଜ ଅଞ୍ଚଳରେ କୌଣସି ବାଲ୍ୟ ବିବାହ ଘଟଣାକୁ ରୋକିବାରେ ଏହି ‘ସଖି ସହେଲି’ ଏବଂ ‘ସଖା ବନ୍ଧୁ’ମାନେ ବଡ଼ ଭୂମିକା ନେବେ। ଏଥିପାଇଁ ସେମାନଙ୍କୁ ବୈଠକରେ ଆବଶ୍ୟକ ପରାମର୍ଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ‘ବାଲ୍ୟ ବିବାହକୁ ନା କହିବା’ ଉପରେ ଏକ ଅଭିଯାନ ଆରମ୍ଭ କରାଯାଇଛି। ଏହାକୁ ଜିଲ୍ଲାରେ କାର୍ଯ୍ୟକାରୀ କରିବା ଲାଗି ‘ସଖି ସହେଲି’ ଏବଂ ‘ସଖା ବନ୍ଧୁ’ମାନଙ୍କୁ କୁହାଯାଇଛି। ବାଲ୍ୟ ବିବାହ ମୁକ୍ତ ଗାଁ ଏବଂ ଗ୍ରାମପଞ୍ଚାୟତ କିପରି ଗଠନ ହୋଇପାରିବ ସେ ଦିଗରେ ଅଧିକ ଯତ୍ନଶୀଳ ହେବା ଲାଗି ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଛି।

ଅଙ୍ଗନବାଡ଼ି କେନ୍ଦ୍ର ସ୍ତରରେ ସପ୍ତାହରେ ଥରେ ଅଦ୍ୱିକା କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସ୍ଥାନୀୟ ଅଞ୍ଚଳର କିଶୋରୀ ବାଳିକାମାନଙ୍କୁ ବ୍ୟକ୍ତିଗତ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ପରିଚ୍ଛନ୍ନତା, ଆର୍ଥିକ ସାକ୍ଷରତା, ସୁରକ୍ଷା ଆଦି ବିଷୟରେ ସଚେତନ କରାଯାଉଛି।

ଏଥିରେ ‘ସଖି ସହେଲି’ ଏବଂ ‘ସଖା ବନ୍ଧୁ’ମାନେ ନିୟମିତ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ‘ଅଦ୍ୱିକା’ଆପର ବ୍ୟବହାର ସମ୍ପର୍କରେ ସେମାନଙ୍କୁ ବୁଝା ଯାଇଥିଲା। ତା’ଛଡ଼ା ଏହି ବୈଠକରେ ଶିଶୁମାନଙ୍କର ଶିକ୍ଷା, ସୁରକ୍ଷା ଏବଂ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସଖି ସହେଲି’ ଏବଂ ‘ସଖା ବନ୍ଧୁ’ମାନେ ବାଲ୍ୟ ବିବାହ ରୋକିବା ବେଳେ ଆସୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଉପସ୍ଥାପନ କରିଥିଲେ। ବୈଠକରେ ଉପସ୍ଥିତ ଥିବା ଅଧିକାରୀ ଏବଂ ସାମାଜିକ କର୍ମୀମାନେ ଏହାର ସମାଧାନର ରାସ୍ତା ସେମାନଙ୍କୁ ବତାଇଥିଲେ। ଶେଷରେ ନିଜ ନିଜ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ଦିଗରେ ବିଶେଷ ପଦକ୍ଷେପ ନେବା ପାଇଁ ସମସ୍ତେ ସଙ୍କଳ୍ପ ନେଇଥିଲେ।

ଜିଲ୍ଲାସ୍ତରୀୟ ଏହି ବୈଠକରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା, ଆଇସିଡିଏସ ପ୍ରୋଗ୍ରାମ ଅଫିସର ଚୁଲେଶ୍ୱରୀ ପଟେଲ, ସ୍ୱେଚ୍ଛାସେବୀ ସଙ୍ଗଠନ ଆକ୍ସନଏଡର ଜିଲ୍ଲା ସଂଯୋଜିକା ମିନାକ୍ଷୀ ପ୍ରଧାନଙ୍କ ସହିତ ସିଡିପିଓ, ଆଇସିଡିଏସ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀମାନେ ଯୋଗ ଦେଇଥିଲେ।

Tags: #BalyaBibahaPratirodhMancha #SayNoToChildMarriage #SakhiSahele #SakhaBandhu #DistrictLevelMeeting #Sundargarh

Comment