ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ ଆତଙ୍କ ଯୋଗୁଁ ରାଜ୍ୟରେ କେବଳ ଯେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି ତାହା ନୁହେଁ, ରାଜନୈତିକ କାର୍ଯ୍ୟକଳାପ ଏକବାର ଠପ୍ ହୋଇଯାଇଛି। ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୩୧ ଯାଏଁ ସ୍ଥଗିତ ରଖାଯାଇଛି। ଯଦିଓ ବିରୋଧୀ ବିଜେପି ଆନୁଷ୍ଠାନିକ ଭାବେ କୌଣସି କାର୍ଯ୍ୟକ୍ରମ ବନ୍ଦ ଘୋଷଣା କରି ନାହିଁ ଦଳର କାର୍ଯ୍ୟକ୍ରମ କେବଳ ରାଜଧାନୀ ଭୁବନେଶ୍ଵର ଓ କିଛି ସହର ମଧ୍ୟରେ ସୀମିତ ରଖାଯାଇଛି।

ମାର୍ଚ୍ଚ ୫ରୁ ବିଜୁ ପଟ୍ଟନାୟକ ଜନ୍ମ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ଏକ ୧୫ ଦିନିଆ ଲୋକ ସମ୍ପର୍କ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ହେଲେ କରୋନା ଯୋଗୁଁ ତାହାକୁ ବନ୍ଦ ରଖାଯାଇଛି। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବିଜେଡ଼ି ତରଫରୁ ବିଜୁ ଜୟନ୍ତୀ ଉପଲକ୍ଷେ ଏହି ସବୁ ରାଲି ଓ କାର୍ଯ୍ୟକ୍ରମ କରିବାର ଯୋଜନା ଥିଲା। ତାହା ଏବେ ଆଉ ହେବନାହିଁ। ଆହୁରି ମଧ୍ୟ, ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ମଧ୍ୟ କରୋନା ପାଇଁ ବାତିଲ କରାଯାଇଛି।

ଠିକ ସେହିଭଳି କରୋନା ସମ୍ପର୍କରେ ଅବଗତ କରାଇବା ପାଇଁ କଂଗ୍ରେସ ଏକ କ୍ୟାଣ୍ଡେଲ ରାଲି ବାହାର କରିଥାନ୍ତା। କିନ୍ତୁ ତାହାକୁ ପରିହାର କରାଯାଇଛି।

କରୋନା ଯୋଗୁଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଥିଲେ ଓ ସେହି କାରଣରୁ ଅଧିକାଂଶ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମ ଏକରକମ ବନ୍ଦ ରହିଛି।

କରୋନା ଭାଇରସ୍‌ ଯୋଗୁଁ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଛି। ରାଜ୍ୟ ସରକାର ଏନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ଏହାସହ କଟକ-ଭୁବନେଶ୍ଵରରେ ବିଭିନ୍ନ ସପିଂ ମଲ୍‌, ସୁଇମିଙ୍ଗ ପୁଲ୍‌ ଓ ସିନେମା ହଲ୍‌କୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here