ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର: ପରିବେଶ ଅନୁକୂଳ ‘ଇ-ଯାନ’ ବ୍ୟବହାର ଉପରେ ଏବେ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେଣୁ ଲୋକଙ୍କୁ ବ୍ୟାଟେରି ଚାଳିତ ଗାଡ଼ି କିଣିବା ଲାଗି ବିଭିନ୍ନ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଓଡ଼ିଶା ସରକାର ମଧ୍ୟ ନିକଟରେ ‘ଇ-ଯାନ’ ନୀତି ଘୋଷଣା କରିଛନ୍ତି। ଏକ ଦାୟିତ୍ୱସମ୍ପନ୍ନ ମିଡିଆ କମ୍ପାନି ହିସାବରେ ‘ଓଡ଼ିଶାଲାଇଭ୍’ ଏହାର କର୍ମଚାରୀମାନଙ୍କ ପାଇଁ ଇ-ଯାନ କିଣିବା ଲାଗି ପ୍ରୋତ୍ସାହନ ରାଶି ଘୋଷଣା କରିଛି।
ଓଡ଼ିଶାଲାଇଭ୍ର କୌଣସି କର୍ମଚାରୀ ନିଜ ପାଇଁ ଇ-ବାଇକ୍ ବା କାର୍ କିଣିବାକୁ କମ୍ପାନି ପ୍ରୋତ୍ସାହିତ କରୁଛି। ବାଇକ୍ ବା ସ୍କୁଟର କିଣିବା ବେଳେ କମ୍ପାନି କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛି। ସେହିପରି ବ୍ୟାଟେରି ଚାଳିତ ଚାରିଚକିଆ ଯାନ କିଣିବା ଲାଗି ୨୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ ବୋଲି ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି।
It is our pleasure to announce EV Policy of brand @OdishaLive
A humble step towards encouraging #ElectricVehicle and doing our bit for the #environment @moefcc @CMO_Odisha @PMOIndia pic.twitter.com/MoYS4JZB35
— Nilambar Rath (@nilambarrath) August 28, 2021
ଏହା ସହିତ ଓଡ଼ିଶାଲାଇଭ୍ ଅଫିସରେ ଆବଶ୍ୟକ ହେଲେ ଇ-ଯାନ ଚାର୍ଜିଂ ଲାଗି ବ୍ୟବସ୍ଥା କରାଯିବ। ଏହି ସୁବିଧା ଓଡ଼ିଶାଲାଇଭ୍ର ଟିମ୍ ସଦସ୍ୟମାନଙ୍କୁ ମାଗଣାରେ ମିଳିବ। ଆଗାମୀ ଦିନରେ କମ୍ପାନି ଇ-ଯାନ କିଣିବା ବା ଭଡ଼ାରେ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବ। ସେହିପରି କମ୍ପାନି ସୌରଶକ୍ତି ବ୍ୟବହାର ଲାଗି ଆଗକୁ ଗୁରୁତ୍ୱ ଦେବ ବୋଲି ଶ୍ରୀ ରଥ କହିଛନ୍ତି।
ସେହିପରି ଓଡ଼ିଶାରୁ ପ୍ରସାରିତ ଷ୍ଟାର୍ଟଅପ୍ କମ୍ପାନି ତଥା ବହୁଭାଷୀ ଡିଜିଟାଲ ସ୍ୱାସ୍ଥ୍ୟ ମିଡିଆ ‘ସ୍ୱାସ୍ଥ୍ୟ ପ୍ଲସ୍’ ଶନିବାର ଦିନ ଏହାର ଇ-ଯାନ ପ୍ରୋତ୍ସାହନ ନୀତି ଘୋଷଣା କରିଛି। କମ୍ପାନିର ସିଇଓ ସିଦ୍ଧାର୍ଥ ରଥ ଟୁଇଟ୍ କରି କହିଛନ୍ତି ଯେ, ସ୍ୱାସ୍ଥ୍ୟପ୍ଲସର କୌଣସି କର୍ମଚାରୀ ଇ-ସ୍କୁଟର ବା ମଟର ସାଇକେଲ କିଣିଲେ ତାଙ୍କୁ କମ୍ପାନି ୧୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେବ। ଅର୍ଥାତ୍ ରାଜ୍ୟ ସରକାରଙ୍କ ୫ ହଜାର ଟଙ୍କାର ପ୍ରୋତ୍ସାହନକୁ ମିଶାଇଲେ ସ୍ୱାସ୍ଥ୍ୟ ପ୍ଲସର କର୍ମଚାରୀମାନଙ୍କୁ ଏ ବାବଦରେ ୧୫ ହଜାର ଟଙ୍କାର ରିହାତି ମିଳିପାରିବ।
As a startup in Odisha (@SwasthyaPlusO), we’d like to announce a ₹10,000 incentive for our employees who would like to purchase an EV.
