ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତା ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
‘‘ନେତାଜୀ ଭାରତର ପରାକ୍ରମ ଓ ପ୍ରେରଣାର ପ୍ରତିମୂର୍ତ୍ତି। ସେ ରାଣୀ ଝାନ୍ସି ରେଜିମେଣ୍ଟ କରି ମହିଳାଙ୍କୁ ଆଗକୁ ଆଣିଥିଲେ। ନିଜ ଭୂମିରେ ନିଜ ସରକାର ପାଇଁ ସେ ସଂକଳ୍ପ ନେଇଥିଲେ। ଆଣ୍ଡାମାନରେ ତ୍ରିରଙ୍ଗା ଉଡ଼ାଇ ସେ ନିଜ ସଂକଳ୍ପ ପୂରା କରିଥିଲେ। ନେତାଜୀଙ୍କ ପାଖରେ ଦେଶ କୃତଜ୍ଞ’’, ନେତାଜୀ ଜୟନ୍ତୀ ଅବସରରେ କୋଲକାତା ଭିକ୍ଟୋରିଆ ହଲରେ ଅଭିଭାଷଣ ରଖି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
‘‘ଆଜି କୋଲକାତା ଆସିବା ମୋ ପାଇଁ ସୌଭାଗ୍ୟର ବିଷୟ। କାରଣ ନେତାଜୀ ମୋ ପାଇଁ ସବୁବେଳେ ପ୍ରେରଣା ରହି ଆସିଛନ୍ତି। ଛୋଟ ବେଳୁ ତାଙ୍କ ନାଁ ମତେ ଶକ୍ତି ଦେଉଥିଲା। ତାଙ୍କ ବିଷୟରେ ବର୍ଣ୍ଣନା କରିବା ପାଇଁ ଶବ୍ଦ କମ୍। ତାଙ୍କର ଅଦମ୍ୟ ସାହସ ଦେଖି ପୂରା ବିଶ୍ୱ ତାଜୁବ ହେଉଥିଲା। ଆଜିର ଦିନରେ ନେତାଜୀ ନୁହେଁ ଭାରତର ଆତ୍ମ ଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ତ୍ୟାଗ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ’’, କହିଛନ୍ତି ମୋଦୀ।
ମୋଦୀ ଆହୁରି କହିଛନ୍ତି, ‘‘ଆଜି ଯେତେବେଳେ ନେତାଜୀଙ୍କ ପ୍ରେରଣା ସହିତ ଭାରତ ଆଗକୁ ବଢ଼ୁଛି, ସେତେବେଳେ ଆମ ସମସ୍ତଙ୍କ କର୍ତ୍ତବ୍ୟ ଯେ ତାଙ୍କ ଯୋଗଦାନକୁ ପର ପିଢ଼ିକୁ ଜଣାଇବା। ତେଣୁ ଦେଶ ନିଷ୍ପତ୍ତି ନେଇଛି ଯେ ଏବେଠାରୁ ପ୍ରତିବର୍ଷ ଆମେ ନେତାଜୀଙ୍କ ଜନ୍ମ ବାର୍ଷିକୀ ଅର୍ଥାତ୍ ଜାନୁଆରି ୨୩କୁ ‘ପାରକ୍ରାମ ଦିବସ’ ଭାବରେ ପାଳନ କରାଯିବ। ଦେଶ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ନେଇ ଆଗକୁ ବଢ଼ୁଛି, ସେତେବେଳେ ନେତାଜୀଙ୍କ ଜୀବନ, କାର୍ଯ୍ୟ, ନିଷ୍ପତ୍ତି ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା ହେବ।’’
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କୋଲକାତା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଠାରେ ସର୍ବପ୍ରଥମେ ମୋଦୀ ନେତାଜୀ ଭବନ ଯାଇ ସୁଭାଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ନାସନାଲ ଲାଇବ୍ରେରୀ ଓ ଭିକ୍ଟୋରିଆ ମେମୋରିଆଲ ଯାଇଛନ୍ତି ମୋଦୀ।
ଭିକ୍ଟୋରିଆ ମେମୋରିଆଲରେ ନେତାଜୀଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। କୋଲାକାତା କଳା ସଂସ୍କୃତି ସହିତ ଜଡ଼ିତ କିଛି ବିଶିଷ୍ଟ କଳାକାର ବି ଏଥିରେ ସାମିଲ ହୋଇଥିଲେ। ପ୍ରସିଦ୍ଧ ଗାୟକ ଉଷା ଉଥୁପ୍ ‘ଏକଲା ଚଲୋ’ରେ ଗୀତ ଗାଇ ସମସ୍ତଙ୍କୁ ବିମୁଗ୍ଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସହିତ ପଶ୍ଚିମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନଖଡ଼ ବି ସାମିଲ ଥିଲେ। ମୋଦୀ ଆଜି ଆଜାଦ ହିନ୍ଦ ଫୌଜର କିଛି ଫୌଜିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି।
ମଞ୍ଚରେ ଭାଷଣ ଦେଲେନି ମମତା
ପରାକ୍ରମ ଦିବସରେ ଆଜି ନିଜର ଅଭିଭାଷଣ ରଖିନାହାନ୍ତି ମମତା ବାନାର୍ଜୀ। ମଞ୍ଚକୁ ଆସିବା ପରେ କିଛି ଲୋକ ‘ଜୟ ଶ୍ରୀରାମ’ ନାରାବାଜି କରିବାରୁ ସେ ତାଙ୍କ ଅଭିଭାଷଣ ବର୍ଜନ କରିଛନ୍ତି। ଏହା କୌଣସି ପାର୍ଟିର କାର୍ଯ୍ୟକମ ନହେଁ, ସରକାରୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର କିଛି ମର୍ଯ୍ୟାଦା ରହିବା ଦରକାର। ଆମନ୍ତ୍ରଣ କରି ଏଭଳି ଅପମାନିତ କରିବା ଠିକ ନୁହେଁ ବୋଲି କହି ମମତା ଭାଷଣ ବର୍ଜନ କରିଛନ୍ତି।
ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୋଲକାତାରେ ଏକ ବିଶାଳ ରାଲି କରିଥିଲେ। ନେତାଜୀଙ୍କ ଜୟନ୍ତୀକୁ ସେ ଦେଶନାୟକ ଦିବସ ଭାବେ ପାଳନ କରିଥିଲେ।