ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ବ୍ୟାପୁଛି କୋରୋନା ଭାଇରସ୍‌। ଶୁକ୍ରବାର ସକାଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଥିବା ବେଳେ ସନ୍ଧ୍ୟାରେ ୮୧ ଛୁଇଁଛି।

ଆତଙ୍କ ଖେଳାଇଛି କୋରୋନା। ପ୍ରତିଦିନ ନୂଆ ନୂଆ ସନ୍ଦିଗ୍ଧ ଚିହ୍ନଟ ହେଉଥିବାରୁ ସବୁଠି ଭୟର ବାତାବରଣ ଖେଳି ଯାଇଛି। କୋରୋନାକୁ କେମିତି ମୁକାବିଲା କରାଯିବ ସେନେଇ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ଯାଏଁ ସମସ୍ତେ ଚିନ୍ତାରେ। ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚିଛି। ରାଜ୍ୟରୁ ରାଜ୍ୟକୁ ଏହି ଭାଇରସ୍‌ ଡେଉଁଥିବାରୁ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଦିଲ୍ଲୀରେ ଦିଲ୍ଲୀ ସରକାର କୋରୋନାକୁ ମହାମାରୀ ରୂପେ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଓଡ଼ିଶାରେ ଫିଲ୍ମ ହଲ, ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି।

ସେହିପରି ଉତ୍ତରାଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ମଣିପୁର, ମହାରାଷ୍ଟ୍ର, ପଞ୍ଜାବ ଏବଂ ଛତିଶଗଡ଼ରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି।

ସେହିପରି ସୁପ୍ରିମକୋର୍ଟ ମଧ୍ୟ କଟକଣା ଜାରି କରିଛନ୍ତି। ସୋମବାରଠୁ କେବଳ ଜରୁରୀ ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି।

କ୍ରିକେଟରେ କୋରୋନା ଭୟ

କ୍ରିକେଟ ଜଗତରେ କୋରୋନା ଭୟ ଘାରିଛି। ଆଇପିଏଲ ତାରିଖ ଘୁଞ୍ଚା ଯାଇଥିବା ବେଳେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ବାତିଲ ହୋଇଛି। ମାର୍ଚ୍ଚ ୨୯ରୁ ଆଇପିଏଲ ଆରମ୍ଭ ହେବାର ଥିଲା। ହେଲେ କୋରାନାକୁ ଦୃଷ୍ଟିରେ ରଖି ଆଇପିଏଲକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସେହିପରି ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ଚାଲିଥିବା ଦିନିକିଆ ସିରିଜ୍‌ର ଗୋଟିଏ ମ୍ୟାଚ ଶେଷ ହୋଇଥିଲା। ଆଉ ଦୁଇଟି ମ୍ୟାଚ ହୋଇଥାନ୍ତା। କିନ୍ତୁ ଏହି ସିରିଜକୁ ପୂରା ବାତିଲ କରିଦିଆଯାଇଛି।

ଓଡ଼ିଶାରେ ବିପର୍ଯ୍ୟୟ ଘୋଷଣା

କୋରୋନାକୁ ଓଡ଼ିଶାରେ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଧାନସଭାର ବଜେଟ୍‌ ଅଧିବେଶନକୁ ମାର୍ଚ୍ଚ ୩୧ ଯାଏଁ ସ୍ଥଗିତ ରଖିଛନ୍ତି ସରକାର। ଏହାସହ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରହିବାକୁ ସଚେତନ କରିବା ପାଇଁ ବାଚସ୍ପତି ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର କ’ଣ ନେଇଛି ପଦକ୍ଷେପ?

କୋରୋନା ଭାଇରସ୍‌ ବ୍ୟାପି ଚାଲିଥିବାରୁ କେନ୍ଦ୍ର ସରକାର ଏହାକୁ ମୁକାବିଲା ଅନେକ ପଦକ୍ଷେପ ନେଇଛନ୍ତି। ବିଦେଶୀ ନାଗରିକଙ୍କ ଭାରତ ଆସିବା ଉପରେ କଟକଣା ଜାରି କରାଯାଇଛି। ୧୩ ମାର୍ଚ୍ଚରୁ ୧୫ ଏପ୍ରିଲ ଯାଏଁ ଭିସା ବାତିଲ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଦେଶରୁ ଆସିଥିବା ୧୦ ଲକ୍ଷ ୫୭ ହଜାର ୫୦୬ ଜଣଙ୍କ ସ୍କ୍ରିନିଂ କରାଯାଇଛି। ବର୍ତ୍ତମାନ ଦେଶର ୩୦ଟି ଏୟାରପୋର୍ଟରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି।

ଦେଶରେ କୋରୋନା ଯାଞ୍ଚ ପାଇଁ ୫୧ ଲାବ, ୫୬ଟି କଲେକ୍ସନ ସେଣ୍ଟର ଖୋଲାଯାଇଛି।

LEAVE A REPLY

Please enter your comment!
Please enter your name here