ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଯୁବ ସାହିତ୍ୟିକ ସୂର୍ଯ୍ୟସ୍ନାତ ତ୍ରିପାଠୀ ପାଇବେ ପ୍ରଥମ ‘ସୋଆ ଯୁବ ସାହିତ୍ୟ ପୁରସ୍କାର’। ନଭେମ୍ବର ୩୦ ତାରିଖରେ ସୋଆ ବିଶ୍ଵବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ସୋଆ ସାହିତ୍ୟ ଉତ୍ସବ-୨୦୨୫ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆପୁଚି ନାରଙ୍ଗ’ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ। ଏହି ସଂକଳନରେ ୧୨ଟି ଗଳ୍ପ ରହିଛି, ଯେଉଁଥିରେ ଲେଖକ ମଣିଷର ମନସ୍ତତ୍ତ୍ଵ ଓ ସମସାମୟିକ ଅନୁଭୂତି ପରିପ୍ରକାଶ କରିଛନ୍ତି।
ପୁରସ୍କାର ସ୍ଵରୂପ ମାନପତ୍ର, ରୌପ୍ୟ ଫଳକ ଓ ଉତ୍ତରୀୟ ସହ ୧ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ।
ଲେଖକ ସୂର୍ଯ୍ୟସ୍ନାତ ତ୍ରିପାଠୀ ବର୍ତ୍ତମାନ ଆଇଆଇଟି ରୋପାର୍ରେ ବାୟୋମେଡିକାଲ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ। ୧୯୯୧ରେ ଜନ୍ମିତ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କର ଅଦ୍ୟାବଧି ୭ଟି କବିତା ସଂକଳନ ଓ ଗୋଟିଏ କ୍ଷୁଦ୍ର ଗଳ୍ପ ସଂକଳନ ପ୍ରକାଶ ପାଇଛି। ସେ ଧରମବୀର ଭାରତୀଙ୍କ ଲିଖିତ ‘କନୁପ୍ରିୟା’ର ଓଡ଼ିଆ ଅନୁବାଦ ମଧ୍ୟ କରିଛନ୍ତି।
ସୂର୍ଯ୍ୟସ୍ନାତ ତ୍ରିପାଠୀ ‘ଏ ସମ୍ପର୍କ ଏମିତି’ ପୁସ୍ତକ ପାଇଁ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ପାଇଛନ୍ତି। ସେ ହାଇଦ୍ରାବାଦସ୍ଥିତ ନାଟ୍ୟ ସଂସ୍ଥା ‘କାସ’, ‘କିସ୍ସା ଗୋ’ ଏବଂ ‘ପ୍ଲେ ଅଫ୍ ଶିବା’ ଭଳି ଅନୁଷ୍ଠାନ ନିମନ୍ତେ ବିଭିନ୍ନ ନାଟକ ସହ ‘ବୋତଲ ଅର୍ଜ ହେଁ’, ‘ଲାଷ୍ଟ ୱିସ’, ‘ଜେନେରେସନ୍ସ ଅଫ୍ ନ୍ୟୁଟନ୍’ ଭଳି ନାଟକର ସଂଳାପ ଲେଖିଛନ୍ତି।
ନିକଟରେ ସେ ଓଡ଼ିଆ ସିନେମା ‘ଇନ୍ଦ୍ରଧନୁ’ ସହ ୨ଟି କ୍ଷୁଦ୍ର ଚଳଚ୍ଚିତ୍ର ‘ମାଟି ମୁହାଣ’ (ଓଡ଼ିଆ) ଏବଂ ‘ଖିଡକିୟାଁ’ (ହିନ୍ଦୀ) ନିମନ୍ତେ ମଧ୍ୟ ସଂଳାପ ରଚନା କରିଛନ୍ତି।
Tags: #SuryasnataTripathy #Writer #SOAJubaSahityaPuraskar #Odisha
















