ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ୩ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଖଲିପଡ଼ିଥିବା ଏହି ପଦବୀରେ ନୂଆ ନିଯୁକ୍ତି ହୋଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ, ଲଘୁ ଖଣିଜ ନିର୍ଦ୍ଦେଶକ ସମର୍ଥ ବର୍ମା ଏବଂ ଓଡ଼ିଶା ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶକ ସ୍ଵାଧାଦେବ ସିଂହଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି। ଏହି ତିନି ଅଧିକାରୀଙ୍କୁ ଅକ୍ଟୋବର ୧୩ ତାରିଖରେ ଦାୟିତ୍ଵ ମୁକ୍ତ କରାଯିବ। ଏହି କାରଣରୁ ଆଇଏଏସ ସ୍ତରରେ ଅଦଳ ବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଡିଏ ଉପାଧ୍ୟକ୍ଷ ଥିବା ଏନ ତିରୁମାଲା ନାଏକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ପର୍ଯ୍ୟଟନ ନିର୍ଦ୍ଦେଶକ ମାନସୀ ନିମ୍ଭାଲଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହା ସହିତ ସେ ଜଳସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ଵରେ ରହିବେ।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ଥିବା କାହ୍ନୁଚରଣ ଧୀରଙ୍କୁ ଲଘୁ ଖଣିଜ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରିଶ ଏସ୍ ଏନ୍ଙ୍କୁ ମିଶନ ଶକ୍ତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି।
ଭୁବନେଶ୍ଵର ମହାନଗର ନିଗମ (ବିଏମସି) କମିଶନର ଆଇଏଏସ ଚଞ୍ଚଳ କୁମାର ରାଣାଙ୍କୁ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ଵର ସ୍ମାର୍ଟସିଟି ଲିମିଟେଡର ପରିଚାଳାନା ନିର୍ଦ୍ଦେଶକ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର।
ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ସୁରନ୍ଦ୍ର କୁମାର ମୀନାଙ୍କୁ ଅନୁସୂଚିତ ଜନଜାତି ଓ ଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଅନୁସୂଚିତ ଜନଜାତି ଓ ଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଥିବା ପ୍ରେମଜିତ ନାୟକଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ଦାୟିତ୍ଵ ମିଳିଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଥିବା ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେ ଏସଆଇଆରଡିର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵରେ ରହିବେ।
ହକି ପ୍ରମୋସନ କାଉନସିଲର ସିଇଓ ଦୀପଙ୍କର ମହାପାତ୍ରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଛି। ସେ ମଧ୍ୟ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ।
ବୟନିକାର ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଗୃହ ବିଭାଗର ଅତିରିକ୍ତ ସଚିବ ନିବେଦିତା ପୃଷ୍ଟିଙ୍କୁ ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ହସ୍ତକଳା ନିର୍ଦ୍ଦେଶକ ଭାବେ ମଧ୍ୟ ଦୟିତ୍ଵ ତୁଲାଇବେ।
ସେହିପରି କ୍ରୁଟ ମ୍ୟାନେଜର (ପ୍ରଶାସନ) ସଞ୍ଜୟ କୁମାର ବିଶ୍ଵାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।
Tags: #IASReshuffle #IASOfficers #OdishaGovt#Odisha












