ଓଡ଼ିଶାଲାଇଭ୍ ବ୍ୟୁରୋ

ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି

୧୮୯୧ ମସିହା ଫେବ୍ରୁଆରି ମାସର ଏକ ଶୀତୁଆ ସନ୍ଧ୍ୟା। କଟକ କଲେଜ୍, ଯାହା ଏବେକାର ରେଭେନ୍ସା।

ବିଶ୍ୱବିଦ୍ୟାଳୟ, ସେହି କ୍ୟାମ୍ପସରେ ସାମନ୍ତଙ୍କୁ ଅପେକ୍ଷା କରିଥାନ୍ତି ବିଜ୍ଞାନ ଅଧ୍ୟାପକ ପ୍ରଫେସର ଯୋଗେଶ ଚନ୍ଦ୍ର ରାୟ ଏବଂ ତାଙ୍କର କେତେକ ବନ୍ଧୁ।

ଉଦ୍ଦେଶ୍ୟ ଥିଲା ପରୀକ୍ଷା କରିବା ଯେ, ସାମନ୍ତ ଜଣେ ଜ୍ୟୋତିର୍ବିଦ ନା ସାଧାରଣ ଜ୍ୟୋତିଷ?

ସେତେବେଳକୁ ପଶ୍ଚିମ ଆକାଶରେ ଶୁକ୍ର ଓ ମଙ୍ଗଳ ଗ୍ରହ ପଖାପାଖି। ଏହି ଦୁଇ ଉଜ୍ୱଳ ପିଣ୍ଡ ଭିତରେ ଦୂରତା କେତେ ତା’ ମାପି କହିବାକୁ ସାମନ୍ତଙ୍କୁ କହିଲେ ପ୍ରଫେସର ରାୟ।

ସାମନ୍ତ ତତକ୍ଷଣାତ୍ ଦୁଇଖଣ୍ଡ କାଠିକୁ ଯୋଡ଼ି ଏକ ସରଳ ଯନ୍ତ୍ର ତିଆରି କଲେ। ସାଇନ୍ ଏବଂ କୋସାଇନ୍ ତ୍ରିକୋଣମିତି ହିସାବ ତାଙ୍କର ମୁଖସ୍ଥ ଥାଏ। ମନେ ମନେ ଗଣନା କରି ଦୁଇ ଗ୍ରହ ଭିତରେ ବ୍ୟବଧାନ ୬ ଡିଗ୍ରୀ ବୋଲି ସେ ଦେଖାଇଦେଲେ।

ପୂର୍ବ ସନ୍ଧ୍ୟାରେ ପ୍ରଫେସର ରାୟ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଏଇ ଦୁଇ ଗ୍ରହ ଭିତରେ ଦୂରତା ୬ ଡିଗ୍ରୀ ବୋଲି ମାପି ରଖିଥାନ୍ତି। ତେଣୁ ସାମନ୍ତଙ୍କ ଜ୍ଞାନକୁ ନେଇ ତାଙ୍କର ଆଉ କୌଣସି ସନ୍ଦେହ ରହିଲାନି।

ଏ ହେଉଛନ୍ତି, ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହସାମନ୍ତ ହରିଚନ୍ଦନ ମହାପାତ୍ର। ଏଇ ନାଁରେ ରହିଛି ତାଙ୍କ ବଂଶାବଳୀ ଏବଂ ଉଜ୍ଜଳ ପ୍ରତିଭାର ପରିଚୟ।

୧୮୩୫ ମସିହା, ଡିସେମ୍ବର ୧୩ ତାରିଖରେ ତତକାଳୀନ ଖଣ୍ଡପଡ଼ା ଗଡ଼ଜାତରେ ଜନ୍ମ ନେଇଥିଲେ ଓଡ଼ିଶା ମାଟିର ଏହି ମହାନ ଜ୍ୟୋତିର୍ବିଜ୍ଞାନୀ ଓ ଗଣିତଜ୍ଞ ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତ।

