ଓଡ଼ିଶାଲାଇଭ୍ ବ୍ୟୁରୋ

- ଚାରିଜଣଙ୍କୁ ‘ବେଷ୍ଟସେଲର୍ ପୁରସ୍କାର’
- ୧୨ଜଣଙ୍କୁ ମିଳିବ ‘ପ୍ରଥମା ସମ୍ମାନ’
- ଡକ୍ଟର ସୁବ୍ରତ କୁମାର ସେନାପତି ପାଇବେ ବହିବନ୍ଧୁ ସମ୍ମାନ
(କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଯୁବକଥାକାରମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରତିବର୍ଷ ପ୍ରଦାନ କରାଯାଉଛି ‘ଟାଇମପାସ୍ ବୁକର ପୁରସ୍କାର’। ଚଳିତବର୍ଷ ଏହି ପୁରସ୍କାର ପାଇବେ ଯୁବ ଲେଖିକା ଡକ୍ଟର ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ। ଗଳ୍ପ ପାଣ୍ଡୁଲିପି ‘କେହି ଜଣେ’ ପାଇଁ ତାଙ୍କୁ ‘ଟାଇମପାସ୍ ବୁକର ପୁରସ୍କାର ପ୍ରଦାନ କରାଯିବ।
ଏଥିସହିତ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍ ବେଷ୍ଟସେଲର୍ ପୁରସ୍କାର’ ପାଇଁ ଚଳିତ ବର୍ଷ ଗଳ୍ପ ବିଭାଗରେ ସଞ୍ଜୟ ପଣ୍ଡାଙ୍କ ‘ତକିଆ’, କବିତା ବିଭାଗରେ ସୁମିତ୍ ପଣ୍ଡାଙ୍କ ‘ମାଟି ଖୋଜେ ପକ୍ଷୀ’, ଉପନ୍ୟାସରେ ତ୍ରିନାଥ ସିଂହଙ୍କ ‘ଦୁଇଫର୍ଦ୍ଦ ଆକାଶ’ ଏବଂ ପ୍ରଥମା ବିଭାଗରେ ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକଙ୍କ ‘ଋତୁଟେ ରେଭେନ୍ସା’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି। ନିୟମିତ ଭାବେ ଓଡ଼ିଆ ପୁସ୍ତକର ପଠନ ଓ ସାମାଜିକ ଗଣମାଧ୍ୟମରେ ତା’ର ପ୍ରଚାର ପ୍ରସାର କରୁଥିବା ଡକ୍ଟର ସୁବ୍ରତ କୁମାର ସେନାପତିଙ୍କୁ ଚଳିତ ବର୍ଷର ‘ଟାଇମପାସ୍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।
ଡିସେମ୍ବର ୨୭ ଓ ୨୮ ତାରିଖରେ ଟାଇମପାସ ଦ୍ୱାରା ଆୟୋଜିତ ଷଷ୍ଠ ‘ଉତ୍ସାହିତ୍ୟ’ ଉତ୍ସବରେ ଉପରୋକ୍ତ ପ୍ରତିଭାମାନଙ୍କ ସହିତ ୧୨ ଜଣଙ୍କୁ ପ୍ରଥମା ପୁରସ୍କାର, ୩୦ ଜଣ ତରୁଣଙ୍କୁ ‘ଉଦୟରାଗ’ ସମ୍ମାନ ଓ ୧୦୦ଜଣଙ୍କ ମିନି କବିତାକୁ ‘ସେଫ୍ଟିପିନ୍ କବିତା’ ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତମତାନ୍ତର, କବିତା କ୍ୟାଟ୍ୱାକ୍, ଗୀତ-ସଙ୍ଗୀତର କକଟେଲ୍, ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ଲୋକାର୍ପଣ, ସାକ୍ଷାତକାର, ପ୍ରଶ୍ନୋତ୍ତର ଆଦିର କାର୍ଯ୍ୟକ୍ରମ ରହିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ସୂଚନା ଦେଇଛନ୍ତି।
Tags: #TimepassBookerAward2025 #DrPrajnaPrabartikaDash #Writer #Odisha

















