ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ କାବ୍ୟ ଜଗତକୁ ନୂତନ ଦିଗଦର୍ଶନ ଦେବାରେ କବି ବିନୋଦ ଚନ୍ଦ୍ର ନାୟକଙ୍କର ଥିଲା ଅତୁଳନୀୟ ଅବଦାନ।

ଓଡ଼ିଆ କାବ୍ୟ ଜଗତରେ କବି ବିନୋଦ ଚନ୍ଦ୍ର ନାୟକ ଏକ ଉଜ୍ଜ୍ୱଳ ନକ୍ଷତ୍ର। ଆଧୁନିକ କାବ୍ୟ ଜଗତର ଜଣେ ମନନଶୀଳ ଶିଳ୍ପୀ ଭାବରେ ତାଙ୍କର ରହିଛି ବିଶେଷ ସୁଖ୍ୟାତି। ନୂତନ ଛନ୍ଦ ତଥା ଦେଶ ବିଦେଶର ଭୌଗୋଳିକ ପ୍ରକୃତି ବର୍ଣ୍ଣନାରେ ଥିଲେ ଅପ୍ରତିଦ୍ୱନ୍ଦୀ ସ୍ରଷ୍ଟା। ଆଜି ସେହି ମହାନ କବିଙ୍କର ଜୟନ୍ତୀ। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବିନୋଦ ଚନ୍ଦ୍ର ନାୟକଙ୍କ ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଲିରେ ୧୯୧୯ ମସିହାରେ ହୋଇଥିଲା।

‘‘କବି ବିନୋଦ ଚନ୍ଦ୍ର ନାୟକ ଓଡ଼ିଶା ସାହିତ୍ୟ ଏକାଡେମୀର ଏକଦା ସଚିବ ଓ ଉପସଭାପତି ଭାବେ କାମ କରିଛନ୍ତି। ଜୀବନବ୍ୟାପୀ ସାହିତ୍ୟ  ସାଧନା ନିମନ୍ତେ ୨୦୦୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଲାଭ କରିଥିଲେ। ଓଡ଼ିଶାର ପୁରପଲ୍ଲୀରେ ସେ ପରିଚିତ। ତାଙ୍କର ଅନନ୍ୟ ସୃଷ୍ଟି ‘ସରୀସୃପ’ କାବ୍ୟ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

‘‘କବି ବନୋଦ ଚନ୍ଦ୍ର ନାୟକଙ୍କ କବିତାରେ ରୋମାଣ୍ଟିସଜିମ୍‌ ସହ ବାସ୍ତବତାର ପ୍ରୟୋଗ ଥିଲା। ସେ ସେମୟରେ ଅନ୍ୟ କବିଙ୍କଠାରୁ ସେ ଥିଲେ ପୃଥକ। ତାଙ୍କ କବିତାରେ ନୂତନ ଶବ୍ଦ ପ୍ରୟୋଗ ଓ ନୂତନ ଉପମା ଲକ୍ଷ୍ୟ କରାଯାଏ। ସେ ମୁକ୍ତ କବିତାର ପ୍ରବର୍ତ୍ତକ ଭାବେ ସ୍ୱୀକୃତି ଲାଭ କରିଥିଲେ। ତାଙ୍କ କବିତାରେ ଛନ୍ଦର କୌଣସି ପାରମ୍ପରିକ ନିର୍ଦ୍ଦିଷ୍ଟତା ନାହିଁ। ଜୀବନ ସଂଗ୍ରାମର ଭଗ୍ନାଂଶକୁ କବିତାରେ ରୂପାୟିତ କରିବାର ସ୍ପର୍ଦ୍ଧା ତାଙ୍କର ଥିଲା’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ରୋମାଣ୍ଟିକ ଚେତନା, ମାନସିକ ଦ୍ୱନ୍ଦ୍ୱ, ଅତି ବାସ୍ତବବାଦ ଥିଲା କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତାର ମୁଖ୍ୟ ସ୍ୱର। ତାଙ୍କର ଅତି ବାସ୍ତବବାଦୀ କବିତା ଓଡ଼ିଆ ସାହିତ୍ୟର ଆଧୁନିକତା ଓ ସମକାଳୀନ ଆଧୁନିକତାରେ ଏକ ସେତୁ ନିର୍ମାଣ କରିଥିଲା।’’

