ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜୁରାଟ ହାଇକୋର୍ଟଙ୍କ ଐତିହାସିକ ରାୟ। ଏଣିକି ପିଲାଙ୍କ ପାସପୋର୍ଟ ନବୀକରଣ ପାଇଁ ଦରକାର ପଡ଼ିବନି ବାପାଙ୍କ ଅନୁମତି। ଏହି ରାୟ ଛାଡ଼ପତ୍ର ନେଇଥିବା ମା’ ଏବଂ ଏକକ ଅଭିଭାବକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

ବାପାଙ୍କ ବିନା ‘ନୋ-ଅବଜେକ୍ସନ ଅଫିଡେଭିଟ’ରେ ମା’ଙ୍କ ପାଖରେ ରହୁଥିବା ଦୁଇ ସନ୍ତାନଙ୍କ ପାସପୋର୍ଟ ନବୀକରଣ ପାଇଁ ଅନୁମତି ଦେଇଛନ୍ତି ଗୁଜରାଟ ହାଇକୋର୍ଟ।

’ଣ ଥିଲା ମାମଲା?

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ସ୍ଵାମୀଙ୍କଠାରୁ ଅଲଗା ହୋଇ ରହୁଥିବା ଜଣେ ମହିଳା ନିଜ ଦୁଇ ପିଲାଙ୍କ ପାସପୋର୍ଟ ନବୀକରଣ କରିବାକୁ ଅହମ୍ମଦାବାଦର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ (ଆରପିଓ)କୁ ଯାଇଥିଲେ। ତେବେ ବାପାଙ୍କ ‘ନୋ-ଅବଜେକ୍ସନ ଅଫିଡେଭିଟ’ ନଥିବାରୁ ପାସପୋର୍ଟ ନବୀକରଣ କରିବାକୁ ମନା କରିଦେଇଥିଲା ଆରପିଓ। ଏହାକୁ ବିରୋଧ କରି ମହିଳା ଜଣକ ଗୁଜରାଟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ମହିଳା ଜଣଙ୍କ ନିଜ ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କ ବଡ଼ ଝିଅ ନଭେମ୍ବର ୮ ତାରିଖରେ Scholastic Assessment Test (SAT) ଦେବାକୁ ଯିବେ। ଏହା ଆମେରିକାରେ ଉଚ୍ଚଶିକ୍ଷା ପାଇଁ ବାଧ୍ୟତାମୂଳକ। ଏଥିପାଇଁ ଝିଅର ପାସପୋର୍ଟ ନବୀକରଣ କରିବାର ଆବଶ୍ୟକତା ରହିଛି। ଯଦି ତାଙ୍କ ଝିଅର ପାସପୋର୍ଟ ନବୀକରଣ କରାନଯାଏ, ତେବେ ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବ।

ମହିଳା ଜଣଙ୍କ ଆହୁରି ଉଲ୍ଲେଖ କରିଥିଲେ ଯେ, ୨୦୨୨ ମସିହା ମାର୍ଚ୍ଚ ମାସରେ ଔପଚାରିକ ଭାବେ ତାଙ୍କର ଛାଡ଼ପତ୍ର ହୋଇସାରିଛି। ଏହି ସମୟରେ ହୋଇଥିବା ବୁଝାମଣା ଅନୁସାରେ ମହିଳାଙ୍କୁ ପିଲାଙ୍କ କଷ୍ଟଡି ଦିଆଯାଇଛି ଏବଂ ତାଙ୍କ ସ୍ୱାମୀ ପିଲାଙ୍କୁ ଆବଶ୍ୟକ ସ୍ଥଳେ ସହଯୋଗ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ତେବେ ପୂର୍ବତନ ସ୍ୱାମୀଙ୍କଠାରୁ ଏବେ ‘ନୋ-ଅବଜେକ୍ସନ ଅଫିଡେଭିଡ’ ଆଣିବା ସମ୍ଭବ ନଥିବା ସେ ଉଲ୍ଲେଖ କରିଥିଲେ।

ମାମଲାକୁ ଗୁରୁତ୍ଵର ସହ ବିଚାର କରି ରାୟ ପ୍ରଦାନ କରିଥିଲେ ହାଇକୋର୍ଟ। ଆଦେଶ ଦେବାର ଏକ ସପ୍ତାହ ମଧ୍ୟରେ ସମ୍ପୃକ୍ତ ପିଲାଙ୍କ ପାସପୋର୍ଟ ନବୀକରଣ କରିବା ଲାଗି ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଗୁଜରାଟ ହାଇକୋର୍ଟ।

Tags: #GujaratHighCourt #PassportRenewal #SingleMother

Comment