ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦୀ ସରନେମ’ ମାମଲାରେ ନିଜ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଏନେଇ ମଙ୍ଗଳବାର ଦିନ ରାହୁଲଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି।

ରାହୁଲ ଗାନ୍ଧୀ ‘ମୋଦୀ ସରନେମ’ ମାମଲାରେ ଏପ୍ରିଲ ୨୦ ତାରିଖରେ ସୁରଟ ସେସନ୍ସ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟରେ ଏହି ଆବେଦନ କରିଛନ୍ତି। ଏଥିରେ ତାଙ୍କ ଉପରେ ଲାଗିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଯିବା ସହ ଏହି ମାମଲାର ଆଉଥରେ ଯାଞ୍ଚ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ରାହୁଲଙ୍କ ଓକିଲ ପଙ୍କଜ ଚମ୍ପାନେରି ଗୁଜରାଟ ହାଇକୋର୍ଟରେ ଏହି ଆବେଦନ କରିଥିଲେ।

ଗୁଜରାଟ ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଯାଞ୍ଚ କରିବେ। ଏହି ମାମଲାର ଶୁଣାଣି କେବେ ହେବ ସେ ନେଇ  ହାଇକୋର୍ଟ ପକ୍ଷରୁ ଆଗକୁ ତାରିଖ ଘୋଷଣା କରାଯିବ।

ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ସରନେମ’ ମାନହାନି ମାମଲାରେ ସୁରଟ ସେସନ୍ସ କୋର୍ଟ ମାର୍ଚ୍ଚ ମାସ ୨୩ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିଲାଗି ତାଙ୍କୁ ୧୫ ହଜାର ଟଙ୍କା ଜୋରିମାନା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ମିଳିଥିଲା। ଦୋଷୀ ସାବ୍ୟସ୍ତ ହେବାପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା।

ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ପୂର୍ବରୁ ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏପ୍ରିଲ ୨୦ ତାରିଖରେ ଏହାକୁ ଖାରଜ କରିଦେଇଥିଲେ।

୨୦୧୯ ମସିହାରେ ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକର କୋଲାରରେ ରାହୁଲ ଗାନ୍ଧୀ ‘ମୋଦୀ ସରନେମ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। “ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କାହିଁକି” ବୋଲି ସେ ବୟାନ ଦେଇଥିଲେ। ଏହାକୁ କେନ୍ଦ୍ର କରି ବିଜେପିର ପୂର୍ବତନ ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ସୁରଟ କୋର୍ଟରେ ମାନହାନି ମୋକଦ୍ଦମା କରିଥିଲେ।

Tags: #RahulGandhi #DefamationCase #Conviction #GujratHighcourt #Application #Congress

Comment