ଓଡ଼ିଶାଲାଇଭ୍ ବ୍ୟୁରୋ

ଘନ କୁହୁଡ଼ିରେ ଘୋଡ଼େଇ ହୋଇଛି ସାରା ଓଡ଼ିଶା। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ଦୂରତା ଶୂନ ରହିଥିବା ବେଳେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଜନତା। ଜାନୁଆରି ୮ ତାରିଖ ଯାଏଁ ଘନ କୁହୁଡ଼ି ପ୍ରଭାବ ରହିବା ନେଇ ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସାରା ରାଜ୍ୟରେ ଶନିବାର ଦିନ ସକାଳ ୯ଟା ଯାଏଁ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳେ ରାଜଧାନୀ ଭୁବନେଶ୍ଵରରେ ଦୃଶ୍ୟମାନ ଦୂରତା ଶୂନ୍ୟକୁ ଛୁଇଁ ଥିଲା। ଆସନ୍ତା ୨୪ ଘଣ୍ଟା ପାଇଁ ଘନ କହୁଡ଼ି ନେଇ ରାଜ୍ୟର ୧୮ଟି ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରକୁ ଆରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନ ଦୂରତା ଶୂନ ମିଟରରୁ ୨୦୦ ମିଟର ଏବଂ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିବାର ସମ୍ଭାବନା ଅଛି।

ସେହିପରି ଜାନୁଆରି ୪ରୁ ୬ ତାରିଖ ମଧ୍ୟରେ ଘନ କୁହୁଡ଼ି ପାଇଁ ଖୋର୍ଦ୍ଧା, ପୁରୀ, କଟକ ଓ ନୟାଗଡ଼ ଜିଲ୍ଲାକୁ ଆରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏଠାରେ ଦୃଶ୍ୟମାନ ଦୂରତା ଶୂନରୁ ୨୦୦ ମିଟର ମଧ୍ୟରେ ରହିବା ନେଇ ଅନୁମାନ କରାଯାଇଛି। ଏହା ସହ ସୁନ୍ଦରଗଡ଼, ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏଠାରେ ଦୃଶ୍ୟମାନ ଦୂରତା ୫୦ ମିଟରୁ ୨୦୦ ମିଟର ମଧ୍ୟରେ ରହିବାର ସମ୍ଭାବନା ଅଛି।

ଜାନୁଆରି ୬ରୁ ୮ ତାରିଖ ମଧ୍ୟରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, କେନ୍ଦ୍ରପଡ଼ା, ଜଗତସିଂହପୁର, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇଛି।

Tags: #Weather #WeatherUpdate #FogWarning #DenseFogWarning

Comment