ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର ବଛାବଛା କ୍ରୀଡ଼ାବିତଙ୍କ ସମାଗମ ହେବ। ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟ ଏଥିରେ ଯୋଗ ଦେବେ। ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର ଓ କିଟ୍ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିବେ। ଏଠାରେ ୨ଟି ଇଭେଣ୍ଟ ଖେଳାଯିବାକୁ ଥିବା ବେଳେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କିଟ୍ ସମେତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଅନ୍ୟ କ୍ରୀଡ଼ାଗୁଡିକ ଅନୁଷ୍ଠିତ ହେବ।

ଉତ୍ସବରେ ବଲିଉଡର ତାରକାମାନଙ୍କୁ ନିମନ୍ତ୍ରିତ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। କଣ୍ଠଶିଳ୍ପୀ ସୋନା ମହାପାତ୍ର, ବଲିଉଡ୍ ଷ୍ଟାର ବରୁଣ ଧୱନଙ୍କ ସହ ଏ ନେଇ ଯୋଗାଯୋଗ କରାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରନ୍ସିଂ ଜରିଆରେ ଦିଲ୍ଲୀରେ ବସି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବେ ବୋଲି ଶୁଣାଯାଉଛି। ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଆରମ୍ଭ ହେବ ଉତ୍ସବ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ତତ୍ତ୍ୱାବଧାନରେ ୧୦୦ଜଣ ନୃତ୍ୟଶିଳ୍ପୀ ଅଭ୍ୟାସ ଜାରି ରଖିଛନ୍ତି।

ସମଗ୍ର ଭାରତକୁ ଓଡ଼ିଶା ଏକ ସୂତ୍ରରେ ବାନ୍ଧି ରଖିଛି ବୋଲି କଳାକାରମାନେ ନୃତ୍ୟ ମାଧ୍ୟମରେ ବାର୍ତ୍ତା ଦେବେ। ଏହାଛଡ଼ା ଓଡ଼ିଶାର ବିଭିନ୍ନ ଲୋକନୃତ୍ୟ, ପାରମ୍ପରିକ ବାଦ୍ୟ ଏଥିରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ମୁମ୍ବାଇର ଏକ ଡାନ୍ସ ଗ୍ରୁପ ଅଭ୍ୟାସ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here