ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତି। ନୂତନ ପ୍ରଧାନ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଲୋକସଭା ବାଚସ୍ପତି ଓମ ବିର୍ଲା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରମୁଖ ଯୋଗ ଦେଇଥିଲେ। ଏହି ସମାରୋହରେ ୬ଟି ଦେଶର ପ୍ରଧାନ ବିଚାରପତି, ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନଭେମ୍ବର ୨୪ ତାରିଖରେ ନୂତନ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କର କାର୍ଯ୍ୟକାଳ ପ୍ରାୟ ଦେଢ଼ ବର୍ଷ ରହିବ। ସେ ୨୦୨୭ ଫେବ୍ରୁଆରି ୯ ତାରିଖରେ ଅବସର ନେବେ।

ଜଷ୍ଟିସ ସୂର୍ଯ୍ୟକାନ୍ତ ମହର୍ଷି ଧ୍ୟାନଚାନ୍ଦ ବିଶ୍ଵବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିବା ପରେ ହରିଆଣାର ହିସାର ଜିଲ୍ଲା କୋର୍ଟରେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୩୮ବର୍ଷ ବୟସରେ ସେ ହରିୟାଣାର ସର୍ବକନିଷ୍ଠ ଆଡଭୋକେଟ ଜେନେରାଲ ହୋଇଥିଲେ।

ଜଷ୍ଟିସ ସୂର୍ଯ୍ୟକାନ୍ତ ୨୦୦୪ରେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ପରେ ୨୦୧୮ରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ପଦୋନ୍ନତି ପାଇଥିଲେ। ୨୦୧୯ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ହୋଇଥିଲେ।

Tags: #JusticeSuryakant #OathTakingCeremony #SupremeCourt #CJI #India

Comment