ବିଜୟ ମୋହନ ମିଶ୍ର

ମନମୋହନ ମିଶ୍ର ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଅଗ୍ନିବର୍ଷୀ କବି, ଲୋକପ୍ରିୟ ଲେଖକ ଏବଂ ସାମ୍ୟବାଦୀ ଚିନ୍ତାନାୟକ।

(ଶ୍ରୀଯୁକ୍ତ ମନମୋହନ ମିଶ୍ରଙ୍କର ଅଷ୍ଟାଦଶ ପ୍ରୟାଣ ଦିବସ ଉପଲକ୍ଷେ)

ସ୍ୱର୍ଗତ ମନମୋହନ ମିଶ୍ର ମୋ ପାଇଁ ଦ୍ୱିତୀୟ ପୁରୁଷ – ସେ ମୋର ପିତା, ପିଲାଦିନରୁ ମୋର ଜଣାଶୁଣା। ବର୍ତ୍ତମାନ ମୋର ପରିଣତ ବୟସରେ ତାଙ୍କୁ ଆବିଷ୍କାର ବୋଲି କହିବା ମୋର ନିଜର ନିର୍ବୋଧପଣିଆର ପରିଚୟ। ତେବେ ମଣିଷ ଚିହ୍ନିବାକୁ ଅନୁଭୂତି ଦରକାର। ପିଲା ବୟସରେ ତାଙ୍କର ବ୍ୟକ୍ତିତ୍ୱକୁ ତଉଲିବା ପାଇଁ ମୋର ସାମର୍ଥ୍ୟ ନଥିଲା। ଏବେ ବି ନାହିଁ, କିନ୍ତୁ ପିତା ହିସାବରେ ତାଙ୍କୁ ବୁଝିବା କର୍ତ୍ତବ୍ୟ ବୋଲି ଏ ଲେଖା ଲେଖୁଛି।

ଅଜଣା ଜାଗା ବା ନୂଆ ପଦାର୍ଥ ଆବିଷ୍କାର କରାଯାଏ। କବି ମନମୋହନ ମୋ ପାଇଁ ଏକ ନୂଆ ପଦାର୍ଥ- ଏ ପଦାର୍ଥର ଭାବ ଅଛି, ମନ ଅଛି, ହୃଦୟ ଅଛି, ଆବେଗ ଅଛି- ସର୍ବୋଚ୍ଚ ଭାବରେ ଏ ମଣିଷର ସ୍ୱର ଅଛି। ତା’ର ହୃଦୟର କଥା ତା’ର ସ୍ୱର, ସେ ସ୍ୱର ଆପଣାର ଆତୁରତା ନୁହେଁ,  ପୃଥିବୀର ଖଟିଖିଆର ଆନନ୍ଦ, ଉତ୍ତୋଳନ। ପୃଥିବୀର ଖଟିଖିଆ ରୂପ ପାଇଛି ଓଡ଼ିଆ ମଜଦୁର ଭାବରେ। ପରିସ୍ଥିତିର ଚାପରେ ଓଡ଼ିଆ ମଜଦୁର ଖଜଣା ଦେଇ ସର୍ବସ୍ୱାନ୍ତ ହୁଏ, ଅନାହାରରେ ରହେ, ଚା’ ବଗିଚାରେ କାମ କରେ। ଓଡ଼ିଶାର ଶିଳ୍ପନିପୁଣ କାରିଗର ମୂଲିଆ କାମ କରେ, ମୁଣ୍ଡ ବିକେ, ଠିକାଦାରକୁ ଲାଞ୍ଚ ଦିଏ, ତୋରାଣି ପିଇ ଜଗନ୍ନାଥଙ୍କୁ ଡାକେ।

