ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମର ‘ଉତ୍କଳିକା’ ପକ୍ଷରୁ ବାଲେଶ୍ୱର ସହରରେ ଏକ ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ ଆୟୋଜନ କରାଯାଇଛି।

ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ବସଷ୍ଟାଣ୍ଡ ନିକଟରେ ଥିବା ସୁରଭି ପ୍ଲାଜା ପ୍ରାଙ୍ଗଣରେ ଉଦଘାଟିତ ହୋଇଥିବା ପ୍ରଦର୍ଶନୀ ୨୦୨୬ ଜାନୁଆରି ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଦର୍ଶନୀକୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଉଦଘାଟନ କରିଥିଲେ।

ଉଦଘାଟନ କାର୍ଯ୍ୟକ୍ରମରେ ‘ଉତ୍କଳିକା’ର ପରିଚାଳନା ନିର୍ଦ୍ଦେଶିକା ମମତା ନାୟକ, ପୂର୍ବତନ ପରିଚାଳିକା କଲ୍ୟାଣୀ ପଟ୍ଟନାୟକ, ‘ଉତ୍କଳିକା’ର ଉପ-ସଭାପତି ପ୍ରଶାନ୍ତ ମହାପାତ୍ର, ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଧନ ଟୁଡୁ ଏବଂ ଜିଲ୍ଲା ଶିଳ୍ପୀ ମହାସଂଘ ସଭାପତି ଉଦୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଦର୍ଶନୀରେ ପଥର ଖୋଦେଇ, କାଠ ଖୋଦେଇ, ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର, ଟେରାକୋଟା, ଢୋକରା କାଷ୍ଟିଂ, ରୂପା ତାରକସି, ବେତ, ବାଉଁଶ ଓ କାଇଁଚ ହସ୍ତଶିଳ୍ପ, ତନ୍ତବୁଣା ବସ୍ତ୍ର ସମେତ ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେଉଛି। ଏହି ପ୍ରଦର୍ଶନୀରେ ରାଜ୍ୟର ୧୦ ଜଣ ଦକ୍ଷ କାରିଗରଙ୍କୁ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ଦିଆଯାଇଛି।

‘ଉତ୍କଳିକା’ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ଶିଳ୍ପୀମାନଙ୍କୁ ଉପଯୁକ୍ତ ବଜାର ସୁଯୋଗ ଯୋଗାଇବା ସହ ହସ୍ତଶିଳ୍ପ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ବୋଲି ଅତିଥିମାନେ ମନ ଦେଇଛନ୍ତି।

Tags: #Utkalika #HandicraftandHandloomExhibition #Balasore

Comment