ପିଲାଟି ଦିନରୁ ପଠାଣି ଆକାଶକୁ ନିବିଡ଼ ଭାବେ ଦେଖୁଥିଲେ। ବାପା ଶ୍ୟାମବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଜାଣିଥିଲେ। ପୁଅର ଆଗ୍ରହ ଦେଖି ସେ ତାକୁ ଆକାଶରେ ଗ୍ରହ, ନକ୍ଷତ୍ର ଚିହ୍ନାଇ ଦେଇଥିଲେ।

ଚନ୍ଦ୍ରଶେଖର ସ୍ଥାନୀୟ ପଣ୍ଡିତମାନଙ୍କଠାରୁ ଓଡ଼ିଆ ଭାଷା, ଗଣିତ ଏବଂ ସଂସ୍କୃତ ଶିକ୍ଷା ଗ୍ରହଣ କଲେ। ରାଜବଂଶର ପୋଥିଶାଳାରୁ ଗଣିତ ଓ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ଆୟତ କଲେ । ୧୪-୧୫ ବର୍ଷ ବେଳକୁ ସେ ବିଭିନ୍ନ ଭାରତୀୟ ଜ୍ୟୋତିର୍ବିଜ୍ଞାନୀଙ୍କ ସିଦ୍ଧାନ୍ତ ପଢ଼ି ସେସବୁର ସୂତ୍ର ଅନୁଯାୟୀ ଗ୍ରହ, ନକ୍ଷତ୍ରମାନଙ୍କ ସ୍ଥିତି ଅନୁଧ୍ୟାନ କରିବାକୁ ଲାଗିଲେ।

କିନ୍ତୁ ତାଙ୍କ ଆଗରେ ବଡ଼ ପ୍ରତିବନ୍ଧକ ଥିଲା ଉପଯୁକ୍ତ ଯନ୍ତ୍ରପାତିର ଅଭାବ। ତେଣୁ ସେ ବାଉଁଶ ନଳୀ ଓ କାଠି ବ୍ୟବହାର କରି ୧୦ ପ୍ରକାର ଯନ୍ତ୍ର ପ୍ରସ୍ତୁତ କଲେ। ତା’ ଭିତରେ ଥିଲା- ମାନଯନ୍ତ୍ର, ଧନୁର୍ଯନ୍ତ୍ର, ସୂର୍ଯ୍ୟଘଡ଼ି ଏବଂ ଶଙ୍କୁ ଭଳି ବିଭିନ୍ନ ଉପକରଣ।

ଭାରତୀୟ ପ୍ରାଚୀନ ଜ୍ୟୋତିର୍ବିଜ୍ଞାନୀମାନଙ୍କ ମଧ୍ୟରେ ଆର୍ଯ୍ୟଭଟ୍ଟ, ବରାହ ମିହିର, ବ୍ରହ୍ମଗୁପ୍ତ ଏବଂ ଭାସ୍କରଙ୍କ ନାଁ ଅତି ପରିଚିତ। ଏହି କ୍ରମରେ ଭାସ୍କରଙ୍କ ‘ସିଦ୍ଧାନ୍ତ ଶିରୋମଣି’କୁ ସର୍ବଶେଷ ପ୍ରାମାଣିକ ଗ୍ରନ୍ଥ ବୋଲି ସେତେବେଳେ ବିଶ୍ୱାସ କରାଯାଉଥିଲା।

ସାମନ୍ତ ଦେଖିଲେ ପୁରୁଣା ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତି ମେଳ ଖାଉନାହିଁ। ମନରେ ଦ୍ୱିଧା ଆସିଲା, କିଏ ଠିକ୍ – ଶାସ୍ତ୍ର ନା ତାଙ୍କର ପର୍ଯ୍ୟବେକ୍ଷଣ? ବର୍ଷ ବର୍ଷର ଅନୁଧ୍ୟାନ ପରେ ସେ ନିଶ୍ଚିତ ହେଲେ ଯେ, ଶାସ୍ତ୍ରରେ କେତେକ ତ୍ରୁଟି ରହିଛି। ଏହାର ସଂଶୋଧନ କରିବାର ସାହସ ଜୁଟାଇ ୨୩ ବର୍ଷ ବୟସରେ ସେ ଆରମ୍ଭ କଲେ ‘ସିଦ୍ଧାନ୍ତ ଦର୍ପଣ’ ରଚନା, ଯାହା ଭାରତୀୟ ଜ୍ୟୋତିର୍ବିଜ୍ଞାନରେ ସବୁଠୁ ପ୍ରାମାଣିକ ଏବଂ ସଂଶୋଧିତ ଗ୍ରନ୍ଥ ହୋଇପାରିଛି।

