ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ମଙ୍ଗଳବାର ଚାଷୀ ଆନ୍ଦୋଳନ ଓ ନୂଆ କୃଷି ଆଇନକୁ ନେଇ ଦାଏର ହୋଇଥିବା ବିଭିନ୍ନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ବଡ଼ ଘୋଷଣା କରିଛନ୍ତି।

ଅନ୍ୟପଟେ ଚାଷୀ ଓ କେନ୍ଦ୍ର ସରକାର ଭିତରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟିର ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି କମିଟି ଚାଷୀ ସଙ୍ଗଠନ ଓ ସରକାରଙ୍କ ଭିତରେ ଆଲୋଚନା କରି ବିବାଦର ସମାଧାନ କରିବ ବୋଲି କୁହାଯାଇଛି।ଗତକାଲି ମଧ୍ୟ ସୁପ୍ରିମକୋର୍ଟ ଏନେଇ ଅଳ୍ପ ସୂଚନା ଦେଇଥିଲେ। ଚାଷୀ ଆନ୍ଦୋଳନ ରୋକିବାକୁ ଯଦି ସରକାର କୃଷି ଆଇନ ଉପରେ ରୋକ୍ ନଲଗାନ୍ତି ତେବେ କୋର୍ଟ ଏହା ଉପରେ ରୋକ୍ ଲଗାଇବେ ବୋଲି କହିଥିଲେ। ଏହାପରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଛନ୍ତି।

ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ସଂସଦରେ ପାରିତ କରିଥିଲେ। ଏହାପରେ ଏହି ନୂଆ ଆଇନକୁ ନେଇ ବିବାଦ ଉପୁଜିଥିଲା। ପଞ୍ଜାବ ଓ ହରିୟାଣାର ହଜାର ହଜାର ଚାଷୀ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା। ଚାଷୀମାନେ ଦିଲ୍ଲୀ ମୁହାଁ ହେବା ସହିତ ସିଙ୍ଘୁ ସୀମାକୁ ଜାମ୍ କରିଦେଇଥିଲେ। ଗତ ୪୦ ଦିନରୁ ଅଧିକ ସମୟ ହେଲା ଚାଷୀମାନେ ସେମିତି ଆନ୍ଦୋଳନ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here