ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନମୋହନ ମିଶ୍ର ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଅଗ୍ନିବର୍ଷୀ କବି, ଲୋକପ୍ରିୟ ଲେଖକ ଏବଂ ସାମ୍ୟବାଦୀ ଚିନ୍ତାନାୟକ।

ମନମୋହନ ମିଶ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ, କବି, ଭାଷାବିତ୍‌ ଭାବେ ପରିଚିତ। କବିତା ଲେଖିବା, ସ୍ୱର ସଂଯୋଜନା କରିବାରେ ସେ ଥିଲେ ପାରଙ୍ଗମ। ଏହାସହ ସ୍ୱରଚିତ କବିତାଗୁଡ଼ିକୁ ଆବୃତ୍ତି କରି ସେ ଦେଶର ଅଗଣିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲେ। ମନମୋହନ ମିଶ୍ର ମାର୍ଚ୍ଚ ୨୩, ୧୯୨୦ରେ ଜନ୍ମ ହୋଇଥିଲେ। ୨୦୦୦ ମସିହା ନଭେମ୍ବର ୧୯ରେ ସେ ଦୁନିଆରୁ ବିଦାୟ ନେଇଥିଲେ।

ମନମୋହନ ମିଶ୍ରଙ୍କ ପୂଣ୍ୟତିଥି ଅବସରରେ ପଢ଼ନ୍ତୁ ତାଙ୍କ ଲେଖନୀରୁ ଏକ କବିତା…

ସମ୍ଭବାମି

(୧୯୭୪, କଟକ)