ଓଡ଼ିଆ ପାଇକ, ଓଡ଼ିଆ ବିନ୍ଧାଣୀ, ଓଡ଼ିଆ ସାଧବ- ଆଉ ଓଡ଼ିଆ ଚାଷୀ। ଭୂଇଁ ତା’ର ସମ୍ପତ୍ତି, ମାଟି ତା’ର ରାହା। ଭୂଇଁରେ ଫସଲ ଅଛି। ଚାଷ କରି ଓଡ଼ିଆ ସୁନା ଆଣିପାରେ, ତା’ ଠାକୁରାଣୀକୁ ଲୁଗା ଦେଇପାରେ। ନାଚିପାରେ, ଗାଇପାରେ, ମତୁଆଲା ହୋଇ ଆନନ୍ଦରେ ମସ୍‌ଗୁଲ୍‌ ହୋଇପାରେ। ତା’ର ଜମିକୁ ନଜର କରନାହିଁ। ଓଡ଼ିଆ ସରଳ, ତା’କୁ ଲୁଟ କରନାହିଁ। ତା’ ପାଣି ତା’ଠାରୁ ଛଡ଼ାଇ ନିଅନାହିଁ।

ଅନେକ କବି ଓ ଲେଖକ ଓଡ଼ିଆର ଭାବ ଚିହ୍ନିଛନ୍ତି। କବି ଜୟଦେବ ଓଡ଼ିଆ ଝିଅଠାରେ ରାଧା ଦେଖିଛନ୍ତି, କବି ଶାରଳା ଶବର ଭୂଇଁରୁ ଜଗନ୍ନାଥ ସୃଷ୍ଟି କରିଛନ୍ତି, କବି ଜଗନ୍ନାଥ ଠାକୁରକୁ ନିଜ ଭିତରେ ଉପଲବ୍ଧି କରିଛନ୍ତି, କବି ଉପେନ୍ଦ୍ର ଶବ୍ଦ ସଂଯୋଗ କରି ଲାସ୍ୟ ଯୋଖିଛନ୍ତି, ଲେଖକ ଫକୀରମୋହନ ଓଡ଼ିଆ ସମାଜର ରୀତିନୀତିକୁ ସାହିତ୍ୟ କରିଛନ୍ତି, କବିବର ରାଧାନାଥ ଓଡ଼ିଶାର ପ୍ରାକୃତିକ ଦୃଶ୍ୟରେ ବିମୋହିତ ହୋଇଛନ୍ତି, ଆଉ ଉତ୍କଳମଣି ଗୋପବନ୍ଧୁ ଦେଶର ସ୍ୱାଧୀନତା ପାଇଁ ଡାକରା ଦେଇଛନ୍ତି। ଏ ସମସ୍ତେ ଆମର ନମସ୍ୟ। କବି ମନମୋହନ ଓଡ଼ିଆମାନଙ୍କର ଦରଦୀ ପ୍ରାଣ ଦେଖିଛନ୍ତି। ଖଣିମୂଲିଆର ଜୀବନରେ ହସ ଖୋଜିଛନ୍ତି। ସାମନ୍ତବାଦୀ ସମାଜରେ ମଣିଷ ଚିହ୍ନଟ କରିଛନ୍ତି। ଏ ହେଲା ମୋର ଆବିଷ୍କାର।

ଏ ସବୁ ଭିତରେ ଓଡ଼ିଆର ପରିଚୟ କେଉଁଠି? ଓଡ଼ିଆର ପରିଚୟ ତା’ର ଭାଷା, ତା’ର କଥାର ଠାଣି, ତା’ର ଶବ୍ଦର ସ୍ୱଚ୍ଛନ୍ଦତା। ଓଡ଼ିଆ କଥିତ ଭାଷା କେତେ ପୁରୁଣା, ତା’ କହି ହେବ ନାହିଁ, ତେବେ ଓଡ଼ିଆ ନିଜର ମୌଳିକ ଭାଷା। ଭାଷାରେ ମାଟି, ପାଣି ଓ ପବନ ନିହିତ ରହିଛି। ଓଡ଼ିଆ ବ୍ୟାକରଣ କଥାର ବ୍ୟାକରଣ, ଏଥିରେ ବାହାର କଟକଣା ନାହିଁ। ମୁଁ ଯାଉଛି, ମୁଁ ଯାଉଅଛି, ମୁଁ ଯାଉଛେ- ତିନୋଟି ପ୍ରୟୋଗ ଠିକ୍। ପ୍ରସଙ୍ଗକ୍ରମେ ମୁଁ ଯାଏ ବୋଲି ମଧ୍ୟ କୁହାଯାଇପାରେ।

