ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ରବିବାର ଦିନ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ୟାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢ଼ି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଥିଲେ।

ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ, “ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି। ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି।”

ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି। ଏଥିପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ।

ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ।

ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Tags: #MissionShakti #LakhpatiDidi #OdishaNews #WomenEntrepreneurship #PravatiParida

Comment