ଓଡ଼ିଶାଲାଇଭ୍ ବ୍ୟୁରୋ

‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨’ର ତୃତୀୟ ସଂସ୍କରଣ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀରେ ବଡ଼ ବଡ଼ ନିବେଶକଙ୍କ ସହ ଗ୍ରାମାଞ୍ଚଳରୁ ଆସିଥିବା ଅନେକ ମହିଳା ଉଦ୍ୟୋଗୀ ଏକାଠି ହୋଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ୨୦୦୧ ମସିହାରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା। ଓଡ଼ିଶାରେ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ସଶକ୍ତିକରଣ ଲାଗି ମିଶନ ଶକ୍ତି ଭଳି ଏକ ସ୍ଵତନ୍ତ୍ର ବିଭାଗ ଭାରତରେ ପ୍ରଥମ। ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ମିଶନ ଶକ୍ତି ସଫଳତାର ୨୦ ବର୍ଷ ଅତିକ୍ରମ କରିସାରିଛି। ଏହି ୨୦ ବର୍ଷ  ଭିତରେ ମିଶନ ଶକ୍ତି ସହିତ ଯୋଡ଼ି ହୋଇଛନ୍ତି ଓଡ଼ିଶାର ୬ ଲକ୍ଷ ସ୍ଵୟଂ ସହାୟିକା ଗୋଷ୍ଠୀ।

ରାଜ୍ୟ ସରକାରଙ୍କ ଦିଗଦର୍ଶନରେ ୨୦ ବର୍ଷରେ ପହଁଞ୍ଚିଥିବା ମିଶନ ଶକ୍ତି ଆଜି ଓଡ଼ିଶାର ମହିଳାମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡ଼ିଶାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଯେଭଳି କ୍ଷୁଦ୍ର ଉଦ୍ୟୋଗରେ ପରିଣତ ହେବେ, ତାହା ସରକାରଙ୍କ ଲକ୍ଷ୍ୟ ବୋଲି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨’ରେ ଯୋଗଦେଇ କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନ।

“ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି। ପରିବାରକୁ ଗଢ଼ିବା ସହ ଏବେ ସମାଜକୁ ଗଢ଼ିବାର ଗୁରୁଦାୟିତ୍ଵକୁ ନିଷ୍ଠାର ସହ ତୁଲାଉଛନ୍ତି। ମା’ ଭଉଣୀମାନଙ୍କୁ ଅଧିକ ସଶକ୍ତ କରିବାକୁ ଏଣିକି ବିନା ସୁଧରେ ୫ ଲକ୍ଷ ଯାଏଁ ଋଣ ଯୋଗାଇ ଦିଆଯିବ। ଏହା ମହିଳାମାନଙ୍କୁ ଅଧିକ ଆର୍ଥିକ ସ୍ଵାଧୀନତା ଦେବ। ଏହାସହ ମହିଳାଙ୍କୁ ୫ ହଜାର କୋଟି ଟଙ୍କାର କାରବାର ଦେବା ଲାଗି ସରକାର ଲକ୍ଷ ରଖିଛନ୍ତି”, କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।

ସେ ଆହୁରି ମଧ୍ୟ କହିଛନ୍ତି, “ମହିଳା ଏସଏଚଜିଗୁଡ଼ିକ ଧାନ ସଂଗ୍ରହ, ମଧ୍ୟାନ୍ନ ଭୋଜନ ଓ ଆହାର କେନ୍ଦ୍ର ପରିଚାଳନା, ଜଳସାଥୀ, ପରିମଳ ପରିଚାଳନାରେ ଦକ୍ଷତା ଦେଖାଇ ରାଜ୍ୟରେ ଏବେ ସରକାର ଓ ସମାଜ ମଧ୍ୟରେ ଏକ ସେତୁ ଭଳି କାମ କରୁଛନ୍ତି। ମହିଳାମାନଙ୍କୁ ଆହୁରି ଆଗକୁ ନେବାକୁ ମିଶନଶକ୍ତି ବିଭାଗ ସର୍ବଦା ସଂକଳ୍ପବଦ୍ଧ। ପ୍ରସାଧନ, କୃଷି ଉତ୍ପାଦନ କ୍ଷେତ୍ର ଆଗାମୀ ଦିନରେ ମହିଳା ଉଦ୍ୟୋଗୀଙ୍କ ପାଇଁ ବଡ଼ ସମ୍ଭାବନା ହେବ। ଏସଏଚଜି ମହିଳାମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ବଢ଼ିବା ପାଇଁ ମିଶନ ଶକ୍ତି ବିଭାଗ ବିଭିନ୍ନ ସଂସ୍ଥା ସହ ଚୁକ୍ତି ସ୍ଵାକ୍ଷର କରିଛି। ଫ୍ଲିପକାର୍ଟ ସହ ଏମଓୟୁ ସ୍ଵାକ୍ଷରିତ ହେବା ପରେ ଏଣିକି ଆମ ମହିଳାଙ୍କ ହାତ ତିଆରି ଜିନିଷ ଆମେରିକା ଓ ଲଣ୍ଡନ ବଜାରରେ ବିକ୍ରି ହେବ।”

ମହିଳା ଏସଏଚଜିଗୁଡ଼ିକୁ ସରକାର ଅଧିକ ସହଯୋଗ ଓ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆର୍ନ୍ତଜାତିକ ବଜାରରେ ଓଡ଼ିଶା ସ୍ଵୟଂ ସହାୟିକା ମହିଳାମାନଙ୍କ ସାମଗ୍ରୀକୁ ଦେଶ ବିଦେଶରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ସବୁମତେ ପଦକ୍ଷେପ ନେଉଛନ୍ତି। କେବଳ ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ମିଶନ ଶକ୍ତିର ଲକ୍ଷ୍ୟ ନୁହେଁ, ମହିଳାମାନେ କେମିତି ରୋଷେଇ ଓ ଘର କାମରେ ସୀମିତ ନରହି ନିଜର ଏକ ସ୍ଵତନ୍ତ୍ର ପରିଚୟ ଓ ସମ୍ମାନ ତିଆରି କରିବେ ତାହା ମିଶନ ଶକ୍ତିର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।

Tags: #MakeInOdishaConclave2022 #MissionShaktiOdisha #SujataRKartikeyan #SelfHelpGroups #WomenEmpowerment #Odisha

Comment