ମୂଳ ‘ସିଦ୍ଧାନ୍ତ ଦର୍ପଣ’ ତାଳପତ୍ର ପୋଥିରେ ଓଡ଼ିଆ ଲିପି ତଥା ସଂସ୍କୃତ ଭାଷାରେ ଲେଖାଯାଇଛି। ଏହାର ୨୪ଟି ଅଧ୍ୟାୟରେ ରହିଛି ୨୫ ଶହ ଶ୍ଳୋକ। ତା’ ଭିତରୁ ୨୨ ଶହ ୮୪ଟି ଶ୍ଳୋକ ସାମନ୍ତ ଲେଖିଛନ୍ତି। ୨୧୬ଟି ଶ୍ଳୋକ ସେ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରୁ ଆଣିଛନ୍ତି ।

ତତକାଳୀନ ଓଡ଼ିଶାରେ ବଙ୍ଗଳା ପଞ୍ଜିକାର ପ୍ରଚଳନ ଥିଲା। କିନ୍ତୁ ‘ସିଦ୍ଧାନ୍ତ ଦର୍ପଣ’ ଅନୁଯାୟୀ ପ୍ରସ୍ତୁତ ପଞ୍ଜିକା ଅଧିକ ତଥ୍ୟସିଦ୍ଧ ବୋଲି ପ୍ରମାଣିତ ହେଲା। ତେଣୁ ୧୮୭୨ରେ ପୁରୀର ଗଜପତି, ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ପୂଜାବିଧି ପଠାଣି ସାମନ୍ତଙ୍କ ପଞ୍ଜିକା ଅନୁଯାୟୀ ହେବ ବୋଲି ଆଦେଶ ଦେଲେ। ଏହା ସହ ଗଜପତି ସାମନ୍ତଙ୍କୁ ‘ହରିଚନ୍ଦନ ମହାପାତ୍ର’ ଉପାଧିରେ ଭୂଷିତ କଲେ।

ପଠାଣି ସାମନ୍ତଙ୍କ ଖ୍ୟାତି କେବଳ ତତ୍କାଳୀନ ଓଡ଼ିଶା ବା ବ୍ରିଟିଶ ଭାରତ ମଧ୍ୟରେ ସୀମିତ ହୋଇ ରହିନଥିଲା। ଅଖ୍ୟାତ ଖଣ୍ଡପଡ଼ାର ସାମନ୍ତଙ୍କ ଗଣନା ଦେଶ ବିଦେଶର ଗବେଷକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ସାମନ୍ତ ଚନ୍ଦ୍ରଶେଖରଙ୍କ ପ୍ରତିଭା ବିଷୟରେ ଜାଣି ବ୍ରିଟିଶ ସରକାର ତାଙ୍କୁ ସମ୍ମାନଜନକ ‘ମହାମହୋପାଧ୍ୟାୟ’ ଉପାଧି ଦେଇଥିଲେ। ୧୮୯୩ରେ ବ୍ରିଟିଶ କମିଶନର କଟକଠାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ପଠାଣି ସାମନ୍ତ ଏବଂ ଯୋଗେଶ ଚନ୍ଦ୍ର ରାୟଙ୍କ ସାକ୍ଷାତ ଫଳରେ ‘ସିଦ୍ଧାନ୍ତ ଦର୍ପଣ’ ତାଳପତ୍ର ପୋଥିରୁ ପୁସ୍ତକର ରୂପ ନେଲା। ୧୮୯୯ରେ ଦେବନାଗରୀ ଲିପିରେ ଏହା କଲିକତାରୁ ପ୍ରଥମେ ପ୍ରକାଶ ପାଇଥିଲା।

