ଓଡ଼ିଶାଲାଇଭ୍ ବ୍ୟୁାରୋ

ଋତୁସ୍ରାବ ସମ୍ପର୍କିତ ସ୍ଵାସ୍ଥ୍ୟ ଏବଂ ପରିଚ୍ଛନ୍ନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍ ସହଯୋଗରେ ଭୁବନେଶ୍ଵରସ୍ଥିତ ଭାରତୀୟ ଜନସ୍ଵାସ୍ଥ୍ୟ ପ୍ରତିଷ୍ଠାନ ଦ୍ଵାରା ଏକ କର୍ମଶାଳା ହୋଇଯାଇଛି। ଏହି ଅବସରରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ଓଡ଼ିଶା ଋତୁସ୍ରାବ ସ୍ଵାସ୍ଥ୍ୟ ଏବଂ ପରିଚ୍ଛନ୍ନତା ନୀତି’ ପ୍ରସ୍ତାବକୁ ଉନ୍ମୋଚନ କରିଥିଲେ।

ମହିଳା ଏବଂ କିଶୋରୀ ବାଳିକାମାନେ ମନରେ କୌଣସି ଦ୍ଵିଧା ବା ସଙ୍କୋଚ ନରଖି କିପରି ମୁକ୍ତ ଭାବରେ ସ୍ଵାସ୍ଥ୍ୟ ଏବଂ ପରିଚ୍ଛନ୍ନତା ସହ ଋତୁସ୍ରାବ ସମୟକୁ ଅତିବାହିତ କରିବେ ତାହା ହେଉଛି ଏହି ପ୍ରସ୍ତାବର ମୂଳ ଲକ୍ଷ୍ୟ।

ଏହି କର୍ମଶାଳାରେ ସମ୍ମାନୀୟ ଅତିଥି ଭାବେ କାଦମ୍ବିନୀ ମିଡିଆର ନିର୍ଦ୍ଦେଶିକା ଡକ୍ଟର ଇତି ରାଣୀ ସାମନ୍ତ, କଳିଙ୍ଗ ଇନଷ୍ଟିଚ୍ୟୁଟର ପ୍ରକଳ୍ପ ଉପନିର୍ଦ୍ଦେଶକ ସଂଘମିତ୍ରା ରାଏ, ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ ମହାନ୍ତି, ଆରଏମଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ଯୁଗ୍ମ ନିର୍ଦ୍ଦେଶିକା ରାଜଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

“ସହରାଞ୍ଚଳରେ ଥିବା ବସ୍ତିଗୁଡ଼ିକରେ କିଶୋରୀ ଏବଂ ମହିଳାମାନଙ୍କୁ ଋତୁସ୍ରାବ ସମ୍ପର୍କିତ ସ୍ଵାସ୍ଥ୍ୟ ଓ ସ୍ଵଚ୍ଛତା ଉପରେ ସଚେତନ କରାଇବାର ଆବଶ୍ୟକତା ରହିଛି। ଆଜିବି ଏମିତି ଅଞ୍ଚଳ ରହିଛି ଯେଉଁଠି କିଶୋରୀମାନେ ଋତୁସ୍ରାବ ସ୍ଵାସ୍ଥ୍ୟ ବିଷୟରେ ବିଶେଷ କିଛି ଜାଣିନାହାନ୍ତି। ଏଭଳି ସ୍ଥଳରେ ମା’ମାନେ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ସାଙ୍ଗସାଥୀମାନେ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେମାନଙ୍କ ମାର୍ଗଦର୍ଶନରେ ଜଣେ କିଶୋରୀ ଏହି ସମୟକୁ ଭଲ ଭାବେ ଅତିକ୍ରମ କରିପାରିବେ”, କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।

“କେବଳ ସହରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ସୀମିତ ନରଖି ଗାଁ ଗହଳିର କିଶୋରୀ, ଯୁବତୀ ଓ ମହିଳାମାନଙ୍କୁ ଋତୁସ୍ରାବ ଜନିତ ଶିକ୍ଷା ଉପରେ ଗୁରୁତ୍ଵ ଦେବା ଉଚିତ। ଗାଁରେ ରହୁଥିବା ପୁରୁଷମାନଙ୍କୁ ମଧ୍ୟ ଋତୁସ୍ରାବ ସମ୍ପର୍କିତ ସ୍ଵାସ୍ଥ୍ୟ ଏବଂ ପରିଚ୍ଛନ୍ନତା ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକ ରହିଛି। ଯାହା ଫଳରେ ସମାଜରେ ଋତୁସ୍ରାବକୁ ନେଇ ଥିବା ବିଭିନ୍ନ ଅନ୍ଧବିଶ୍ଵାସକୁ ଦୂର କରିବାରେ ସେମାନେ ସହଯୋଗ କରିବେ” କହିଛନ୍ତି କାଦମ୍ବିନୀ ମିଡିଆର ନିର୍ଦ୍ଦେଶିକା ଇତି ରାଣୀ ସାମନ୍ତ।

