ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସୋମବାର ସ୍ଥାନୀୟ ମିଶନ ଶକ୍ତି କକ୍ଷରେ ଆୟୋଜିତ ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଓ ବିକାଶମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା।

ଏହି ଅବସରରେ ‘ମୋ ଉପକାରୀ ବଗିଚା’ ପ୍ରକଳ୍ପର ସମୀକ୍ଷା କରି କାର୍ଯ୍ୟର ଆଶାନୁରୂପକ ଅଗ୍ରଗତି ହୋଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ନବରଙ୍ଗପୁର ଜିଲ୍ଲାପାଳ। ତେଣୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ।

ଏଥିସହିତ ବୈଠକରେ କୋଭିଡ-୧୯ ପାଇଁ ଆଗକୁ ହେବାକୁ ଥିବା ଜିଲ୍ଲାସ୍ତରୀୟ ଟିକାକରଣ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବିଶଦ ଭାବରେ ଆଲୋଚନା କରାଯିବା ସହିତ ପାୱାରପଏଣ୍ଟ ମାଧ୍ୟମରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ-୧୯ର ମାର୍ଗଦର୍ଶିକା ପାଳନ କରିବା ସହିତ ବିଭାଗୀୟ ଏସଓପି ପାଳନ କରି ଜିଲ୍ଲାରେ ସ୍କୁଲ ଖୋଲିବା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ।

ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ସମେତ ନୋଡାଲ ଅଧିକାରୀ ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ଏବଂ ଜିଲ୍ଲାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment