ଶୁଭଶ୍ରୀ ନାୟକ
ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ୍ ପଦକ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ କ୍ରୀଡ଼ା କ୍ୟାରିୟରରେ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇଛି।
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଲଛଡ଼ାର ପୁଅ ବୀରେନ୍ଦ୍ର ଲାକ୍ରା ହକି ଜଗତରେ ଏକ ବହୁ ପରିଚିତ ନାଁ। ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ୍ ପଦକ ଜିତିବା ପରେ ଓଡ଼ିଆ ପୁଅ ବୀରେନ୍ଦ୍ରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। କାରଣ ଉପଅଧିନାୟକ ଭାବେ ଦଳର ପ୍ରତିନିଧିତ୍ୱ ନେଇ ବୀରେନ୍ଦ୍ର ଦୀର୍ଘ ୪୧ ବର୍ଷ ପରେ ଦେଶକୁ ସଫଳତା ଦେଇଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ
ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିବା ଭାରତୀୟ ଦଳର ଅନ୍ୟତମ ରକ୍ଷା ପ୍ରାଚୀର ଥିଲେ ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା। କାରଣ ସେ ଦଳରେ କେବଳ ଡିଫେଣ୍ଡର ଭାବେ ନୁହେଁ ବରଂ ଉପଅଧିନାୟକ ପଦରେ ରହି ଏକ ଗୁରୁ ଦାୟିତ୍ୱ ତୁଲାଇଥିଲେ। ବରିଷ୍ଠ ଖେଳାଳି ଭାବେ ଅନ୍ୟ ଖେଳାଳିମାନଙ୍କୁ ମାର୍ଗଦର୍ଶନ ଦେଉଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଦଳ ସେମିଫାଇନାଲ ରାଉଣ୍ଡରେ ଜର୍ମାନିକୁ ହରାଇ ବ୍ରୋଞ୍ଜ୍ ପଦକ ଜିତିଥିଲା।
ବାଉଁଶ ବାଡ଼ିରୁ ଖେଳ ଆରମ୍ଭ କରିଥିଲେ ବୀରେନ୍ଦ୍ର
ବୀରେନ୍ଦ୍ର ଲାକ୍ରା ବର୍ତ୍ତମାନସୁଦ୍ଧା ୨୦୦ରୁ ଅଧିକ ମ୍ୟାଚ ଖେଳିଛନ୍ତି। ବହୁତ ବର୍ଷର ସଂଘର୍ଷ ପରେ ତାଙ୍କୁ ବ୍ରୋଞ୍ଜ୍ ପଦକ ଜିତିବାର ସୌଭାଗ୍ୟ ମିଳିଛି। ମାତ୍ର ଏଥିପାଇଁ ବୀରେନ୍ଦ୍ର ଅନେକ ସଂଘର୍ଷ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଲଛଡ଼ା ଗାଁରେ ଏକ ଅତି ସାଧାରଣ ପରିବାରରେ ୧୯୯୦ ମସିହା, ଫେବ୍ରୁଆରି ୩ରେ ଜନ୍ମ ହୋଇଥିଲେ ବୀରେନ୍ଦ୍ର। ପିଲାବେଳୁ ହକି ଖେଳ ପ୍ରତି ତାଙ୍କର ଦୁର୍ବଳତା ଥିଲା। ହେଲେ ସେତେବେଳେ କିଛି ସୁବିଧା ନଥିଲା। ସେଥିପାଇଁ ବାଉଁଶ ବାଡ଼ିରୁ ଖେଳ ଆରମ୍ଭ କରିଥିଲେ ବୀରେନ୍ଦ୍ର। ଅନେକ ସମୟରେ ଘରୁ ଲୁଚିକି ହକି ଖେଳିବାକୁ ପଳାଉଥିଲେ ବୀରେନ୍ଦ୍ର।
ଧୀରେ ଧୀରେ ତାଙ୍କ ପରିବାର ବି ହକି ଖେଳିବାକୁ ତାଙ୍କୁ ସମର୍ଥନ ଦେଇଥିଲେ। ପରିବାରର ସ୍ୱପ୍ନ ଥିଲା ବୀରେନ୍ଦ୍ର ଦିନେ ନିଜ ପ୍ରତିଭା ବଳରେ ଅନ୍ତର୍ଜାତୀୟ ସ୍ତରରେ ନାଁ କରୁ। ଆଜି ପଦକ ଜିତି ପରିବାରର ସେହି ସ୍ୱପ୍ନ ପୂରା କରିଛନ୍ତି ସେ।
ବୀରେନ୍ଦ୍ରଙ୍କୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ
ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପରେ ଅଗଷ୍ଟ ୧୦ ରାତିରେ ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ମହିଳା ହକି ଦଳର ଉପଅଧିନାୟିକା ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଓଡ଼ିଶା ଫେରିଥିଲେ। ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ।
