ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଜଳବାୟୁ ପରିବର୍ତ୍ତନ ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର, ଜଙ୍ଗଲ କ୍ଷୟ, ମାତ୍ରାଧିକ ପ୍ରଦୂଷଣ ପରିବେଶକୁ ପ୍ରଭାବିତ କରିବା ସହ ଅନେକ ପ୍ରାକୃତିକ ବିପର୍ଯ୍ୟୟର କାରଣ ମଧ୍ୟ ପାଲଟିଛି। ତେଣୁ ଏହାର ମୁକାବିଲା କରିବା ସହ ଏକ ସୁସ୍ଥ ଏବଂ ସୁନ୍ଦର ଭବିଷ୍ୟତ ପାଇଁ ଏବେଠୁ ଉଦ୍ୟମ କରାଯିବା ଆବଶ୍ୟକ। ବିଶେଷ କରି ଯୁବପିଢ଼ି ଏ ଦିଗରେ ନେତୃତ୍ୱ ନେବା ଦରକାର। ଭୁବନେଶ୍ୱରଠାରେ ଆୟୋଜିତ ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’ରେ ଏହି ମତ ପ୍ରକାଶ ପାଇଛି।

ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’। ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରାଳୟ, ୱାଇ ୨୦, ଜି ଟ୍ୱେଣ୍ଟି ଏବଂ କେତେକ ୟୁଏନ୍ ଏଜେନ୍ସିର ସହଭାଗିତାରେ ଆୟୋଜିତ ଏହି ସ୍ୱତନ୍ତ୍ର ସମ୍ମିଳନୀ ଅଗଷ୍ଟ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। 

ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୫୦ରୁ ଅଧିକ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏଥିରେ ଜଳବାୟୁ ପରିବର୍ତ୍ତନ, ଯୁବପିଢ଼ିଙ୍କ ଭୂମିକା, ମିଳିତ ଜାତିସଂଘ ଓ ସରକାରଙ୍କ ବିଭିନ୍ନ ନୀତି, ଚଳିତ ବର୍ଷ ନଭେମ୍ବରରେ ଆୟୋଜିତ ହେବାକୁ ଥିବା କନଫରେନ୍ସ ଅଫ୍ ପାର୍ଟିଜ୍ (ସିଓପି) ପାଇଁ ରୋଡମ୍ୟାପ୍ ପ୍ରସ୍ତୁତି ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ୟନୁସେଫ୍ ଓଡ଼ିଶାର ଚିଫ୍ ଅଫ୍ ଫିଲ୍ଡ ଅଫିସ ୱିଲିୟମ ହାନଲନ ଯୋଗ ଦେଇ କହିଛନ୍ତି, ‘‘ଜଳବାୟୁ ପରିବର୍ତ୍ତନକୁ ଏକ ଆହ୍ୱାନ ନୁହେଁ ବରଂ ଏକ ସୁଯୋଗ ଭାବେ ଦେଖିବା ଦରକାର। କାରଣ ଏହା ଆମକୁ ଆଉ ଥରେ ଜୀବନଶୈଳୀ ବଦଳାଇବା, ପରିବେଶ ସୁରକ୍ଷା କଥା ଭାବିବା ଏବଂ ଜଙ୍ଗଲ ରକ୍ଷା ବିଷୟରେ ଚିନ୍ତା କରିବାକୁ ସୁଯୋଗ ଦେଉଛି। ଆଗାମୀ କାଲି ପାଇଁ ତଥା ଏକ ସ୍ଥାୟୀ ବିକାଶ ପାଇଁ ବାଟ ଦେଖାଉଛି।’’

‘‘ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଉପରେ ପଡ଼ୁଥିବା ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତେବେ ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍’ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପରିବେଶ ସୁରକ୍ଷା ଦିଗରେ ତୃଣମୂଳ ସ୍ତରରେ କାମ କରୁଥିବା ଯୁବଗୋଷ୍ଠୀମାନଙ୍କୁ ଏକାଠି କରାଯିବ। ଓଡ଼ିଶାର ଯୁବକ ଯୁବତୀମାନେ ନେଉଥିବା ପଦକ୍ଷେପ କିପରି ବିଶ୍ୱ ସ୍ତରକୁ ଯିବ ତାହା ଏହି ଅଭିଯାନର ଲକ୍ଷ୍ୟ ରହିଛି’’, କହିଛନ୍ତି ୟୁନିସେଫ୍ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା।

କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି କହିଛନ୍ତି, ‘‘ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସବୁଠି ଚିନ୍ତାର ବିଷୟ ପାଲଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୁବପିଢ଼ିଙ୍କର ସହଯୋଗ ନିହାତି ଆବଶ୍ୟକ। ଆସନ୍ତାକାଲିର ପୃଥିବୀର ସୁରକ୍ଷା ସେମାନଙ୍କ ହାତରେ ରହିଥିବାରୁ ଯୁବପିଢ଼ି ପରିବେଶ ସୁରକ୍ଷା ଲାଗି ଆଗେଇ ଆସିବା ଦରକାର।”

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ସ୍ୱାସ୍ଥ୍ୟପ୍ଲସର ସିଇଓ ସିଦ୍ଧାର୍ଥ ରଥ। ଏହି ଅବସରରେ ପ୍ରମୁଖ ଅତିଥିଙ୍କ ମଧ୍ୟରେ ରହିଥିଲେ ଭୁବନେଶ୍ୱର ସ୍ଥିତ ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ଫାଉଣ୍ଡେସନର ଅଟଳ ଇନକ୍ୟୁବେସନ ସେଣ୍ଟରର ଚିଫ୍ ଅପରେଟିଂ ଅଫିସର ଦୁର୍ଗାପ୍ରସାଦ ଗୌଡ଼, ୱାଇ ଟ୍ୱେଣ୍ଟି ଇଣ୍ଡିଆର ଅନମୋଲ ସୋଭିତ, ରୋଟାରି ଇଣ୍ଟରନ୍ୟାସନାଲ ପକ୍ଷରୁ ଜୟଶ୍ରୀ ମହାନ୍ତି, ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ ଓ ନୈନା ଦାସ ପ୍ରମୁଖ। ଶେଷରେ ୟୁନିସେଫ୍ ଓଡ଼ିଶାର କେଏମ୍ କନସଲ୍ଟାଣ୍ଟ୍ ଅନ୍ୱେଷା ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #OdishaConferenceOfYouth2023 #ClimateChangeAndEnvironment #UNICEF #Youth4WaterPlus

Comment