ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନାହାନ୍ତି ବଲିଉଡର ଭେଟେରାନ ଅଭିନେତା ଗୋବର୍ଦ୍ଧନ ଅସରାନି। ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ଦେହାନ୍ତ ଖବର ବ୍ୟାପିବା ପୂର୍ବରୁ ସରିଯାଇଥିଲା ଅନ୍ତିମ ସଂସ୍କାର। ତାଙ୍କର ଅନ୍ତିମ ଯାତ୍ରାରେ ବଲିଉଡର କୌଣସି କଳାକାର ସାମିଲ ହୋଇନଥିଲେ। କେବଳ ଥିଲେ ପରିବାର ସଦସ୍ୟ ଓ କିଛି ବନ୍ଧୁ ପରିଜନ।

କାହିଁକି ଅସରାନିଙ୍କ ମୃତ୍ୟୁ ଖବର ପରିବାର ଲୋକ କାହାରିକୁ ଜଣାଇଲେ ନାହିଁ? ସେ ସମ୍ପର୍କରେ ତାଙ୍କ ପତ୍ନୀ ମଞ୍ଜୁ ଅସରାନି କହିଛନ୍ତି, ମୃତ୍ୟୁ ଖବର ପ୍ରଘଟ ନକରିବାକୁ, ନିଜେ ଅସରାନି ତାଙ୍କୁ କହିଥିଲେ। କାରଣ ସେ ଚାହୁଁନଥିଲେ ତାଙ୍କ ମୃତ୍ୟୁ ଖବର ପାଇଁ ଅନ୍ୟମାନଙ୍କ ଉତ୍ସବ ଖରାପ ହେଉ। ଶାନ୍ତ ପରିବେଶରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଉ। ତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ଅନ୍ତିମ ସଂସ୍କାର କରାଯାଇଥିବା କହିଛନ୍ତି ମଞ୍ଜୁ ଅସରାନି।

ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟ ଯୋଗୁଁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଧ୍ୟ ଅସରାନିଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି। ଅସରାନିଙ୍କ ମୃତ୍ୟୁ ଖବର ଫ୍ୟାନ୍ସମାନଙ୍କୁ ମର୍ମାହତ କରିଥିବା ବେଳେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

୧୯୪୧ ମସିହା ଜାନୁଆରି ୧ ତାରିଖରେ ଜୟପୁରଠାରେ ଜନ୍ମ ଗ୍ରହଣ କରିଥିବା ଅସରାନି ବଲିଉଡର ହାସ୍ୟ ଅଭିନେତା ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

୧୯୬୭ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ହରେ କାଁଚ କି ଚୁଡିୟାଁ’ ଜରିଆରେ ବଲିଉଡକୁ ଏଣ୍ଟ୍ରି କରିଥିଲେ ଅସରାନି। କମେଡି ସହ ପାର୍ଶ୍ଵ ଅଭିନେତା ଭାବେ ତାଙ୍କର ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା।

ବହୁ ଚର୍ଚ୍ଚିତ ହିନ୍ଦୀ ସିନେମା ‘ସୋଲେ’ ରେ ସେ ଜେଲର ଭାବେ ଅଭିନୟ କରିଥିଲେ। ‘ଅଭିମାନ’, ‘ଚୁପକେ ଚୁପକେ’, ‘ମେରେ ଅପନେ’, ‘ଭୁଲ ଭୁଲେୟା’ ଏବଂ ‘ଖଟା ମିଠା’ ଭଳି ଅନକେ ହିଟ୍ ସିନେମାରେ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି ସେ। ଚାରି ଶହରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଅସରାନି।

ପାଖାପାଖି ୪୦୦ ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ କମେଡି କିଙ୍ଗ୍ ଗୋବର୍ଦ୍ଧନ ଅସରାନି। ତାଙ୍କ ବିୟୋଗ ବଲିଉଡ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

Tags: #GowardhanAsrani #LegendryActor #Bollywood #Death

Comment