ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଡିସେମ୍ବର ୭ ତାରିଖରେ ଭୁବନେଶ୍ଵରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ୩୮ତମ ବସନ୍ତ ମୁଦୁଲି ସ୍ମୃତି ସମାରୋହ। ଏହି ଅବସରରେ ଚଳିତ ବର୍ଷ ଯୁବକବି ଅମରେନ୍ଦ୍ର ମାଧବ ଦାଶଙ୍କୁ ‘ବସନ୍ତ ମୁଦୁଲି କବିତା ପୁରସ୍କାର’ ପ୍ରଦାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ବସନ୍ତ ମୁଦୁଲି ସ୍ମୃତି ସଂସଦର ସମ୍ପାଦକ କୃଷ୍ଣ କୁମାର ମହାନ୍ତି।
ଚଳିତ ବର୍ଷ ଅନୁଷ୍ଠିତ ହେବାକୁଥିବା ଏହି ସାରସ୍ଵତ ସ୍ମୃତି ସମାରୋହ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ମିଳିତ ସହଭାଗିତାରେ ଅନୁଷ୍ଠିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ ଉଦଘାଟନ କରିବେ।
ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ବିଶିଷ୍ଟ ଅତିଥି ଭାବେ ‘କାଦମ୍ବିନୀ’ ସମ୍ପାଦିକା ଡକ୍ଟର ଇତି ସାମନ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏହି ଅଧିବେଶନରେ ପୌରୋହିତ୍ୟ କରିବେ।
ଦ୍ଵିତୀୟ ଅଧିବେଶନରେ ‘ଓଡ଼ିଆ କବିତାରେ ବୈପ୍ଳବିକ ସ୍ଵର ଓ କବି ବସନ୍ତ ମୁଦୁଲି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବ ଏଥିରେ ଅଧ୍ୟକ୍ଷତା କରିବେ। ଏଥିରେ ଆଲୋଚକ ଭାବରେ ଡକ୍ଟର ଅଭିରାମ ବିଶ୍ଵାଳ, ଡକ୍ଟର ବେଣୁଧର ପାଢ଼ୀ ଓ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଅନ୍ତିମ ଅଧିବେଶନରେ ସଭାମୁଖ୍ୟ ଭାବରେ ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନରେ ବିଗତ ବର୍ଷମାନଙ୍କରେ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରାପ୍ତ ୪୦ ଜଣ କବି ସେମାନଙ୍କର କବିତା ପାଠ କରିବେ। ଏହାକୁ ସଂଯୋଜନା କରିବେ କବି ଓ ଗୀତିକାର ବିଜୟ ମଲ୍ଲ।
ଏହି ଅବସରରେ ଟାଇମ୍ ପାସ୍ ପ୍ରକାଶିତ କବି ବସନ୍ତ ମୁଦୁଲିଙ୍କ ନିର୍ବାଚିତ କବିତାର ଇଂରାଜୀ ସଂକଳନ ‘ସିଲେକ୍ଟେଡ୍ ପୋଏମ୍ସ ଅଫ୍ ବସନ୍ତ ମୁଦୁଲି’ ଏବଂ ପୁରସ୍କାର ପ୍ରାପ୍ତ ୪୦ ଜଣ କବିଙ୍କର ଦୁଇଟି ଲେଖାଏଁ କବିତାକୁ ନେଇ ‘ଚିହ୍ନା ଚାଳିଶ’ ସଂକଳନ ଲୋକାର୍ପିତ ହେବ।
ଏହି ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହରେ ଯୋଗ ଦେବା ପାଇଁ ସ୍ମୃତି ସଂସଦ ପକ୍ଷରୁ ସଂଯୋଜକ ଅରୁଣ ଖିଲାର ନିବେଦନ କରିଛନ୍ତି।
Tags: #AmarendraMadhabDash #BasantaMuduliKabitaPuraskar #BasantaMuduliSmrutiSamaroha #poet #Writer #Odisha

















