ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ଆସନ୍ତା ୪ରୁ ୫ ଘଣ୍ଟା ଯାଏଁ ବର୍ଷା, ପବନ ଲାଗି ରହିବ।
‘‘ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ବାତ୍ୟା ବୁଲ୍ବୁଲ୍ ବର୍ତ୍ତମାନ ପାରାଦୀପର ପୂର୍ବ ଓ ଉତ୍ତର ପୂର୍ବଦିଗଠାରୁ ୯୫ କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟାକୁ ପ୍ରାୟ ୧୩ କିଲୋମିଟର ବେଗରେ ଗତି କରୁଛି। ଆଜି ରାତି ଅପରାହ୍ଣ ୫ଟାରୁ ରାତି ୯ଟା ମଧ୍ୟରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ସୀମା ଦେଇ ଅତିକ୍ରମ କରିବ’’, କହିଛନ୍ତି ସ୍ଵିନ୍ତ ରିଲିଫ୍ କମିସନର ପ୍ରଦୀପ ଜେନା।
ବୁଲ୍ବୁଲ୍ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଧାମରାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରେକର୍ଡ କରାଯାଇଛି। ରାଜନଗରରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକର ଚାନ୍ଦବାଲିରେ ୧୫୦ ମିଲିମିଟର, କେନ୍ଦ୍ରାପଡ଼ାରେ ୧୩୬ ମିଲିମିଟର, ତିର୍ତ୍ତୋଲରେ ୧୦୦ ମିଲିମିଟର ଏବଂ ପାରାଦୀପରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି ଏସ୍ଆର୍ସି କହିଛନ୍ତି।
‘‘ରାଜନଗର, ରାଜକନିକା, ମହାକାଳପଡ଼ା,ବାସୁଦେବପୁର, ବାଲେଶ୍ୱରର ଭୋଗରାଇ ବ୍ଲକର କିଛି ଅଞ୍ଚଳରେ ଅନେକ ଗଛ ଉପୁଡ଼ି ପଡ଼ିଛି। ଫଳରେ ଏନ୍ଡିଆଏଫ, ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ରାସ୍ତାରୁ ଗଛ କାଟିଛନ୍ତି। କିଛିଟା ସ୍ଥାନରେ ଘର ଭାଙ୍ଗିଥିବା ଖବର ଆସିଛି’’, ପ୍ରେସ୍ମିଟ୍ରେ କହିଛନ୍ତି ପ୍ରଦୀପ ଜେନା।
ଏସ୍ଆର୍ସିଙ୍କ କହିବା ଅନୁସାରେ, ଆସନ୍ତା ୪ରୁ ୫ ଘଣ୍ଟା ଯାଏଁ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପବନ ହେବ। ଭଦ୍ରକ ଓ ବାଲେଶ୍ୱରରେ ଏହାର ପ୍ରଭାବ ଅଧିକ ରହିବ। ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।