ଏହାସହ ଆରଏମଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ଯୁଗ୍ମ ନିର୍ଦ୍ଦେଶିକା ରାଜଶ୍ରୀ ପଟ୍ଟନାୟକ ଋତୁସ୍ରାବକୁ ନେଇ ସମାଜରେ ଥିବା ବିଭିନ୍ନ ଭ୍ରାନ୍ତଧାରଣା ବିଷୟରେ ଆଲୋଚନା କରିଥିଲେ। ଋତୁସ୍ରାବ ସମୟରେ ମହିଳାମାନଙ୍କୁ ରୋଷେଇ ଏବଂ ପୂଜାପାଠ କରିବାକୁ ବାରଣ କରାଯାଇଥାଏ। ଆଜି ଶିକ୍ଷିତ ସାମଜରେ ଏସବୁ ଧାରଣାକୁ ପଛରେ ପକାଇ ଆଗକୁ ବଢ଼ିବାର ସମୟ ଆସିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅନ୍ୟ ଅତିଥିମାନଙ୍କ ଦ୍ଵାରା ଋତୁସ୍ରାବ ସମ୍ପର୍କିତ ସ୍ଵାସ୍ଥ୍ୟ ଏବଂ ସ୍ଵଚ୍ଛତା ପଲିସି ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମହିଳାମାନେ ଋତୁସ୍ରାବ ସମୟରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ୟୁନିସେଫର ଅଧିକାରୀ ଏବଂ ଭାରତୀୟ ଜନସ୍ଵାସ୍ଥ୍ୟ ପ୍ରତିଷ୍ଠାନ ଅଧ୍ୟାପକ/ଅଧ୍ୟାପିକାମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।

ମାସିକ ଋତୁସ୍ରାବ ବା ପିରିୟଡସକୁ ନେଇ ପୁରୁଷମାନେ ତ ଦୂରର କଥା ଏବେବି ଅନେକ ଘରେ ମହିଳାମାନେ ଖୋଲାଖୋଲି କଥା ହେବାକୁ ସଙ୍କୋଚ କରୁଛନ୍ତି। ଗ୍ରାମାଞ୍ଚଳର କିଶୋରୀ ବାଳିକା ଏବଂ ମହିଳାଙ୍କ ହାତ ପାଆନ୍ତାରେ ସାନିଟାରି ପ୍ୟାଡ ପହଞ୍ଚି ପାରୁନାହିଁ। ସହରାଞ୍ଚଳର ବସ୍ତିଗୁଡ଼ିକରେ ମଧ୍ୟ ମହିଳାଙ୍କ ପାଇଁ ଏହା ଏକ ଆହ୍ଵାନ ହୋଇ ରହିଛି।

ଋତୁସ୍ରାବ ସମ୍ପର୍କିତ ସ୍ଵାସ୍ଥ୍ୟ ଏବଂ ସ୍ଵଚ୍ଛତା ବାବଦରେ ଓଡ଼ିଶାରେ ଅନେକ କଥା କରିବାକୁ ବାକି ଅଛି। ଏ ଦିଗରେ ୟୁନିସେଫ ସହଯୋଗରେ ଭାରତୀୟ ଜନସ୍ଵାସ୍ଥ୍ୟ ପ୍ରତିଷ୍ଠାନ ଦ୍ଵାରା ପ୍ରସ୍ତୁତ ‘ଓଡ଼ିଶା ଋତୁସ୍ରାବ ସ୍ଵାସ୍ଥ୍ୟ ଏବଂ ପରିଚ୍ଛନ୍ନତା ନୀତି’ ପ୍ରସ୍ତାବ ଗୁରୁତ୍ଵ ବହନ କରିବ। ଆଗାମୀ ଦିନରେ ଏହା କିଶୋରୀମାନଙ୍କ ସ୍ଵାସ୍ଥ୍ୟରକ୍ଷା ଦିଗରେ ନିଶ୍ଚୟ ବଡ଼ ଭୂମିକା ଗ୍ରହଣ କରିବ।

Tags: #OdishaMenstrualHealth&HygienePolicy #Menstruation #Health #Hygiene #UNICEF #IIPH #Odisha

Comment