‘‘ଗୋଟିଏ ସମୟରେ ସଚ୍ଚି ରାଉତରାୟ, ବିନୋଦ ଚନ୍ଦ୍ର ନାୟକ, ଗୁରୁ ପ୍ରସାଦ ମହାନ୍ତି ଚମତ୍କାର କବିତା ଓଡ଼ିଶା ସାହିତ୍ୟକୁ ଉପହାର ଦେଇଥିଲେ। ସଚ୍ଚି ରାଉତରାୟ, ବିନୋଦ ଚନ୍ଦ୍ର ନାୟକଙ୍କ ମଧ୍ୟରେ ଗୋଟିଏ ସମାନତା ପରିଲକ୍ଷିତ ହେଉଥିଲା ତାହା ହେଲା ପଲ୍ଲୀ କବିତା। ଯେତେବେଳେ ସଚ୍ଚି ରାଉତରାୟ ଲେଖିଥିଲେ ‘ଛୋଟ ମୋର ଗାଁ ଟି’, ସେତେବେଳେ ବିନୋଦ ନାୟକ ଲେଖିଥିଲେ ‘ଗ୍ରାମପଥ’ କବିତା। କେବଳ ପଲ୍ଲୀ କବିତା ବିନୋଦ ଚନ୍ଦ୍ର ନାୟକ ଦେଇଛନ୍ତି ତାହା ନୁହେଁ ଅନେକ ରୋମାଣ୍ଟିକ କବିତା ମଧ୍ୟ ସେ ପାଠକଙ୍କୁ ଭେଟି ଦେଇଛନ୍ତି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

‘‘କିବ ବିନୋଦ ଚନ୍ଦ୍ର ନାୟକ ଓଡ଼ିଆ କାବ୍ୟ ଜଗତର ଜଣେ ସାରସ୍ୱତ ସ୍ରଷ୍ଟା। ତାଙ୍କ କବିତାରେ ନିଜ ମାଟି ଓ ଗରିମା ପ୍ରତି ବିଶ୍ୱସ୍ତତା ସୃଷ୍ଟି କରିବାରେ ସଫଳ ହୋଇଥିଲେ। ତାଙ୍କ କବିତତ୍ୱ ବିସ୍ତାରିତ ହୋଇଛି ଦୂର ଦିଗବଳୟକୁ। ସେ ଥିଲେ ଗ୍ରାମୀଣ ଭୂଚିତ୍ରର ଗନ୍ତାଘର। କିବତା ସାଙ୍ଗକୁ କାବ୍ୟ ନାଟିକା, ଅନୁବାଦ, ପ୍ରବନ୍ଧ, ସମାଲୋଚନା ଲେଖିବାରେ  ଏହି କବିଙ୍କ କୃତିତ୍ୱ ଅବିସ୍ମରଣୀୟ। ଜଣେ ସଫଳ ଶିକ୍ଷାବିତ୍‌ ଭାବେ ମଧ୍ୟ ସେ ନିଜକୁ ଗଢ଼ି ତୋଳିଥିଲେ’’, କହିଛନ୍ତି  ବିଶିଷ୍ଟ ସାହିତ୍ୟିକ ଅଶ୍ୱିନୀ କୁମାର ମଶ୍ର।BGU

‘‘୧୯୩୦ ପରେ ସାହିତ୍ୟ ଜଗତକୁ ପ୍ରବେଶ କରିଥିଲେ ବିନୋସ ଚନ୍ଦ୍ର ନାୟକ। ଗୋଟିଏ ପଟେ ପରାଧୀନ ଭାରତ, ଅନ୍ୟପଟେ ପାଶ୍ଚାତ୍ୟ ଶିଳ୍ପ ବିପ୍ଳବ। ଏହାଛଡ଼ା ଦୁଇ ଦୁଇଟି ବିଶ୍ୱଯୁଦ୍ଧର କାହାଣୀ। ଏହାରି ଭିତରେ କବିତା ଲେଖିବା ଆରମ୍ଭ କରିଥିଲେ ବିନୋଦ ନାୟକ। ବିନୋଦ ନାୟକଙ୍କ କାବ୍ୟ ସଂରଚନା ପରବର୍ତ୍ତିତ ବିଶ୍ୱ ଚେତନା ଦ୍ୱାରା ପରିଚାଳିତ ହୋଇଥିଲା,’’ କହିଛନ୍ତି ବିଶିଷ୍ଟ ସମାଲୋଚକ ନଗେନ ଦାସ।

ବିନୋଦ ଚନ୍ଦ୍ର ନାୟକଙ୍କ କାଳଜୟୀ ସୃଷ୍ଟି ମଧ୍ୟରେ ରହିଛି ସରୀସୃପ, ହୈମନ୍ତୀ, ଚନ୍ଦ୍ର ଓ ତାରା , ଇଲାବୃତ୍ତ , ନନ୍ଦାଦେବୀ, ଶତ ତାରାର ଦ୍ୱୀପ ଆଦି।

LEAVE A REPLY

Please enter your comment!
Please enter your name here