 ବହୁ ଦିନୁଁ ମୁଁ ସ୍ୱାକ୍ଷର କରି ସାରିଛି,

ହୋଲି ଆଉ ଇଦ୍‌ର ଚାନ୍ଦ୍

ଏହି ଆକାଶରେ ଠିକ୍ ସମୟରେ ଉଠିବ।

ଚିନ୍ତା ନାହିଁ,

ଏହା ମଞ୍ଜୁର ହୋଇଛି, ସ୍ୱାକ୍ଷର ସରିଛି ।।

ହିମାଳୟ ଭାଲରେ ଏ’ ସ୍ୱାକ୍ଷର

ମହୋଦଧିର ତରଙ୍ଗରେ

କଣାରଖର ଚୂଡାରେ, ଏହି ଅମଳିନ ସ୍ୱାକ୍ଷର,

ମମତାର, ଏକତାର, ସମତାର,

ମାନବତାର ଏ’ ସ୍ୱାକ୍ଷର

ବହୁ ପ୍ରାଚୀନ,

ଅମଳିନ, ଏ’ ସ୍ୱାକ୍ଷର ସରିଛି ।।

ଜଗନ୍ନାଥର ମୁଖଶାଳାର

ପ୍ରଦୀପମାନେ ସାକ୍ଷୀ ଥିଲେ,

ଜୁମା ନମାଜ୍‌ର ପ୍ରତିଧ୍ୱନି ମାଳା ଡାକିଥିଲେ,

ମୋ’ ଆଖିର ସୂର୍ଯ୍ୟ,

ମୋ’ କଣ୍ଠର ତୂର୍ଯ୍ୟ,

ମୋ’ ବାହୁର ରକେଟ୍,

ଆଉ ମୋ’ ଲେଖନୀର ରେଡିୟମ୍ ଛୁରୀ, ଟାକିଥିଲେ,

ଯେତେବେଳେ ମୁଁ ମଞ୍ଜୁର କଲି,

ହୋଲି ଆଉ ଇଦର ଚାନ୍ଦ୍ ଠିକ୍ ସମୟରେ ଉଠିବ ।।

ଏହି ମୋ’ର ଆଦେଶ,

ବିରୋଧରେ ବହୁ ଦରଖାସ୍ତ ପଡ଼ିଛି ।

ବହୁ ଅପଦାର୍ଥ, ଅବରଦାସ୍ତ ଦରଖାସ୍ତ,

ହଜାର୍ କୋଶିସ୍, ଲକ୍ଷ କୁର୍ଣ୍ଣୀସ୍,

ତିନିଟା ପାନିପଥ, ଆଉ କୁରୁକ୍ଷେତ୍ର, ଆଉ ପଲାସୀ,

ବହୁ ଘାତ ପ୍ରତିଘାତ, ଲୁଟି କାଳଫାଶୀ,

ଭ୍ରାତୃହତ୍ୟାର ତରବାରୀ, ନାଥୁରାମ ଆଉ ଜିଜିୟା,

ଆଉ ଧାଡ଼ି ଧାଡ଼ି ରିଫ୍ୟୁଜି ଗାଡି..ଏବେ ବି ଚାଲିଛି ।

ଜାଲିମର ଘୃଣ୍ୟ ବିଜ୍ଞାପନ,

ବର୍ବରତାର ଗୌରବ ଭୁଷଣ,

କଞ୍ଛା ମାଂସର ପଲପ୍ ଖଳି, ମେଦର ମେରୁ ପାହାଡ,

ରାଶି ରାଶି ଅମାନୁଷୀ ମଣିଷର ହାଡ,

ତଥାପି ମୋ’ କଣ୍ଠର ଅୟୁତ ସରସ୍ୱତୀ

ଅୟୁତ ଭାଷାରେ ଘୋଷଣା କରିଛି,

ସେହି ଅମୃତ ଉଚ୍ଚାରଣ,

କ୍ଷମାକର, କ୍ଷମାକର,

ଆଲ୍ଲା ହୋ ଆକବର,

ଶରଣଂ ଗଚ୍ଛାମି,

ସେ’ ଅମୃତ ଭୟ ରଖ,

ଯୁଗର ଲୋମ ମୂଳେ

ଜଗାଇଛି ଶିହରଣ,

“ଯୁଗେ ଯୁଗେ ସମ୍ଭବାମି।।”

ଗାଗାରିନ୍ ଅର୍ବାଚୀନ,

ତା’ର ବହୁ ପୂର୍ବରୁ,

ଚରାଚରୁ, ମୋ’ର ସଂପ୍ରୀତିର ସାମ୍ରାଜ୍ୟ ଲୋଡିଛି,

ହିମାଳୟ ବୁକୁରେ ଶରଣ ପଞ୍ଜର ବନ ତୋଳିଛି,

ପ୍ରାଚୀର ପାରାବାର ମୁଖରେ ମମତାର ପରାଗ ବୋଳିଛି,

ମିସିସିପିର ଦର୍ପଣରେ   କଣାରଖର ମୁଖ ପଖାଳିଛି ।

ମୋ’ର ଦେହାତୀତ,

ଗୁରୁତାହୀନ,

ପାର୍ଥିବ ଆଦେଶ ଘେନି

ସୂର୍ଯ୍ୟ ମୋ’ର ଖାଦ୍ୟ ତିଆରିଛି,

ଆଉ ମୋ’ର ଆଦେଶରେ ବାଧ୍ୟ ହୋଇଛି

ପୂର୍ଣ୍ଣିମା ଆଉ ଇଦ୍ ର ଚାନ୍ଦ୍ ।।

ତୁମେ ଚିନ୍ତା କରନାହିଁ,

ତହା ଏହି ଆସମାନ୍‌ରେ, ଯଥାବିଧିରେ ଉଠିବ ।

କାରଣ,

ମୁଁ ହିନ୍ଦୁସ୍ତାନର କବି,

ଏକର ନୁହେଁ, ଅନେକର,

କୋଟିକଣ୍ଠର, ଅଭିଷେକର।

ମୁଁ ପଥରର ଛ୍ହାତି,

ମୁଁ ଅନ୍ଧାରର ଭାତି,

ମୁଁ ନୀଳକଣ୍ଠର ସର୍ପହାର,

ହିମାଚଳ ମୋ’ର ବାହୁ,

ପୃଥିବୀ ମୋ’ର ପାଦ,

ସାଗର ମୋ’ର ପନୀୟ,

ଚରାଚର ମୋ’ର ସାଥୀ

ମୋ’ର ଛୋଟ ହେବର ଉପାୟ ନାହିଁ,

କାରଣ,

ମୋ’ର ସ୍ୱାକ୍ଷରରେ

ପୂର୍ଣ୍ଣିମା ଓ ଇଦ୍‌ର

ଚନ୍ଦ୍ର ଠିକ୍ ସମୟରେ ଉଠିବ।।

LEAVE A REPLY

Please enter your comment!
Please enter your name here