ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ। ବିଭିନ୍ନ ପଦବୀରୁ ବଦଳି ହୋଇଥିବା ପ୍ରଶାସନିକ ଅଧିକାରୀଙ୍କୁ ନୂଆ ପଦରେ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କ୍ରମରେ ପୁରୀ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଥିବା ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବେ ପୁରୀର ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ଵ ବହନ କରିଥିଲେ।

ସେହିପରି କଟକ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିବା ବିନୀତ ଭରଦ୍ୱାଜଙ୍କୁ ପାନୀୟ ଜଳ ଓ ପରିମଳ ଏବଂ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।

ଏହାସହ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ପାରୁଲ ପଟାୱାରୀଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର (ଓସେପା) ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ଯାଜପୁର ଜିଲ୍ଲାପାଳ ଥିବା ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ଏହା ପୂର୍ବରୁ ଶୁକ୍ରବାର ଦିନ ପାନୀୟ ଜଳ ଓ ପରିମଳ ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ କଟକର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ସେହିପରି ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲ ଏବଂ ଓଡ଼ିଶା ଜୀବିକା ମିଶନର ସଦସ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଅନୁପମ ଶାହାଙ୍କୁ ଜଗତସିଂହପୁରର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିଲା।

Tags: #IASOfficers #Collectors #ElectionCommissionofIndia #Odisha

LEAVE A REPLY

Please enter your comment!
Please enter your name here