ଓଡ଼ିଶାଲାଇଭ୍ ବ୍ୟୁରୋ

ସୁବର୍ଣ୍ଣରେଖାର ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଛି ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର, ଭୋଗରାଇ ଏବଂ ବାଲିଆପାଳ ବ୍ଲକର ଶହେରୁ ଅଧିକ ଗାଁ। ଏପଟେ ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକର ୭୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଜଳବନ୍ଦୀ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ଲୋକେ।
ଉଭୟ ନଦୀର ଜଳସ୍ତର ଧୀରେ ଧୀରେ କମୁଥିବାବେଳେ ବଢ଼ିଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା। ବନ୍ୟା ଯୋଗୁଁ ଜଳେଶ୍ଵର ବ୍ଲକର ୭ଟି ପଞ୍ଚାୟତର ୨୨ଟି ଗାଁ ପାଣି ଘେରରେ ରହିଛି। ସେହିପରି ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ୩୦ରୁ ଅଧିକ ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ୧୦ଟି ଯନ୍ତ୍ରଚାଳିତ ଡଙ୍ଗା, ୫ଟି ଦେଶୀ ଡଙ୍ଗା ନିୟୋଜିତ ହୋଇଛି। ଦୁଇଟି ପଞ୍ଚାୟତର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି।
ଭୋଗରାଇ ବ୍ଲକର ୧୧ଟି ପଞ୍ଚାୟତର ୫୨ରୁ ଅଧିକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ୯ଟି ପଞ୍ଚାୟତରେ ଶୁଖିଲା ଖାଦ୍ୟ ଦିଆଯାଇଥିବା ବେଳେ ୩ଟି ପଞ୍ଚାୟତରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।
ସେହିପରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଭଣ୍ଡାରିପୋଖରୀ ବ୍ଲକର ୫ଟି ପଞ୍ଚାୟତର ୩୨ଟି ଗାଁରେ ପାଣି ପଶିଥିବା ବେଳେ ପ୍ରଭାବିତ ହୋଇଛନ୍ତି ୩୦ ହଜାର ଲୋକ। ବନ୍ୟାପାଣିରେ ବୁଡ଼ିଛି ୬ ହଜାର ହେକ୍ଟରରୁ ଅଧିକ ଚାଷଜମି। ଧାମନଗର ବ୍ଲକର ୪ଟି ପଞ୍ଚାୟତର ୪୫ ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି।
ଯାଜପୁର ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା। ଜିଲ୍ଲାର ୧୪ଟି ପଞ୍ଚାୟତର ୪୬ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। କାଣି ନଦୀରେ ଘାଇ ସୃଷ୍ଟି ହେବାରୁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ସ୍କୁଲ ସହ ଅନ୍ୟାନ୍ୟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି।
କେବଳ ମଣିଷ ନୁହଁନ୍ତି ପଶୁ ପକ୍ଷୀ ମଧ୍ୟ ବନ୍ୟା ଯୋଗୁଁ ଅଖିଆ ଅପିଆ ରହିଛନ୍ତି। ଯେଉଁ ଆଡ଼କୁ ଚାହିଁବ ଖାଲି ପାଣି ହିଁ ପାଣି ଦେଖିବାକୁ ମିଳୁଛି। ପୁଣି ଏକ ଲଘୁଚାପର ସମ୍ଭାବନା ରହିଥିବାରୁ ଏହାକୁ ନେଇ ବନ୍ୟା ପ୍ରଭାବିତଙ୍କ ଛାତିରେ ଛନକା ପଶିଛି।
ଏପଟେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି କମିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।
Tags: #Flood #Balasore #Bhadrak #Jajpur #Odisha


