ଓଡ଼ିଆ ଲୋକଭାଷା – ଏହା ତୁଠର ଭାଷା, ହାଟର ଭାଷା। ଓଡ଼ିଆ ଶବ୍ଦ ସଂଜ୍ଞାମୂଳକ, ପଦାର୍ଥବାଚୀ, କ୍ରିୟାବାଚୀ ନୁହେଁ। ଓଡ଼ିଆ ବିଶେଷଣ ବିଶେଷ୍ୟରୁ ତିଆରି। ପ୍ରକୃତିଗତ ଭାବରେ ପାଠୁଆ, ଗଛୁଆ, ମିଛୁଆ – ସ୍ୱଭାବଗତ ଭାବରେ ପାଣିଆ, ବହଳିଆ, ନେଳିଆ, ନାଲିଆ। ଓଡ଼ିଆ କାହିଁକି ପଦାର୍ଥବାଚୀ, ତାର ଗବେଷଣା ହୋଇନାହିଁ। ଓଡ଼ିଆ ଠାକୁର ଶୂନ୍ୟ – ବ୍ରହ୍ମାଣ୍ଡ ଏକ ଶୂନ୍ୟ ପଦାର୍ଥ, ଅନ୍ୟ ସମସ୍ତେ ବ୍ରହ୍ମାଣ୍ଡରୁ ସୃଷ୍ଟି। ଏ ସୃଷ୍ଟିର ଧାରଣର ଅଛି, କ୍ରିୟାନାହିଁ। ଏ ସୃଷ୍ଟି ସନାତନ। ଦୁଃଖ ସୁଖ ଗୋଟିଏ ମାୟା। ଠାକୁର ପ୍ରାଣୀର ମଙ୍ଗଳ କରେ।

ଓଡ଼ିଆ ଠାକୁର ମାଟିରେ ରହେ, ଆକାଶରେ ନୁହେଁ। ପାଣି, ପବନରେ ମିଶେ, ଜୀବନରେ ରସ ଆଣେ, ମଣିଷ ସାଥିରେ ରହେ, ମଣିଷ ସାଥିରେ ଲଢ଼େ। ମଣିଷର ଅନ୍ତର କଥା ଜାଣେ, ମଣିଷକୁ ବାଟ କଢ଼ାଏ। ଠାକୁର ବଳରେ ଓଡ଼ିଆ ଶକ୍ତ, ସବଳ ଓ ଦାମ୍ଭିକ। ଠାକୁର ବଳରେ ଓଡ଼ିଆ ମାଟି କାମୁଡ଼ି ରହେ, ମାଟିରୁ ଲକ୍ଷ୍ମୀ ତିଆରି କରେ। ଓଡ଼ିଆର କାରିଗରି ତା’ର ଠାକୁର। ତା’ର ନିହଣ ଲଙ୍ଗଳ ପୂଜା ପାନ୍ତି। ଓଡ଼ିଆ ପାଇଁ ଠାକୁର ହେଉଛି ଶକ୍ତି, ଠାକୁର ଏକ ସଂଯୋଗ। ଠାକୁରର ଆଖି, ନାହିଁ, ଠାକୁରର ନାକ ନାହିଁ। ସେ ନିର୍ବିକାର, କିନ୍ତୁ ଠାକୁର ଓଡ଼ିଆର ବନ୍ଧୁ।

