ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱର କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ୱୟଂଚାଳିତ ମହାବିଦ୍ୟାଳୟ ପଡ଼ିଆରେ ଉଦଘାଟିତ ହୋଇଛି ଜିଲ୍ଲାସ୍ତରୀୟ ଯୁବୋତ୍ସବ।
କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଉଦଘାଟନୀ ସଭାରେ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ସଭାପତିତ୍ଵ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ୱର ମ୍ୟୁନିସିପାଲିଟି ଅଧ୍ୟକ୍ଷା ସବିତା ସାହୁ, ଫକୀର ମୋହନ କଲେଜ ଅଧ୍ୟକ୍ଷ ଦିନେଶ ଚନ୍ଦ୍ର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଉପସ୍ଥିତ ଥିଲେ।
ଯୁବମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ନେତୃତ୍ୱ କ୍ଷମତାକୁ ମଞ୍ଚ ଦେବା ହେଉଛି ଏହି ଉତ୍ସବର ପ୍ରମୁଖ ଉଦ୍ଦେଶ୍ୟ। ଯୁବକ ଓ ଯୁବତୀମାନେ ଦେଶର ଭବିଷ୍ୟତ ଭାବେ ଦେଶ ଗଠନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି ସଭାରେ ମତ ପ୍ରକାଶ ପାଇଥିଲା।
ଏହି ଉତ୍ସବ ଡିସେମ୍ବର ୧୨ ଓ ୧୨ ତାରିଖ ଦୁଇଦିନ ଧରି ଆୟୋଜିତ ହେବ। ଏଥିରେ ମୋଟ ୬୦୦ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ମୋଟ ୭ଟି ପ୍ରତିଯୋଗିତା ଆୟୋଜନ କରାଯାଇଛି। ସେଗୁଡ଼ଇକ ହେଲା ଲୋକନୃତ୍ୟ (ସମୂହ), ଲୋକଗୀତ (ସମୂହ), ବିଜ୍ଞାନ ମେଳା (ସମୂହ), କବିତା ଲେଖନ (ଏକାକୀ), ଗଳ୍ପ ଲେଖନ (ଏକାକୀ), ଚିତ୍ରାଙ୍କନ (ଏକାକୀ), ବକ୍ତୃତା (ଏକାକୀ)।
ପ୍ରତିଯୋଗିତାର ବିଜୟୀମାନଙ୍କୁ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ପାଇଁ ନଗଦ ଅର୍ଥରାଶି ସହ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଭାଗ ନେବାର ସୁଯୋଗ ପାଇବେ।
ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଯୁବୋତ୍ସବକୁ ଯୁବ ପ୍ରତିଭା ପ୍ରଦର୍ଶନର ଏକ ମଞ୍ଚ ଭାବେ ଅବତୀର୍ଣ୍ଣ କରାଯାଇଥିବାରୁ ଯୁବମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।
Tags: #Yuvatsav #DistrictLevelJuvotsav #Balasore #Odisha


















