ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟକୁ ଦୋହାଲାଇ ଦେଇଥିଲା ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା। ଏହାକୁ ନେଇ ରାଜ୍ୟ ସାରା ପ୍ରତିବାଦର ନିଆଁ ଜଳୁଥିବା ବେଳେ ପୁଣି ଆସିଲା ପୁରୀ ଜିଲ୍ଲା ବଳଙ୍ଗାରୁ ଆଉ ଘଟଣା। ଏହି ଦୁଇଟି ଘଟଣା ମନରୁ ନଯାଉଁଣୁ ଆଜି ପୁଣି ନିଆଁରେ ଜଳି ପ୍ରାଣ ହରାଇଛନ୍ତି ଆଉ ଜଣେ ଛାତ୍ରୀ।
ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡ଼ା ଅଞ୍ଚଳର। ପରିବାର ଲୋକ ଘରେ ନଥିବା ଅବସ୍ଥାରେ ଜଣେ ଛାତ୍ରୀ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ।
ମୃତକଙ୍କ ବାପାଙ୍କ କହିବା ଅନୁଯାୟୀ, କିଛି ଦିନ ହେଲା ଜଣେ ଯୁବକ, ଛାତ୍ରୀଙ୍କୁ ବ୍ଲାକମେଲ କରିଆସୁଥିଲେ। ଏନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ପୋଲିସ ଏତଲା ରଖିନଥିଲା। ଏହାକୁ ନେଇ ଛାତ୍ରୀ ଜଣଙ୍କ ମାନସିକ ଚାପରେ ରହୁଥିଲେ। ବାରମ୍ବାର ବ୍ଲାକମେଲର ଶିକାର ହୋଇ ଶେଷରେ ଛାତ୍ରୀ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।
ଏପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତା’ ଉପରୁ ପରଦା ହଟିବ ବୋଲି ପୋଲିସ କହିଛି।
Tags: #Suicide #Death #Pattamundai #Kendrapara

