ଓଡ଼ିଆ ପ୍ରାଣ ଭାରତବର୍ଷ ସହ ସାମିଲ୍। ଭାରତବର୍ଷ ପଞ୍ଚୁବର୍ଣ୍ଣ, ଅଷ୍ଟଧାତୁ। ହିମାଚଳରୁ କନ୍ୟାକୁମାରୀ, ପଠାଣଠାରୁ ନାଗା। ବାହିନୀ ବାହିନୀ ଲୋକ, ନାନା ସମ୍ପ୍ରଦାୟ। ଯୁବକ ମନମୋହନ ବିସ୍ମିତ ହୋଇଛନ୍ତି। ଶାନ୍ତିର କପୋତକୁ କମାଣର ଦ୍ରୋହ! ଏ ବିଡମ୍ବନା କାହିଁକି? ଯୁବ ବୟସରେ ମନରେ ବିପ୍ଳବ ଆଣିଛି, ପ୍ରତିକାର ଆବଶ୍ୟକ! ପତାକା ଉଡ଼ାଇ ଦେଶ ଶାସନ ହୁଏ ନାହିଁ! ଜନତାକୁ ନମସ୍କାର କର! ଭାରତ ଭୂଇଁର ମାନ ରକ୍ଷା କର। ଗୋରା ସରକାର ହଟି ଯାଅ! ଯୁବକ ମନମୋହନ ଆହ୍ୱାନ ଦେଲେ:

ଟେକିଲି ଏ ବଳିଆର ଭୂଜ

ଛତ୍ରପତି ମୁଁ ଏ ଭାରତ!

କରଇ ସ୍ୱାଗତ

ୟାର ପରାଜୟ ନୁହଁଇ ସମ୍ଭବ

ଦୁନିଆର ଯେତେ ଶକ୍ତି ଏହାସାଥେ ଯୁଝ

ଅଜେୟ ଏ’ ବଳିଆର ଭୁଜ!

(ମୁହିଁ ହିନ୍ଦୁସ୍ଥାନ (୧୯୪୬))

ସ୍ୱାଧୀନତା ଗୋଟିଏ ଆଶା ନୁହେଁ। ଦେଶକୁ ଗଢ଼ିବାକୁ ହେବ, ଶପଥ ନେବାକୁ ହେବ, ଅତ୍ୟାଚାରରୁ ମୁକୁଳିବାକୁ ପ୍ରତ୍ୟେକ ବ୍ୟକ୍ତିକୁ ସିପାହୀ ହେବାକୁ ହେବ, ସ୍ୱର ଉତ୍ତୋଳନ କରିବାକୁ ହେବ:

ଆହ୍ୱାନେ ଜନନୀ ହିନ୍ଦୁସ୍ତାନ

କିଏ ଭାଗ୍ୟବାନ ହୁଅ ଆଗୁଆନ

ଏଥି ସାର୍ଥକ ଜୀବନର ବଳିଦାନ

ଆସ ବାଳୁତ ବୃଦ୍ଧ ନାରୀ ନର

ଶପଥ କର!

ସିପାହୀରେ, ଶପଥ କର!

(ଶପଥ କର, ୧୯୫୩)

ହେ ଓଡ଼ିଆ, ଶପଥ କର, ସଫଳ ହୁଅ! ତୁମେ ଯୁଦ୍ଧ ଫେରାନ୍ତା ସିପାହୀ, ତୁମେ ନଉକାବାହୀ ବାଜିରାଉତ, ତୁମେ ଶିଳ୍ପୀ ଧର୍ମପଦ, ତୁମେ ସାହସୀ ସଉଦାଗର:

ଜନମ ମାଟି ନାଆଁରେ ତୁହି

ଶପଥ କର ଛୁଇଁ ଏ ଭୂଇଁ,

ପେଟର ଭୋକ, ବାହାର ଝଡ଼, ସକଳ ଯିବୁ କାଟିରେ

ଲାଲ୍ ଓଡ଼ିଶା ମାଟି-

ସଲାମ୍ ନିଅ, ପ୍ରଣାମ ନିଅ, ଯେତେକ ବୀର ସାଥୀ ମୋ’

ଲାଲ୍ ଓଡ଼ିଶା ମାଟି!

(ଲାଲ୍ ଓଡ଼ିଶା ମାଟି, ୧୯୪୩, ୧୯୫୩)

ବୀର ସାଥୀଙ୍କୁ ସଲାମ୍‌!

(ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ଯୁକ୍ତରାଷ୍ଟ୍ର ଆମେରିକା)

Comment