ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧୀନରେ ହେଉଥିବା ରାଜ୍ୟବ୍ୟାପୀ ଏକ ଦିବସୀୟ ସମୂହ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଉପଲକ୍ଷେ ବୁଧବାର ଦିନ ଭୁବନେଶ୍ୱରସ୍ଥିତ ଏକାମ୍ର ମହାବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଚାରା ରୋପଣ କରିବା ସହ ପରିବେଶ ସୁରକ୍ଷା ନିମନ୍ତେ ବାର୍ତ୍ତା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଜି ସାରା ଦେଶରେ ‘ଏକ୍ ପେଡ୍ ମା’ କୋ ନାମ୍’ ଅଭିଯାନ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୬.୭୨ କୋଟି ଚାରା ରୋପଣ କରାଯାଇଥିଲା। ଚଳିତ ବର୍ଷ ‘ଏକ୍ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ରାଜ୍ୟରେ ୭.୫ କୋଟି ଚାରା ରୋପଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।”
ଏହି ଅଭିଯାନରେ ସାମିଲ ହୋଇ ଜନ୍ମଦାତ୍ରୀ ମା’ଙ୍କୁ ସମ୍ମାନ ଜଣାଇବା ସହ ଧରିତ୍ରୀ ମା’ର ସୁରକ୍ଷା ନିମନ୍ତେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ଉପସ୍ଥିତ ପ୍ରମୁଖ ଅତିଥି, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଏନସିସି ତଥା ସ୍କାଉଟ୍ ଏବଂ ଗାଇଡ୍ କ୍ୟାଡେଟ୍, ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସମୂହ ଚାରାରୋପଣ କରିଥିଲେ।
କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ସୁରେଶ ପନ୍ତ, ଅତିରିକ୍ତ ବନ ବାହିନୀ ମୁଖ୍ୟ କେ ମୃଗେସନ, ପିସିସିଏଫ୍ କେନ୍ଦୁଲିଫ୍ ଉମା ନନ୍ଦୁରୀ, ପିସିସିଏଫ୍ ୱାଇଲ୍ଡଲାଇଫ୍ ପ୍ରେମ କୁମାର ଝା, କାମ୍ପା ଓଡ଼ିଶାର ସିଇଓ ଜି ରାଜେଶ, ଆରସିସିଏଫ୍ ଭୁବନେଶ୍ୱର ଏମ୍ ଯୋଗଜୟାନନ୍ଦ ତଥା ଏକାମ୍ର ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରାଜଶ୍ରୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
Tags: #EkPedMaaKeNaam #OdishaPlants75LakhTree #OdishaPlants4Mother #CMOdisha #MohanCharanMajhi


















