ଓଡ଼ିଶାଲାଇଭ୍ ବ୍ୟୁରୋ

(କଟକ): କଟକର ଐତିହାସିକ ବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ ହୋଇଯାଇଛି। ଲୋକଙ୍କୁ ସୁଲଭ ମୂଲ୍ୟରେ ବସ୍ତ୍ର ଯୋଗାଇ ଦେବା ଲକ୍ଷ୍ୟରେ ବାଲିଯାତ୍ରାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ କରାଯାଇଥିବା କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର।
ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ମେଳା ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ। ହସ୍ତତନ୍ତ ମେଳାରେ ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶା, ଉତ୍କଳିକା ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି। ପ୍ରତ୍ୟେକ ଷ୍ଟଲରେ ୧୦+୨୦ ପ୍ରତିଶତ ରିହାତି ବ୍ୟବସ୍ଥା ହୋଇଛି। ଏହା ସହ ଓଡ଼ିଶାର ୧୫ଟି ଜୋନରୁ ୬୦ଟି ସମିତି ଏଠାରେ ଷ୍ଟଲ ଖୋଲିଛନ୍ତି।
ବୁଣାକାର ସେବା କେନ୍ଦ୍ର ପକ୍ଷରୁ ଥିମ୍ ପାଭିଲିଅନ ପ୍ରସ୍ତୁତ କରାଯାଇଛି। ଯୁବପିଢ଼ିଙ୍କୁ ଏହି ସମୃଦ୍ଧ ହସ୍ତତନ୍ତ ବିଷୟରେ ଅବଗତ କରାଇବା ପାଇଁ ଥିମ ପାଭିଲିଅନରେ ଲାଇଭ ଡେମନଷ୍ଟ୍ରେସନ ବ୍ୟବସ୍ଥା ହୋଇଛି।
ଉଦଘାଟନୀ କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଦେବଜିତ ନନ୍ଦୀ, ହସ୍ତଶିଳ୍ପ ଉପନିର୍ଦ୍ଦେଶକ ମାନଗୋବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Tags: #HistoricBalijatra #HandloomFair #Cuttack #Odisha
















