ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ କୋଶମ୍ବ ମେଳା ଉଦଘାଟିତ ହୋଇଯାଇଛି। ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି ‘ବୁକ୍ କାଫେ’ ଓ ‘ପୁସ୍ତକ ଦାନ’ ବ୍ୟବସ୍ଥା। ବହି ପଢ଼ିବା ପାଇଁ ସ୍ଵତନ୍ତ୍ର ଆୟୋଜନ କରାଯାଇଥିବାରୁ ଯୁବପିଢ଼ି ଏଥିପ୍ରତି ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି।
ବୁକ୍ କାଫେ ବା ପୁସ୍ତକ ପ୍ରଦର୍ଶନୀ କେନ୍ଦ୍ରରେ ବାଲେଶ୍ଵର ସହରର ଦୁଇଟି ପ୍ରକାଶନ ସଂସ୍ଥା ସେମାନଙ୍କ ପ୍ରକାଶିତ ବିଭିନ୍ନ ରୁଚିର ପୁସ୍ତକମାନ ପ୍ରଦର୍ଶନ କରିଥିବା ବେଳେ ପୁସ୍ତକ ବିକ୍ରୟ ଏବଂ ଆଗ୍ରହୀ ପାଠକ ବହି ଆଣି ପଢ଼ି ଫେରାଇବାର ସୁବିଧା ନେଉଛନ୍ତି। ଏହା ଏକ ନୂଆ ଅନୁଭୂତି ବୋଲି କହିଛନ୍ତି ସୁବର୍ଣ୍ଣଶ୍ରୀ ପ୍ରକାଶନୀର ସତ୍ଵାଧିକାରୀ ଡକ୍ଟର କାଳିପଦ ପଣ୍ଡା ଏବଂ ‘ବିଦ୍ୟା ଭାରତୀ’ର ପ୍ରତିଷ୍ଠାତା କବି ଅଭୟ ଦାସ।
ଲୋକମାନଙ୍କ ମଧ୍ୟରେ ବହି ପ୍ରତି ଆଗ୍ରହ ଏବଂ ପଢ଼ିବା ଅଭ୍ୟାସ ବଢ଼ାଇବା ଏହି ‘ବୁକ୍ କାଫେ’ର ଉଦ୍ଦେଶ୍ୟ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା କୋଶମ୍ବ ମେଳା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାରି ମଧ୍ୟରେ ‘ବୁକ୍ କାଫେ’ରେ ସାହିତ୍ୟିକଙ୍କ ସମାଗମ ସହିତ ବିଭିନ୍ନ ଦିନରେ କବିତା ପାଠୋତ୍ସବ ଓ ସାହିତ୍ୟ ଆଲୋଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ବୁକ୍ କାଫେ ଷ୍ଟଲ ପାଖରେ ‘ପୁସ୍ତକ ଦାନ’ ପାଇଁ ଏକ ବାକ୍ସ ରଖାଯାଇଛି। ଏଥିରେ ବହି ଦାନ ଆକାରରେ ଦେବାକୁ ଚାହୁଁଥିବା ଲେଖକଲେଖିକାମାନେ ବାକ୍ସରେ ବହି ପକେଇ ପାରିବେ। ଏହି ସଂଗୃହୀତ ବହିଗୁଡ଼ିକୁ ବିଭିନ୍ନ ପାଠାଗାରରେ ରଖାଯିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିବେ ବୋଲି କହିଛନ୍ତି।
ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବସ୍ତା ବିଧାୟିକା ସୁବାସିନୀ ଜେନା, ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ‘ବୁକ୍ କାଫେ’କୁ ପରିଦର୍ଶନ କରିଥିଲେ। ବିଶିଷ୍ଟ ଲେଖକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ଗାଳ୍ପିକ ଉଦୟ ନାରାୟଣ ଦାସ, କବି କୃଷ୍ଣ କୁମାର ମହାନ୍ତି, କବି ଡକ୍ଟର କାଳିପଦ ପଣ୍ଡା, କବି ଅଭୟ ଦାସ, ମଞ୍ଜୁଲତା ବଳ, ଆଶ୍ରିତା ତରେଇ ପ୍ରମୁଖ ‘ବୁକ୍ କାଫେ’କୁ ଉପସ୍ଥିତ ରହି ବହି ଚର୍ଚ୍ଚା କରିଥିଲେ।
ବୁକ୍ କାଫେ ଦିନ ୧୦ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଖୋଲା ରହୁଥିବା ବେଳେ ଲେଖକ, ପାଠକ ଏହି ଅଭିଯାନରେ ସାମିଲ୍ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
Tags: #BalasoreKoshambaMela #Bookcafe #BookDonation #Balasore #Odisha

