I hope more startups & organisations join us in making EVs mainstream in Odisha! @startup_odisha @CMO_Odisha @stpibbsr @manojmishrasays https://t.co/BsKrihmjef
— Sidharth Rath (@sidharthrath) August 28, 2021
ପରିବେଶ ସୁରକ୍ଷା ପାଇଁ ଇ-ଯାନ ବ୍ୟବହାର ଆଜି ଜରୁରୀ ହୋଇପଡ଼ିଛି। ଅଧିକ ସଂଖ୍ୟାରେ ଲୋକ ବ୍ୟାଟେରି ଚାଳିତ ଗାଡ଼ି ବ୍ୟବହାର କଲେ ଏହି ଧରଣର ଯାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିବ। ବ୍ୟାଟେରି ଚାଳିତ ଗାଡ଼ି ବ୍ୟବହାର ପାଇଁ ଆଜି ମୁଖ୍ୟତଃ ଚାର୍ଜିଂ ଷ୍ଟେସନର ଯେଉଁ ଆହ୍ୱାନ ରହିଛି ଆଗକୁ ତା’ର ସମାଧାନ ହେବ। ତେଣୁ ରାଜ୍ୟର ଷ୍ଟାର୍ଟଅପ୍ ତଥା ପ୍ରମୁଖ କମ୍ପାନିମାନେ ନିଜ ନିଜର କର୍ମଚାରୀଙ୍କୁ ଇ-ଯାନ କିଣିବା ଲାଗି ପ୍ରୋତ୍ସାହନ ଦେବାକୁ ସିଦ୍ଧାର୍ଥ ପ୍ରସ୍ତାବ ଦେଇଛନ୍ତି।
ଶୁକ୍ରବାର ଦିନ ଇ-ଯାନ ପଲିସି ଉପରେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ଦୁଇଚକିଆ ଯାନ ପାଇଁ ୫ ହଜାର ଟଙ୍କା, ତିନି ଚକିଆ ଯାନ ପାଇଁ ୧୦ ହଜାର ଏବଂ ଚାରି ଚକିଆ ଗାଡ଼ି କିଣିଲେ ୫୦ ହଜାର ଟଙ୍କାର ରିହାତି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ସେହିପରି ସରକାର ନନ୍-ଏସି ବସ୍ କିଣିଲେ ୨ ଲକ୍ଷ ଏବଂ ଏସି ଡିଲକ୍ସ ବସ୍ କିଣିଲେ ୪ ଲକ୍ଷ ଟଙ୍କା ରିହାତି ଦେବେ। ତା’ଛଡ଼ା ଇ-ଯାନ ପଞ୍ଜୀକରଣ ବେଳେ ଆରଟିଓ ଫିସ୍ ଏବଂ ରୋଡ୍ ଟାକ୍ସ ସମ୍ପୂର୍ଣ୍ଣ ଛାଡ଼ ହେବ।ଇ-ଯାନ କିଣିବା ଲାଗି ସରକାରୀ କର୍ମଚାରୀଙ୍କୁ ବିନା ସୁଧରେ ୠଣ ମିଳିବ। ସେହିପରି ରାଜ୍ୟରେ ଇ-ଯାନ ଲାଗି ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠାକୁ ସରକାର ଆହ୍ୱାନ ଦେଇଛନ୍ତି। ବ୍ୟାଟେରି ତିଆରି ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସରକାର ପ୍ରୋତ୍ସାହନ ଦେବେ। ତା’ସାଙ୍ଗକୁ ଆଗାମୀ ଦିନରେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ମଧ୍ୟ ସରକାର ପ୍ରୋତ୍ସାହନ ଦେବାର ସୂଚନା ରହିଛି।
୨୦୨୦ ମସିହାରେ ଦିଲ୍ଲୀ ସରକାର ପ୍ରଥମେ ଇ-ଯାନ ନୀତି ଘୋଷଣା କରିଥିଲେ। ଦିଲ୍ଲୀରେ ସର୍ବନିମ୍ନ ୩୦ହଜାର ଟଙ୍କାରୁ ଆରମ୍ଭକରି ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଇ-ଯାନ ଉପରେ ରିହାତି ଦିଆଯାଉଛି। ଭାରତର ବିଭିନ୍ନ ରାଜ୍ୟ ସରକାର ଇତିମଧ୍ୟରେ ଇ-ଯାନ ନୀତି ଲାଗୁ କରି ଏହି ପରିବେଶ ଅନୁକୂଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି।