ଓଡ଼ିଶାଲାଇଭ୍ ବ୍ୟୁରୋ
- ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ‘ୟାସ୍’ର ତାଣ୍ଡବ
- ବାହାନାଗା-ରେମୁଣା ମଧ୍ୟରେ ଛୁଇଁଲା ସ୍ଥଳଭାଗ
- ପାଣିଘେରରେ ସମୁଦ୍ରକୂଳିଆ ଗାଁ
- ‘ୟାସ୍’ରେ ଗଲା ୨ ଜଣଙ୍କ ଜୀବନ
ବାଲେଶ୍ଵର ଜିଲ୍ଲାର ରେମୁଣା-ବାହାନାଗା ସଦର ମଧ୍ୟରେ ସ୍ଥଳଭାଗ ଛୁଇଁଛି ବାତ୍ୟା ୟାସ୍। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ବେଶୀ କ୍ଷତି ପହଞ୍ଚାଇଛି ବାତ୍ୟା। କେଉଁଠି ଆଜବେଷ୍ଟସ୍ ଉଡ଼ିଛି ତ ଆଉ କେଉଁଠି କଚ୍ଚା ଘରକୁ ଭାଙ୍ଗିଛି। ସେହିପରି ବାତ୍ୟାର ପ୍ରକୋପରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ିପଡ଼ିଛି। ସମୁଦ୍ରର ଉଚ୍ଚ ଜୁଆର ଆସିବାରୁ କିଛି ଗାଁ ଜଳମଗ୍ନ ହୋଇଯାଇଛି। ଲୋକେ ପାଣିଘେରରେ ରହିଛନ୍ତି। ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିସାରିଥିଲେ ମଧ୍ୟ କ୍ଷତଚିହ୍ନ ଛାଡ଼ି ଯାଇଛି।ବାଲେଶ୍ଵରରେ ଜଳମଗ୍ନ ହେଲା ଅଧା ସହର
ବାତ୍ୟା ୟାସ୍ର ପ୍ରଭାବରେ ସବୁଠୁ ବେଶି ପ୍ରଭାବିତ ହୋଇଛି ବାଲେଶ୍ଵର ଜିଲ୍ଲା। ବିଶେଷ କରି ଜିଲ୍ଲାର ନୀଳଗିରି, ଭୋଗରାଇ, ରେମୁଣା, ବାଲେଶ୍ଵର ସଦର, ବାହାନାଗା ଆଦି ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଜିଲ୍ଲାର ଅଧା ସ୍ଥାନରେ ପାଣି ଜମି ରହିଛି। ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟର ବର୍ଷା ଜଳ। ପରିସ୍ଥିତି ଏମିତି ହୋଇଛି ଯେ, ଗାଁରୁ ନେଇ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳ ସମୁଦ୍ର ଓ ନଦୀ ଏକାକାର ହୋଇଯାଇଛି।ଗୋଟିଏ ପଟେ ଭୀଷଣ ବର୍ଷା ପାଣି ଆଉ ଅନ୍ୟପଟେ ସମୁଦ୍ରରୁ ଉଚ୍ଚ ଜୁଆର ଆସି ସ୍ଥଳଭାଗକୁ ଜଳମଗ୍ନ କରିଦେଇଛି। କେବଳ ଏତିକି ନୁହେଁ ବଜ୍ର ବେଗର ପବନ ପାଇଁ ରାସ୍ତାରେ ଅନେକ ବଡ଼ ବଡ଼ ଗଛ ଲୋଟି ପଡ଼ିଛି। ଏଥିସହିତ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ଉପୁଡ଼ି ପଡ଼ିଛି। ଘର ଉପରୁ ଆଜବେଷ୍ଟସ୍ ଉଡ଼ିବା ସହ ଅନେକ ଝାଟିମାଟି ଘର ଭାଙ୍ଗିପଡ଼ିଛି। ବାଲେଶ୍ଵରରେ ଅନେକ ଲୋକଙ୍କୁ ବାସହରା କରିଦେଇଛି ବାତ୍ୟା ୟାସ୍।
ବାତ୍ୟା ପ୍ରଭାବରେ ଭୋଗରାଇ ବ୍ଲକ୍ର ଅନେକ ଗାଁରେ ସମୁଦ୍ର ପାଣି ମାଡ଼ିଯାଇଛି। ସେହିପରି ନୀଳଗିରିରେ ତାଣ୍ତବ ରଚିଛି ଭୀଷଣ ପବନ। ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ପବନ ମାଡ଼ରେ ନୀଳଗିରିରେ ସର୍ବାଧିକ ଗଛ ଭାଙ୍ଗିଥିବା ସ୍ଵତନ୍ତ୍ର ରିଲିଫ୍ କମିସନର କହିଛନ୍ତି। ସେହିପରି ରେମୁଣା ଓ ବାହାନାଗା ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁଥିବାରୁ ଏଠାରେ ବ୍ୟାପକ କ୍ଷତି ଘଟିଛି।ଭଦ୍ରକର ହୋସ୍ ଉଡ଼ାଇଦେଲା ‘ୟାସ୍’
ପାଣିପାଗ ବିଭାଗର ପୂର୍ବାନୁମାନ ଥିଲା ଯେ ଭଦ୍ରକର ଧାମରା ବନ୍ଦରରୁ ବାସୁଦେବପୁର ମଧ୍ୟରେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବ। କିନ୍ତୁ ବାରାମ୍ଵାର ବାତ୍ୟାର ଗତିପଥ ବଦଳି ଶେଷରେ ଏହା ବାଲେଶ୍ଵରରେ ସ୍ଥଳଭାଗ ଛୁଇଁଲା। ବାଲେଶ୍ଵରରେ ସିନା ଲ୍ୟାଣ୍ଡଫଲ୍ କଲା କିନ୍ତୁ ଭଦ୍ରକରେ ବୀଭିଷିକା ଖେଳାଇଗଲା ୟାସ୍।
ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଧାମରା ଉପକୂଳ ଅତିକ୍ରମ କରି ବାଲେଶ୍ଵରଆଡ଼େ ଯାଇଥିଲା ବାତ୍ୟା। ଏହି ସମୟରେ ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୧୨୦ରୁ ୧୪୦ କିଲୋମିଟର ବେଗରେ ପବନ ବହିଥିଲା। ଏହାର ପ୍ରଭାବରେ ଜିଲ୍ଲାର ଅନେକ ସ୍ଥାନରେ ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ, ଘରର ଛପର ଆଦି ଉଡ଼ାଇ ନେଇଥିଲା।ବାତ୍ୟାର ଆଖି ବା କେନ୍ଦ୍ର ଧାମରାଠାରୁ ମାତ୍ର ୪୦ କିଲୋମିଟର ଦୂରରେ ରହିଥିଲା, ଯାହାର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଅଶାନ୍ତ ହୋଇପଡ଼ିଥିଲା ସମୁଦ୍ର। ସର୍ବାଧିକ ୪ ମିଟର ଉଚ୍ଚର ଜୁଆର ଆସି ସ୍ଥଳଭାଗକୁ ଜଳମଗ୍ନ କରିଦେଇଥିଲା। ଏହାର ପ୍ରଭାବରେ ୭ଟି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ସେହିପରି ଭଦ୍ରକ ସହରାଞ୍ଚଳର ସରକାର ନଗର ନିକଟରେ ବର୍ଷା ପାଣିରେ କାର ଭାସି ଯାଇଥିବା ଦେଖିବାକୁ ମିଳିଛି। କାରଗୁଡ଼ିକ ମରାମତି ପାଇଁ ଏକ ଗ୍ୟାରେଜ ନିକଟରେ ଛିଡ଼ା ହୋଇଥିଲା। ସେହିପରି ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ୨୮୮ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଯାହାଫଳରେ ଅନେକ ସ୍ଥାନରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ନିଷ୍କାସିତ ହୋଇ ନପାରି ଘରେ ପଶୁଥିବା ଅଭିଯୋଗ ହୋଇଛି।
ଭଦ୍ରକ ଜିଲ୍ଲାରେ ବାତ୍ୟା ପ୍ରଭାବରେ ବିଶେଷ କରି ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକରେ ଅଧିକ କ୍ଷତି ହୋଇଥିବା ଜଣାପଡ଼ିଛି।ପାରାଦୀପ ବନ୍ଦର ଉପକୂଳରେ ପଡ଼ିଲା ବେଶୀ ପ୍ରଭାବ
ବାତ୍ୟା ୟାସ୍ ବାଲେଶ୍ଵରରେ ସ୍ଥଳଭାଗ ଛୁଇଁଲା। କିନ୍ତୁ ଏହାର ପ୍ରଭାବରେ ପାରାଦୀପ ଉପକୂଳରେ ଭୀଷଣ ବେଗରେ ପବନ ବହିଥିଲା। ଫଳରେ ପାରାଦୀପ ବନ୍ଦର ଜେଟିରେ ଥିବା ସବୁ ମାଛଧରା ଡ଼ଙ୍ଗାଗୁଡ଼ିକ ଭାଙ୍ଗିଯାଇଥିବା ସୂଚନା ଆସିଛି।
ଅନ୍ୟପଟେ ଉଚ୍ଚ ଜୁଆର ଆସି ପାରାଦୀପ ସମେତ ଜଗତସିଂହପୁର ଜିଲ୍ଲାର ଉପକୂଳିଆ ଗାଁଗୁଡ଼ିକୁ ସମୁଦ୍ର ପାଣି ମାଡ଼ିଯାଇଛି। ଭୀଷଣ ପବନରେ ଜିଲ୍ଲାରେ ଅନେକ ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ବାତ୍ୟା ଶେଷ ହେବା ପରେ ପାରାଦୀପର କିଛି ବାତ୍ୟା ଆଶ୍ରୟ ସ୍ଥଳରୁ ଲୋକମାନେ ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି।ବାତ୍ୟାରେ ଗଲା ଦୁଇ ଜୀବନ
ବାତ୍ୟା ‘ୟାସ୍’ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ଵର ଜିଲ୍ଲା ଭାସ୍କରଗଞ୍ଜରେ ଜଣେ ଯୁବକଙ୍କ ଉପରେ ଏକ ନଡ଼ିଆ ଗଛ ଭାଙ୍ଗି ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ୨୨ ବର୍ଷୀୟ ମଣ୍ଟୁ ଜେନା। ଏସଆରସିଙ୍କ ସୂଚନା ଅୁସାରେ ଯୁବକ ଜଣକ ଘର ପାଖ ଏକ ବାତ୍ୟା ଆଶ୍ରୟସ୍ଥଳରେ ଥିଲେ। କିନ୍ତୁ ସେ ବାତ୍ୟା ସମୟରେ ନିଜ ଘରକୁ ଯିବାକୁ ଚାହୁଁଥିଲେ। ବାରଣ ସତ୍ତ୍ଵେ ସେ ଆଶ୍ରୟ ସ୍ଥଳରୁ ବାହାରକୁ ଯାଇଥିଲେ। ଏହି ସମୟରେ ଏକ ନଡ଼ିଆ ଗଛ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା, ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ଭାଙ୍ଗି ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପଞ୍ଚୁପଲ୍ଲୀ ଗାଁର ପୂର୍ଣ୍ଣ ଚନ୍ଦ୍ର ନାୟକ। ସେ ଆଜି ସକାଳେ ବାହାରକୁ ଆସିବା ବେଳେ ତାଙ୍କ ଉପରେ ଗଛ ଭାଙ୍ଗି ପଡ଼ିଥିଲା। ମୟୂରଭଞ୍ଜରେ ପ୍ରକୋପ ଦେଖାଉଛି ୟାସ୍
ବାତ୍ୟା ‘ୟାସ୍’ ବାଲେଶ୍ଵରରେ ସ୍ଥଳଭାଗ ଛୁଇଁବା ପରେ ଏବେ ମୟୂରଭଞ୍ଜ ଜିଲ୍ଲାରେ ତାଣ୍ତବ ରଚୁଛି। ଆଜି ମଧ୍ୟରାତ୍ରି ବେଳକୁ ଏହା ମୟୂରଭଞ୍ଜ ଅତିକ୍ରିମ କରି ଝାଡ଼ଖଣ୍ଡ ଆଡ଼କୁ ଗତି କରିବ। ଭୀଷଣ ପବନ ସହ ପ୍ରବଳ ବର୍ଷା ପାଇଁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୨ ଘଣ୍ଟା ମୟୂରଭଞ୍ଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି। ବାତ୍ୟା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଏବେ ବର୍ଷା ଓ ପବନ ଲାଗି ରହିଛି।ବିଶେଷକରି ଶିମିଳିପାଳରେ ବର୍ଷା ଲାଗି ରହିଛି। ଶିମିଳିପାଳରେ ୧୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ପାଇଁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ଉପରେ ନଜର ରଖାଯାଇଛି। ତେବେ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି।
ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ପ୍ରାୟ ୧ ଲକ୍ଷ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରିଛନ୍ତି। ସେମାନଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି।ଓଡ଼ିଶା ସରକାରଙ୍କ ବାତ୍ୟା ପ୍ରସ୍ତୁତି
ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଆଗୁଆ କରିଥିଲେ ଓଡ଼ିଶା ସରକାର। ସରକାରଙ୍କ ପକ୍ଷରୁ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇ ପ୍ରାୟ ସେଢ଼େ ୬ ଲକ୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ମୁକାବିଲା କରିବା ପାଇଁ ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ, ଗଛ କଟାଳି ଦଳ, ରେଡ୍ କ୍ରସ୍, ଆପଦା ମିତ୍ର ଆଦିର ପ୍ରାୟ ୪ ହଜାର କର୍ମଚାରୀଙ୍କୁ ବିଭିନ୍ନ ଜିଲ୍ଲାର ଆଗୁଆ ପ୍ରସ୍ତୁତ ରଖିଥିଲେ ସରକାର।ବିଶେଷ କରି ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲରେ ଏହି ଦଳଗୁଡ଼ିକୁ ମୁତୟନ କରାଯାଇଥିଲା। ବାତ୍ୟା ଲ୍ୟଣ୍ଡଫଲ୍ ପରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ଲାଗି ପଡ଼ିଥିଲେ ଏହି ସମସ୍ତ ଦଳ। ପବନ ପ୍ରଭାବରେ ଯେଉଁ ଯେଉଁ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ରାସ୍ତାରେ ପଡ଼ିଥିଲା ଓଡ୍ରାଫ୍, ଏନଡିଆରଏଫ୍ ଓ ବନ ବିଭାଗର ଗଛ କଟାଳି ଦଳଗୁଡ଼ିକ ସେହି ସ୍ଥାନରେ ନିୟୋଜିତ ହୋଇ ସ୍ଥିତିକୁ ସୁଧାର କରିବାରେ ଲାଗିପଡ଼ିଥିଲେ।
ବାତ୍ୟାର ବେଗ, ଅବସ୍ଥିତି, ସ୍ଥଳଭାଗ ଛୁଇଁବାର ସମୟ ଆଦି ଟିକିନିଖି ଖବରକୁ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା। ଭୟଭୀତ ନ ହୋଇ ସରକାରଙ୍କୁ ସହଯୋଗ କରି ବାତ୍ୟାର ମୁକାବିଲା କରିବାକୁ ଏସଆରସି ଲୋକମାନଙ୍କୁ ପରାମର୍ଶ ଦେଇଥିଲେ।