ସେମାନଙ୍କୁ ଆର୍ଥିକ ପୁରସ୍କାର ମଧ୍ୟ ଦିଆଯାଇଥିଲା। ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଲେଖାଏଁ ଦିଆଯାଇଥିଲା ବେଳେ ଦୀପ ଗ୍ରେସ୍ ଏକ୍କା ଓ ନମିତା ଟପୋଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା। ସେହିପରି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଓଡ଼ିଶା ପୋଲିସରେ ଡିଏସ୍ପି ପଦବୀରେ ଅବସ୍ଥାପିତ ପାଇଁ ନିଯୁକ୍ତି ପତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ।
ବୀରେନ୍ଦ୍ରଙ୍କ ହକି ଯାତ୍ରା
ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଆଦର୍ଶ ମାନି ଖେଳ ଆରମ୍ଭ କରିଥିବା ବୀରେନ୍ଦ୍ର ସେଲ୍ ହକି ଏକାଡେମୀରୁ ତାଲିମ ନେଇଥିଲେ। ଇଗ୍ନେସ ଲାକ୍ରାଙ୍କ ପୁଅ ବୀରେନ୍ଦ୍ର ଅଳ୍ପ ବୟସରୁ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ସ୍ୱନାମଧନ୍ୟ ହକି କୋଚ୍ ପିଟର ତିର୍କୀଙ୍କ ତତ୍ତ୍ୱବଧାନରେ ସେ ହକି ଶିଖିଥିଲେ।
ସେଲ୍ ହକି ଏକାଡେମୀରେ ସେ ୨୦୦୪ରେ ଯୋଗ ଦେଇ ୨୦୧୦ ପର୍ଯ୍ୟନ୍ତ ସେ ତାଲିମ ନେଇଥିଲେ। ତାଙ୍କୁ ସ୍ପୋଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆର କୋଚ୍ ହରମନ ଲାକ୍ରାଙ୍କ ଦ୍ୱାରା ଏକ ବର୍ଷ ପାଇଁ ତାଙ୍କୁ ତାଲିମ୍ ଦେଇଥିଲେ। ୨୦୦୫ରୁ ବୀରେନ୍ଦ୍ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପୋଟର୍ସ ପ୍ରଶିକ୍ଷକ ରାଜୁକାନ୍ତ ସାଇନି ମଧ୍ୟ ବୀରେନ୍ଦ୍ରଙ୍କୁ ପ୍ରଶକ୍ଷଣ ଦେଇଥିଲେ। ବୀରେନ୍ଦ୍ର ଅଲମ୍ପିଆନ ଏବଂ ଅର୍ଜୁନ ପୁରସ୍କାର ବିଜେତା ମାଇକେଲ୍ କିଣ୍ଡୋଙ୍କଙ୍କୁ ମଧ୍ୟ ଅନୁକରଣ କରନ୍ତି।
ବୀରେନ୍ଦ୍ର ନିଜର ପ୍ରତିଭା, ଦୃଢ଼ତା ବଳରେ ସେ ଭାରତୀୟ ହକି ଦଳରେ ଜଣେ ଦକ୍ଷ ଡିଫେଣ୍ଡର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି।
ଜଣେ ଦକ୍ଷ ଡିଫେଣ୍ଡର ଭାବେ ୨୦୧୨ରୁ ବୀରେନ୍ଦ୍ର ଭାରତୀୟ ହକି ଦଳରେ ସାମିଲ ଅଛନ୍ତି। ୨୦୧୨ ଏସୀଆନ ଚାମ୍ପିୟନ ଟ୍ରଫି, ୨୦୧୩ ଏସିଆ କପ୍ ରୌପ୍ୟ, ୨୦୧୪ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ, ୧୦୧୫ ବିଶ୍ୱ ହକି ଲିଗ୍ ପାଇନାଲରେ କାଂସ୍ୟ, ୨୦୧୬ ଏସିଆନ ଚାମ୍ପିୟନ୍ସ ଟ୍ରଫି ସ୍ୱର୍ଣ୍ଣ, ୨୦୧୮ ଏସୀୟ କ୍ରୀଡ଼ା କାଂସ୍ୟ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଛନ୍ତି ବୀରେନ୍ଦ୍ର।
୨୦୧୨ରେ ପ୍ରଥମ ଥର ଅଲିମ୍ପିକ୍ସ ଖେଳିବା ପରେ ବୀରେନ୍ଦ୍ର ଲାକ୍ରା ଆଘାତ ପ୍ରାପ୍ତ ହୋଇ ୨୦୧୬ ରିଓ ଅଲିମ୍ପିକ୍ସ ଖେଳିବାରୁ ବଞ୍ଚିତ ହୋଇଥିଲେ। ତେବେ ନିଜ ଦୃଢ଼ ଏକାଗ୍ରତା, ନିରନ୍ତର ଅଧ୍ୟବସାୟ, ଅପୂର୍ବ ନିଷ୍ଠା ଓ ଶୃଙ୍ଖଳିତ ଜୀବନ ଶୈଳୀ ବଳରେ ଟୋକିଓ ଅଲିମ୍ପିକ୍ସ ଲାଗି ଫିଟନେସ୍ ରଖିବା ସହ ଭାରତୀୟ ହକି ଦଳର ଉପଅଧିନାୟକ ନିଯୁକ୍ତ ହୋଇଥିଲେ।