ସାମନ୍ତ ଚନ୍ଦ୍ରଶେଖରଙ୍କ ଗ୍ରହଗତି ସିଦ୍ଧାନ୍ତର ଆଧାର ଥିଲା ଭୂକୈନ୍ଦ୍ରିକ ମଡେଲ୍। ଏହା ୟୁରୋପୀୟ ଆକାଶବିଜ୍ଞାନୀ ଟାଇକୋଙ୍କ ଭଳି ଥିଲା। ଏଥିରେ ଗ୍ରହ, ନକ୍ଷତ୍ରଙ୍କ ଅବସ୍ଥିତି ଏବଂ ପରାଗ ଓ ଗ୍ରହଣର ସଠିକ ସମୟ ନିରୂପଣ ସମ୍ଭବ ହୋଇପାରୁଥିଲା। ତେଣୁ କୋପରନିକସ୍‌ଙ୍କ ସୂର୍ଯ୍ୟକୈନ୍ଦ୍ରିକ ମଡେଲ୍ ସାରା ପୃଥିବୀରେ ଗୃହୀତ ହୋଇଥିବା ଜାଣି ମଧ୍ୟ ସାମନ୍ତ ନିଜ ମତରେ ଶେଷ ପର୍ଯ୍ୟନ୍ତ ଦୃଢ଼ ଥିଲେ।

ଅନ୍ତର୍ଜାତୀୟ ବିଜ୍ଞାନ ପତ୍ରିକା ’ନେଚର’ ସାମନ୍ତଙ୍କୁ ଟାଇକୋଙ୍କଠାରୁ ମଧ୍ୟ ଉଚ୍ଚ ସ୍ଥାନ ଦେଇଥିଲା।

୧୯୦୪ ମସିହା ଜୁନ ୧୧ ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ସାମନ୍ତ ଚନ୍ଦ୍ରଶେଖରଙ୍କ ପରଲୋକ ଘଟିଲା। ଭାରତ ଆକାଶରୁ ଲିଭିଗଲା ଉତ୍କଳର ଏହି ଉଜ୍ଜ୍ୱଳ ତାରକା।

ପଠାଣି ସାମନ୍ତଙ୍କ କୃତିକୁ ନେଇ ଆଜି ପ୍ରତିଟି ଓଡ଼ିଆ ଗର୍ବ ଅନୁଭବ କରେ। ଭୁବନେଶ୍ୱରରେ ଥିବା ପ୍ଲାନେଟାରିୟମକୁ ସାମନ୍ତଙ୍କ ସ୍ମୃତିରେ ନାମିତ କରାଯାଇଛି। ଭାରତ ସରକାର ତାଙ୍କ ନାମରେ ଏକ ଡାକ ଟିକଟ ପ୍ରଚଳନ କରିଛନ୍ତି । ଓଡ଼ିଆ ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ୧୯୮୭ ମସିହାରୁ ଓଡ଼ିଶା ବିଜ୍ଞାନ ଏକାଡେମୀ ମାଧ୍ୟମରେ ରାଜ୍ୟ ସରକାର ପ୍ରତିବର୍ଷ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରୁଛନ୍ତି।

ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ଥିବା ସ୍ୱତନ୍ତ୍ର ମ୍ୟୁଜିୟମ ଏହି ବରପୁତ୍ରଙ୍କ ଜୀବନ ଓ ଅନନ୍ୟ ବରଦାନର କଥା ବଖାଣୁଛି।

ପଠାଣି ସାମନ୍ତ ଜୀବନରେ କେବେ ଟେଲିସ୍କୋପ ବ୍ୟବହାର କରିବାର ସୁଯୋଗ ପାଇନଥିଲେ। କିନ୍ତୁ ଖାଲି ଆଖିରେ ଆକାଶର ପର୍ଯ୍ୟବେକ୍ଷଣ କରି ଗ୍ରହ ନକ୍ଷତ୍ରଙ୍କ ଗତିବିଧି ଜାଣି ପାରୁଥିଲେ। ସେଥିପାଇଁ ତାଙ୍କୁ ସମସ୍ତେ କହୁଥିଲେ ‘ନେକେଡ୍ ଆଇ ଆଷ୍ଟ୍ରାନୋମର’।

Tags: #PathaniSamant #Astronomer #Astronomy #Mathematics #Astrology

Comment