ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ‘ଆମ ଶାସନ’। ଲୋକସେବା ଭବନଠାରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ଵାରା ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚୁଛି କି ନାହିଁ, ସେ ବାବଦରେ ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ କରାଯିବ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ଵାରା ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଲୋକସେବାରେ ସ୍ଵଚ୍ଛତା ଆଣିବା ଏବଂ ସରକାରୀ ସଂସ୍ଥା ଏବଂ ହିତାଧିକାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।  

ଏଥିପାଇଁ ବିଶେଷ ଭାବେ ମତାମତ ସଂଗ୍ରହଣ କରିବା ନିମନ୍ତେ ‘ଆମ ଶାସନ’ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ହିତାଧିକାରୀମାନେ ଯେକୌଣସି ନିର୍ଦ୍ଦିଷ୍ଟ ସେବା ବିଷୟରେ ଟେଲିଫୋନ, ହ୍ୱାଟ୍ସ ଆପ, ଓ୍ଵେବସାଇଟ, ସୋସିଆଲ ମିଡିଆ ଓ ମୋବାଇଲ ଆପ ମାଧ୍ୟମରେ ସିଧାସଳଖ ମତାମତ ଦେଇପାରିବେ। ଏହାସହ ଟୋଲଫ୍ରି ନମ୍ବର ୧୪୪୭୧କୁ କଲ କରି ନିଜର ମତାମତ ଜଣାଇପାରିବେ।

ଏହି ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀମାନେ ସରକାରଙ୍କ ଦ୍ଵାରା ଉପଲବ୍ଧ ସେବା ସମ୍ପର୍କରେ ନିଜର ମତାମତା ଓ ଅନୁଭୂତି ସିଧାସଳଖ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ପରିପ୍ରକାଶ କରିପାରିବେ।

ଏହା ସହ ସ୍ଵତନ୍ତ୍ର ଭାବେ ଏକ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି, ଯାହା ଦ୍ଵାରା ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀ କ୍ଷେତ୍ର ପରିଦର୍ଶନ ସମୟରେ ମତାମତ ସଂଗ୍ରହ କରିପାରିବେ। ହିତାଧିକାରୀମାନଙ୍କୁ ସିଧାସଳଖ ସେବା ଯୋଗାଉଥିବା ଜନକଲ୍ୟାଣ ଯୋଜନା ଓ ଲୋକସେବାକୁ ତଦାରଖ କରୁଥିବା ସମସ୍ତ ବିଭାଗକୁ ଏହି ପ୍ଲାଟଫର୍ମରେ ସାମିଲ କରାଯିବ।

Tags: #AmaShasana #CMOdisha #MohancharanMajhi #AmaShasanaPortal #Odisha

Comment