ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁନିସେଫ ଇଣ୍ଡିଆର ‘ନାସନାଲ ଆମ୍ବାସଡର’ ଭାବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ନିଯୁକ୍ତ କରାଯାଇଛି। ଫେବ୍ରୁଆରି ୧୮ ତାରିଖରେ ୟୁନିସେଫ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମ୍ୟାକ୍ କାଫ୍ରେ ଏହି ସୂଚନା ଦେଇଛନ୍ତି। ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଆୟୁଷ୍ମାନ ୟୁନିସେଫ ସହ ହାତ ମିଳାଇ ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ଲାଗି କାମ କରିବେ।

ଦିଲ୍ଲୀଠାରେ ୟୁନିସେଫ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଖୁରାନା କହିଛନ୍ତି ଯେ, “ୟୁନିସେଫ ଇଣ୍ଡିଆର ‘ନାସନାଲ ଆମ୍ବାସଡର’ ଭାବେ ନିଯୁକ୍ତ ହୋଇ ଶିଶୁଙ୍କ ଅଧିକାର ପାଇଁ ଲଢ଼ିବାକୁ ମତେ ସୁଯୋଗ ମିଳିଛି। ଭାରତରେ ଶିଶୁ ଏବଂ କିଶୋରଙ୍କ ଅଧିକାର ପାଇଁ କାମ କରିବାକୁ ମୁଁ ସବୁବେଳେ ପ୍ରାଥମିକତା ଦେଇଆସୁଛି।”

ୟୁନିସେଫ ସେଲିବ୍ରିଟି ଆଡଭୋକେଟ ହିସାବରେ ଅୟୁଷ୍ମାନ ଦୁଇ ବର୍ଷ ହେଲା କାମ କରୁଛନ୍ତି। ଏହି ସମୟରେ ସେ ଇଣ୍ଟରନେଟ ସୁରକ୍ଷା, ସାଇବର ବୁଲିଂ, ମେଣ୍ଟାଲ ହେଲଥ ଏବଂ ଲିଙ୍ଗଗତ ସମାନତା ବିଷୟରେ ପିଲାମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଏ ଦିଗରେ ସେଚେତନ କରିଥିବା କହିଛନ୍ତି। ୟୁନିସେଫ ସହ ଏହି ନୂତନ ଦାୟିତ୍ଵ ଦ୍ଵାରା ସେ ଶିଶୁଙ୍କ ଅଧିକାର ପାଇଁ ସେମାନଙ୍କ ସ୍ଵର ସାଜିବେ ବୋଲି କହିଛନ୍ତି ଆୟୁଷ୍ମାନ ଖୁରାନା।

‘ନାସନାଲ ଆମ୍ବାସଡର’ ଭାବେ ନିଯୁକ୍ତ ହେବା ପରେ ୟୁନିସେଫର ଭାରତ ପ୍ରତିନିଧି ସିନ୍ଥିଆ ମ୍ୟାକ୍ କାଫ୍ରେ ଆୟୁଷ୍ମାନ ଖୁରାନାଙ୍କୁ ସ୍ଵାଗତ କରିଥିଲେ।

ସିନ୍ଥିଆ କହିଥିଲେ, “ଆୟୁଷ୍ମାନ ଖୁରାନାଙ୍କୁ ୟୁନିସେଫ ଇଣ୍ଡିଆର ‘ନାସନାଲ ଆମ୍ବାସଡର’ ଭାବେ ସ୍ୱାଗତ କରି ମୁଁ ବେଶ ଉତ୍ସାହିତ। ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ୟୁନିସେଫର ସେଲିବ୍ରିଟି ଆଡଭୋକେଟ ଭାବେ ନିଯୁକ୍ତ ହୋଇଥିବା ଆୟୁଷ୍ମାନ ଖୁରାନା ଗତ ଦୁଇ ବର୍ଷ ମଧ୍ୟରେ ଏ ଦିଗରେ ବହୁତ ଭଲ କାମ କରିଛନ୍ତି। ବର୍ତ୍ତମାନ ମିଳିଥିବା ନୂଆ ଦାୟିତ୍ୱକୁ ମଧ୍ୟ ସେ ବେଶ୍ ଭଲ ଭାବେ ତୁଲାଇ ପାରିବେ ବୋଲି ମୋର ବିଶ୍ୱାସ। ଆୟୁଷ୍ମାନ ବଲିଉଡର ଜଣେ ଆଗଧାଡ଼ିର କଳାକାର ହୋଇଥିବାରୁ ତାଙ୍କର ସ୍ଵର ଶିଶୁମାନଙ୍କ ସୁରକ୍ଷା ଏବଂ ଅଧିକାର କ୍ଷେତ୍ରରେ ବେଶ ପ୍ରଭାବ ପକାଇ ପାରିବ।”

ଶିଶୁମାନଙ୍କ କ୍ଷେତ୍ରରେ ଦେଖା ଦେଉଥିବା ହିଂସାକୁ ରୋକିବା ଏବଂ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ଅଧିକାର ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ୨୦୨୦ ମସିହାରେ ଆୟୁଷ୍ମାନ ଖୁରାନା ‘ସେଲିବ୍ରିଟି ଆଡଭୋକେଟ’ ଭାବେ ନିଯୁକ୍ତି ପାଇଥିଲେ।

ବିଶ୍ୱ ଶିଶୁ ଦିବସ, ଅନ୍ତର୍ଜାତୀୟ ମହିଳା ଦିବସ, ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ, ଶିଶୁ ଶ୍ରମିକ ନିରୋଧ ଦିବସ ଏବଂ ନିରାପଦ ଇଣ୍ଟରନେଟ୍ ଦିବସରେ ଆୟୁଷ୍ମାନଙ୍କ ସକ୍ରିୟ ଅଂଶଗ୍ରହଣ ଜନସାଧାରଣଙ୍କୁ ବିଶେଷ ଭାବେ ଆକର୍ଷିତ କରିପାରିଛି।

tags: #UNICEF #UNICEFIndia #NationalAmbassadorNICEFIndia #NationalAmbassadorNICEFIndia

Comment