ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ଚଳିତ ବର୍ଷର ‘ବସନ୍ତ ମୁଦୁଲି କବିତା ପୁରସ୍କାର’। ଆସନ୍ତା ନଭେମ୍ବର ୨ ତାରିଖରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ହେବାକୁ ଥିବା ବସନ୍ତ ମୁଦୁଲି ସ୍ମୃତି ସମାରୋହ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏନେଇ ବସନ୍ତ ମୁଦୁଲି ସ୍ମୃତି ସଂସଦର ସଂପାଦକ କୃଷ୍ଣ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ସଂସଦର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ପୁରସ୍କାର ଚୟନ କମିଟି ବୈଠକ ବସିଥିଲା। ବୈଠକରେ ରାଜ୍ୟର ୪୩ ଜଣ ବରିଷ୍ଠ କବିମାନଙ୍କଠାରୁ ଆସିଥିବା ସୁପାରିଶ କ୍ରମେ କବି ଅମରେନ୍ଦ୍ର ମାଧବ ଦାଶଙ୍କୁ ଚଳିତ ବର୍ଷ ପୁରସ୍କାର ପ୍ରଦାନ ନିମନ୍ତେ ଚୟନ କରାଯାଇଛି।

ବୈଠକରେ ପ୍ରାକ୍ତନ ସଭାପତି ରଜନୀକାନ୍ତ ମହାନ୍ତି, ଆବାହକ ଅରୁଣ ଖିଲାର, କାର୍ଯ୍ୟକାରୀ ସଭାପତି ନିରାକାର ଦାସ, ଉପସଭାପତି କିଶୋର ପାଣିଗ୍ରାହୀ, ଯୁଗ୍ମ ସଂପାଦକ ଅମିତାଭ ଖିଲାର, କବିପୁତ୍ର ପାର୍ଥସାରଥୀ ମୁଦୁଲିଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

କବି ଅମରେନ୍ଦ୍ର ମାଧବ ଦାଶଙ୍କର ୭ଟି କବିତା ପୁସ୍ତକ ‘ଢେର ରାତି ହେଲାଣି’, ‘କାନ୍ଦକାନ୍ଦ ମଣିଷ’, ‘ଚିତ୍ର ଆଙ୍କୁଥିବା ପୁଅ’, ‘ଶବ୍ଦ’ ଓ ‘ଅଯୋଧ୍ୟା’, ‘କବିତା ଧାଡ଼ି ବାହାରେ’ ଆଦି ପାଠକୀୟ ଆଦ୍ରୁତି ଲାଭ କରିଛି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ଅମରେନ୍ଦ୍ର ଦାଶ ‘ଯୁବ କବି’ ସମ୍ମାନ ସହ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ‘ସୁବ୍ରତ ରଥ’ ସମ୍ମାନ ପାଇଛନ୍ତି।

Tags: #AmarendraMadhabDash #BasantaMuduliKabitaPurasar #poet #Writer #Odisha

Comment